ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ପରୀକ୍ଷଣ

1 min read

ଧାମରା: ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ପରୀକ୍ଷା ହେଲା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-5 । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ସମୟରେ ଡ଼ିଆରଡ଼ିଓର ବୈଜ୍ଞାନିକ ମାନଙ୍କ ସହିତ ପ୍ରତିରକ୍ଷା ବିଭାଗର ସଚିବ ସମିର ଭି. କମାତ ଧାମରା ସ୍ଥିତ ଲଞ୍ଚପ୍ୟାଡ଼ରେ ଉପସ୍ଥିତ ଥିଲେ ।

ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟକରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ ।

ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ଓସାର 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ । ଏହି ପରୀକ୍ଷଣ ପରେ ଆକାଶରେ ଏକ ବିରାଟ ଆଲୁଅ ସଦୃଶ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଆଲୁଅକୁ ଦେଖି ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା । ମୟୂରଭଞ୍ଜର କରଂଜିଆ, ଭଦ୍ରକର ଧାମରା, ଆରଡ଼ି, ଚାନ୍ଦବାଲି, କେନ୍ଦୁଝର ଆନନ୍ଦପୁର, ଆକାଶରେ ସଂଧ୍ୟାରେ ୫ ମିନିଟ ଧରି ଅଗ୍ନି କ୍ଷେପଣାସ୍ତ୍ରର ଆଲୋକ ପିଣ୍ଡ ଦେଖିବାକୁ ମିଳିଥିଲା ।