ଆକାଶରେ ଗତିଶୀଳ ଆଲୋକକୁ ନେଇ ଓଡ଼ିଶାରେ ଭୟ…ଜାଣନ୍ତୁ ରହସ୍ୟ

1 min read

ଭୁବନେଶ୍ୱର: ଆଜି ସନ୍ଧ୍ୟା ସମୟରେ ପୂର୍ବ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଏଲିଆନର ଉଡ଼ନ୍ତା ଥାଳିଆ କହୁଥିବା ବେଳେ କିଛି ଏହାକୁ ଧୂମକେତୁ ଓ ଉଲକାପିଣ୍ଡ ବୋଲି କହିଛନ୍ତି । କେହି କେହି ତ ଏହାକୁ ସ୍ପେଶ୍ ଏକ୍ସର ଷ୍ଟାରଲିଙ୍କ ବୋଲି କହିଛନ୍ତି । ସନ୍ଧ୍ୟା ସମୟରେ ଏକ ଜ୍ୱାଳାମୁଖୀ କ୍ଷୀପ୍ର ଗତିରେ ଅଗ୍ରସର ହେବାର ନଜର ଆସିଥିଲା ।

ତେବେ ଯାହା ସୂଚନା ଆସୁଛି ଏହା ଅଗ୍ନି-୫ ବାଲିଷ୍ଟିକ ମିସାଇଲର ଦୃଶ୍ୟ । ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟରକଣ୍ଟିନେଣ୍ଟାଲ ଅଗ୍ନି-୫ ମିସାଇଲ ପରୀକ୍ଷଣ ହେବା ପରେ ଏହି ଦୃଶ୍ୟ ଦେଖାଯାଇଥିଲା । ଅଗ୍ନି-୫ ମିସାଇଲ ଉତକ୍ଷେପଣ ହେବା ପରେ ଟାର୍ଗେଟକୁ ହିଟ୍ କରିଥିଲା । ଏହି ଅଗ୍ନି-୫ ମିସାଇଲ ଓଡିଶା ଉପକୂଳରୁ ଉତକ୍ଷେପଣ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ଆକାଶରେ ଏହା ଦୃଶ୍ୟମାନ ହୋଇଥିଲା । ଯାହାକୁ ଦେଖି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଲୋକେ ଏହାକୁ ଭିନ୍ନ ଭିନ୍ନ ଜିନିଷ ସହ ଯୋଡ଼ିଥିଲେ ।

ତେବେ ଏହା ଅଗ୍ନି-୫ ମିସାଇଲ ଗତି କରିବା ସମୟର ଦୃଶ୍ୟ ବୋଲି ଜାଣିଥିବା ଲୋକ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ସନ୍ଧ୍ୟା ସମୟରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗ୍ନୀ-୫ କ୍ଷେପଣାସ୍ତ୍ରକୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା ୫୪୦୦ କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି ।

କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-୫ କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟକରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ । ଏଥିରେ ୧୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-୫ ମିସାଇଲର ଲମ୍ବ ସାଢେ ୧୭ ମିଟର, ଓସାର ୨ ମିଟର ଓ ଓଜନ ୫୦ ହଜାରରୁ ୫୬ ହଜାର କିଲୋଗ୍ରାମ । ଏହି ପରୀକ୍ଷଣ ପରେ ଆକାଶରେ ଏକ ବିରାଟ ଆଲୁଅ ସଦୃଶ ଦେଖିବାକୁ ମିଳିଥିଲା ।