ଜଗତସିଂହପୁର ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ, ୨୧୪ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଜଗତସିଂହପୁର: ଜଗତସିଂହପୁର ବିକାଶରେ ଲେଖା ହେଲା ନୂଆ ଅଧ୍ୟାୟ । ୨୧୪ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ଉଦଘାଟିତ ହୋଇଛି ୪ଟି ମିଶନ ଶକ୍ତି ଭବନ । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାର ଶୁଭାରମ୍ଭ ହୋଇଛି । ୪୩ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପରେ ବିଜୁ ବାବୁ ଓଡିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ ।

ଏହା ଏବେ ଦେଶର ଏକ ସମୃଦ୍ଧ ବନ୍ଦର ଓ ଆମ ଅର୍ଥନୀତିର ଜୀବନରେଖା । ଜିଲ୍ଲାରେ ମାଆ ଶାରଳା ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ପୀଠର ଉନ୍ନତି ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇଭ-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଜଗତସଂହପୁରର ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି ।

ଚତୁର୍ଥ ପର୍ଯ୍ୟାୟରେ ଅନ୍ୟ ସମସ୍ତ ସ୍କୁଲର ରୂପାନ୍ତରଣ କରାଯିବ । ମିଶନ ଶକ୍ତିର ମାଆ ମାନେ ବିକାଶର ସାରଥୀ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି । ଏହାଦ୍ବାରା ଆଠ ଲକ୍ଷ ଲୋକ ଉପକାର ପାଇଲେଣି । ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖି ରାଜ୍ୟ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।