spot_img
Home Blog Page 3848

ଦମ ଦେଖାଉଛି ‘ଦମନ’: ଏବେ ସାରା ଭାରତରେ ଜଳିବ ‘ଦମନ’ ନିଆଁ

ଭୁବନେଶ୍ୱର: ଦମ ଦେଖାଉଛି ‘ଦମନ। ଓଡ଼ିଶା ମାର୍କେଟରେ ନିଆଁ ଲଗାଇଛି ଏହି ଓଡିଆ ସିନେମା। ଦଶନ୍ଧି ପରେ ହଲରେ ପଡ଼ିଛି ମନଲାଖି ଚଳଚିତ୍ର। ନା  ହିରୋଇନ ଅଛି ନା ଫିଲ୍ମରେ ଧୂଳି ଉଡ଼ୁଛି, ତଥାପି ମୋଳିକ କାହାଣୀରେ ମସଗୁଲ ଦର୍ଶକ। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ସୀମିତ ନାହିଁ। ଓଡ଼ିଶାରେ ଲାଗିଥିବା ଦମନ ନିଆଁ ଏବେ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଓଡ଼ିଆରେ ଦମଦାର ସଫଳତା ପରେ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ‘ଦମନ’।

ଏଥିପାଇଁ ମୁମ୍ୱାଇରେ ନିଜ ଟିମ ସହ ପହଞ୍ଚିଛନ୍ତି ଅଭିନେତା ବାବୁଶାନ। ଆରମ୍ଭ କରିଦେଇଛନ୍ତି ହିନ୍ଦୀ ଡବିଂ। ଖୁବଶୀଘ୍ର ଭାରତର ୫୦୦ଶହ ହଲରେ ରିଲିଜ ହେବ ଦମନ। ମାତ୍ର ୨ ସପ୍ତାହରେ ଫିଲ୍ମଟି ୨ କୋଟି ଆୟ କରି ବ୍ଲକବଷ୍ଟର ଆଡ଼କୁ ମୁହାଁଇଲାଣି। ସୋସିଆଲ ମିଡିଆରେ ବି ‘ଦମନ’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖ ତା ମୁହଁରେ ‘ଦମନ’ର ଚର୍ଚ୍ଚା। ଏମିତିକି ବିଦେଶରେ ମଧ୍ଯ ଫିଲ୍ମକୁ ନେଇ ଚର୍ଚ୍ଚ ହେଲାଣି । ପାକିସ୍ତାନର କିଛି ସନେ ସମୀକ୍ଷକ ଏହି ଫିଲ୍ମକୁ ନେଇ ରିଭ୍ୟୁ ଭିଡିଓ ମଧ୍ଯ ବନେଇଛନ୍ତି। ଫିଲ୍ମଟି ଆଇଏମଡିବିରେଟିଂରେ ୯.୭ ପାଇ ବ୍ଲକବଷ୍ଟର ଫିଲ୍ମ ‘RRR’ଓ ‘KGF’କୁ ବି ପଛରେ ପକାଇଦେଇଛି।

ତେବେ ଯଦି ଏହି ଫିଲ୍ମଟି ହିନ୍ଦୀରେ ରିଲିଜ ହେଲା ତେବେ ଏହା ୩ଶହ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି। ନିକଟରେ ଜଣାଶୁଣା ସିନେ ସମୀକ୍ଷକ କେ ଆର କେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଶେଆର କରିଛନ୍ତି। ଯେଉଁଥିରେ ସେ ଏହି ଫିଲ୍ମକୁ ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବଡ଼ ଆଟାକ୍। ଆଉ ଯେଉଁ ଦିନ ଏହି ଫିଲ୍ମ ହିନ୍ଦି ଭାଷାରେ ପରଦାରେ ଲାଗିବ ଅତି କମରେ ୫ ସପ୍ତାହ ପର୍ଯ୍ୟନ୍ତ ଧମାଲ କରିବ । ଫିଲ୍ମଟିକୁ ସେ ୪.୫ ଷ୍ଟାର ରେଟିଂ ଦବା ସହ ଏହା ୩୦୦ କୋଟି ଆୟ କରିବ ବୋଲି କହିଛନ୍ତି।

ତେବେ ଯଦି ଫିଲ୍ମ ବିଷୟରେ କହିବା ତେବେ ନିଛକ ଓଡ଼ିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଓଡ଼ିଶାର କୋଟି କୋଟି ଦର୍ଶକଙ୍କ ମନକୁ ଛୁଇଁଛି  । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଆଉଜଣେ ସେବିକା। ବାସ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର ଲୋକଙ୍କୁ କେମିତି ବାନ୍ଧି ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ବିଶେଷ କରି ବାବୁସାନ ମହାନ୍ତିଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଯୋସ ଭରିଛି ।  ‘ଦମନ’ର ଏହି ସଫଳତା ଦିଗହରା ଓଲିଉଡକୁ ଏକ ନୂଆ ଦିଗ ଦେଖାଇଛି। ଏମିତିକି ଓଲିଉଡର ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ନିଛକ ଓଡ଼ିଆ କାହାଣୀ ଉପରେ ସିନେମା ତିଆରି କରିବାକୁ ପ୍ରେରଣା ଦେଇଛି। ଆଉ ଦର୍ଶକ କହୁଛନ୍ତି ଫେରିଛି ଓଡିଆ ସିନେମାର ସୁବର୍ଣ୍ଣ ଯୁଗ ।

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଖଲାସ ନିର୍ଦ୍ଦେଶକୁ ପୁନଃସମୀକ୍ଷା ଲାଗି କେନ୍ଦ୍ର ସରକାରଙ୍କ ଆବେଦନ

0

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଜୀବ ଗାନ୍ଧୀ ହତ୍ୟା ମାମଲା। ୬ ଅଭିଯୁକ୍ତଙ୍କୁ ମୁକ୍ତ କରିବା ନେଇ ନିଷ୍ପତ୍ତିର ପୁନଃସମୀକ୍ଷା ଲାଗି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କରିଛନ୍ତି ଆବେଦନ। କେନ୍ଦ୍ର ସରକାର ଦର୍ଶାଇଛନ୍ତି ଏହି ଗୁରୁତ୍ବପୂର୍ଣ୍ଣ ମାମଲାରେ ଅଧିକ ଶୁଣାଣି ହୋଇନାହିଁ, ଯାହାକି ପ୍ରାକୃତିକ ନ୍ୟାୟର ବିରୁଦ୍ଧାଚରଣ କରୁଛି। ଏହା ସହ ମୁକ୍ତି ନିର୍ଦ୍ଦେଶ ନ୍ୟାୟର ବାର୍ତ୍ତା ପ୍ରତି ଏକ ଅବମାନନା। ଦୋଷୀମାନଙ୍କୁ ଖଲାସ କରିବା ଯୋଗୁ ଭାରତରେ ପ୍ରବଳ ବିରୋଧାଭାସ ସୃଷ୍ଟି ହୋଇଛି ଏବଂ ଶାନ୍ତି, ସ୍ଥିରତା ଓ ଆପରାଧିକ ନ୍ୟାୟିକ ବ୍ୟବସ୍ଥାରେ ଚାପ ସୃଷ୍ଟି କରିଛି।

ସରକାର ପୁଣି କହିଛନ୍ତି, ମୁକୁଳିଥିବା ୬ ଜଣଙ୍କ ମଧ୍ୟରୁ ୪ଜଣ ସିଂହଳୀ ଏବଂ ଆତଙ୍କବାଦୀ ଭାବେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଭାରତର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପରି ଏକ ବୀଭତ୍ସ ଘଟଣା ଘଟିଥିଲା । ସେମାନଙ୍କୁ ମୁକ୍ତି ନିର୍ଦ୍ଦେଶ ଦେବା ଆନ୍ତର୍ଜାତିକ ନିୟମର ଉଲ୍ଲଂଘନ କରୁଛି । ମୁଖ୍ୟ ଅଭିଯୁକ୍ତ ନଳିନୀ ସମେତ ୬ ଦୋଷୀଙ୍କୁ ଗତ ୧୧ ତାରିଖରେ ଖଲାସ ଲାଗି କୋର୍ଟ ଦେଇଥିଲେ ନିର୍ଦ୍ଦେଶ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୩୨ ବର୍ଷ ପରେ ଜେଲରୁ ମୁକୁଳିଥିଲେ ନଳିନୀଙ୍କ ସମେତ ଶ୍ରୀହରନ, ସନ୍ଥନ, ମୁରୁଗାନ, ରର୍ବଟ ପୟାସ ଓ ଆର.ପି. ରବିଚନ୍ଦ୍ରନ । ୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ରାଜୀବଙ୍କ ସମେତ ୧୬ ଜଣଙ୍କର ହୋଇଥିଲା ନିଧନ । ଦୋଷୀମାନଙ୍କୁ ମୁକୁଳାଇବା ଲାଗି ଉଭୟ ଏଆଇଡିଏମକେ ଓ ଡିଏମକେ ଚଳାଇଥିଲେ ଉଦ୍ୟମ । ଦୋଷୀଙ୍କ ଖଲାସ ନିର୍ଦ୍ଦେଶକୁ ସମାଲୋଚନା କରିଥିଲେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ।

ମଦ ପିଇ ମାରଧର କରୁଥିଲା ସ୍ୱାମୀ, ମୁଣ୍ଡ କାଟିଦେଲା ସ୍ତ୍ରୀ

ବାଲେଶ୍ବର: ବାଲେଶ୍ବରରେ ବୀଭତ୍ସ ହତ୍ୟା । ଦ୍ବିତୀୟ ସ୍ବାମୀକୁ ନିର୍ମମ ଭାବେ ହତ୍ୟା କରିଛି ସ୍ତ୍ରୀ । ବାଲେଶ୍ବରରୁ ମୁଣ୍ଡବିହୀନ ଶରୀର ଉଦ୍ଧାର ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଛତାବର ନିକଟରୁ ମିଳିଛି କଟାମୁଣ୍ଡ । ଦ୍ବିତୀୟ ସ୍ବାମୀକୁ ହତ୍ୟା କରିଥିବା ସ୍ବୀକାର କରିଛି ସ୍ତ୍ରୀ ।ମୃତକ ହେଲେ ଶ୍ରୀଧର ଦଳ ବେହେରା ।

ସୂଚନା ଅନୁସାରେ, ଶ୍ରୀଧର ମଦ ପିଇ ସ୍ତ୍ରୀକୁ ମାରଧର କରୁଥିଲେ। ଏପରିକି ପିଲାଛୁଆଙ୍କୁ ବି ମାରପିଟ୍ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗତ ୧୧ ତାରିଖରେ ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ସ୍ବାମୀ ଶ୍ରୀଧରକୁ ହତ୍ୟା କରିଥିଲା । ଏହା ପରେ ସ୍ତ୍ରୀ ନିଜର ପ୍ରଥମ ସ୍ବାମୀକୁ ଡାକି ଶ୍ରୀଧରର ମୃତଦେହକୁ ବାଲେଶ୍ବର ଖାନନଗର ନିକଟରେ ପକାଇ ଦେଇଥିଲା। ଏହାସହ ମୁଣ୍ଡକୁ ବ୍ୟାଗରେ ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା। ପୋଲିସ ଆଜି ଭଣ୍ଡାରିପୋଖରୀରୁ ମୁଣ୍ଡ ଜବତ କରିଛି। ସ୍ତ୍ରୀ ସୁପାରୀ ଦେଇ ସ୍ବାମୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତ ୧୨ ତାରିଖରେ ମୁଣ୍ଡବିହୀନ ଶରୀର ବାଲେଶ୍ବରରୁ ମିଳିଥିଲା।

ଶେଷ ହେଲା ଐତିହାସିକ ବାଲିଯାତ୍ରା, ୧୦ ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ବ୍ୟବସାୟ

କଟକ: ଉଦଯାପିତ ହେଲା କଟକ ଐତିହାସିକ ବାଲିଯାତ୍ରା । ଉତ୍ସବରେ ରେକର୍ଡ ପରିମାଣର ବ୍ୟବସାୟ ହୋଇଛି । ମେଳାର ତଳ ପଡ଼ିଆରେ ଆୟୋଜିତ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ୧୦ ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି। ଏଥର ଓରମାସ ମେଳାରେ ୪୬୦ ଷ୍ଟଲ ଖୋଲିଥିଲା।

ମିଶନ ଶକ୍ତି, ନାବାର୍ଡ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥା ଭାଗ ନେଇଥିଲେ। ମେଳାରେ ପ୍ରାୟ ୧୬ରୁ ଅଧିକ ନୂତନ ସାମଗ୍ରୀକୁ ପ୍ରମାଣପତ୍ର ଦିଆଯାଇଥିଲା। ୨୦୧୯ରେ ଏହି ମେଳାରୁ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ରେକର୍ଡ଼ କରାଯାଇଥିବା ବେଳେ, ଏଥର ଏହି ରେକର୍ଡ ଭାଙ୍ଗିଛି। ଆସନ୍ତାବର୍ଷ ଏହି ମେଳାକୁ ଆହୁରି ଅଧିକ ନୂତନ ସାମଗ୍ରୀ ଅଣାଯିବା ସହିତ ମହିଳାଙ୍କ ଉତ୍ପାଦକୁ ବିକ୍ରି ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଟ୍ରକ୍, ୨ ମୃତ

0

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଂ କୋକୋଳବ। ନିକଟରେ ଗତ ମଧ୍ୟ ରାତିରେ ଏକ ଟ୍ରକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଅଂଚଳରୁ ଏକ ପରିବା ବୋଝେଇ ଟ୍ରକ ତାରାସିଂ କୋକୋଲାବା ଦେଇ ଗଞ୍ଜାମ ଜିଲ୍ଲା ଅଂଚଳକୁ ପରିବା ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ଥିଲା ଏବଂ ଗାଡ଼ି ଡ୍ରାଇଭର ଓ ଗାଡ଼ିରେ ଥିବା ଆଉଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ତାରାସିଂ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଅନ୍ୟ ପଟେ ମୃତକଙ୍କ ପରିଚୟ ମିଳି ପାରିନହିଁ।

କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରୁ ଚୋରି । ପାର୍ଟି ଅଫିସ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି। କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ବାଇଁଙ୍କ ଏତଲା। କ୍ୟାପିଟାଲ ଥାନାରେ ଏତଲା ଦେଲେ ବୈଦ୍ୟନାଥ। ଫର୍ଣ୍ଣିଚର ସହ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି। ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ ହୋଇଛି।

ନଭେମ୍ବର ୨୪ରୁ ଶୀତ ଅଧିବେଶନ, ୨୧ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଶୀତ ଅଧିବେଶନ ପାଇଁ ଆସନ୍ତା ୨୧ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଲମ୍ବା ସମୟ ଧରି ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିବେ। ଏଥର ଅଧିବେଶନ କୋଭିଡ କଟକଣା ଭିତରେ ହେବ ନା ନିୟମର କିଛି ପରିବର୍ତ୍ତନ କରାଯିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ। ଦିନ ୧୧ଟା ୩୦ମିନିଟରେ ବିଧାନ ସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତା ରେ ବସିବାକୁ ଥିବା ଏହି ବୈଠକର ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସାମିଲ ହୋଇ ପାରନ୍ତି।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ୧୨ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ସୂଚନା ମୁତାବକ ଏହି ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ତେବେ କ୍ୟାବିନେଟ ବୈଠକ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ବସିବ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ।

ପଦମପୁର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ନାମାଙ୍କନ ପତ୍ର

ପଦମପୁର: ଆଜି ପଦମପୁର ଉପନିର୍ବାଚନ ପାଇଁ ଯାଞ୍ଚ ହେବ ନାମାଙ୍କନ ପତ୍ର । ଆସନ୍ତା ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ସୁଯୋଗ ରହିଛି । ସେପଟେ ଆଜିଠୁ ଉଠିବ ପଡିବ ଗାଁ । ପ୍ରଚାରରେ କମ୍ପିବ ପଦମପୁର । ବିଧିବଦ୍ଧ ଭାବେ ସମସ୍ତ ରାଜନୌତିକ ଦଳର ପ୍ରାର୍ଥୀ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଭୋଟରଙ୍କ ହୃଦୟ ଜିତିବାକୁ ସମସ୍ତ ପ୍ରୟାସ କରିବେ ପ୍ରାର୍ଥୀ । ପ୍ରଚାରରେ ସବୁଠାରୁ ଆଗରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମଧ୍ୟ ମିଳୁଛି ଅଧିକ ଜନସମର୍ଥନ । ଗତକାଲି ବିଜେଡି, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ମୋଟ ୧୩ ଜଣ କରିଥିଲେ ପ୍ରାର୍ଥିପତ୍ର ଦାଖଲ । ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ନାମାଙ୍କନ ଭରିଥିଲେ ।

ଉପକୂଳ ମୁହାଁ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପର ରୂପ ନେଲା ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି ଲଘୁଚାପ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୁତ ହୋଇ ଅବପାତର ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅବପାତରେ ପରିଣତ ହେବା ପରେ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ସକାଳ ସାଢେ ଆଠଟାରୁ ୨୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଘଡିଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବାକି ଓଡ଼ିଶାର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଶୀତ ବଢିବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ରାୟଗଡାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୧୪ ଡିଗ୍ରୀ ତଳେ ରହିଥିଲା । କୋରାପୁଟର ଶିମିଳିଗୁଡାରେ ସର୍ବନିମ୍ନ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି.ଉଦୟଗିରିରେ ୮.୨ ଡିଗ୍ରୀ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ, କୋରାପୁଟରେ ୧୦.୫ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ, ଭବାନୀପାଟଣାରେ ୧୨ଡିଗ୍ରୀ, ସୁନ୍ଦରଗଡର କିରେଇରେ ୧୨ ଡିଗ୍ରୀ, ସମ୍ବଲପୁରର ଚିପିଲିମାରେ ୧୩.୨ ଡିଗ୍ରୀ ଏବଂ ଝାରସୁଗୁଡାରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।