spot_img
Home Blog Page 3833

ତୁର୍କିରେ ଭୂକମ୍ପ ଝଟକା; ଭୟରେ ବିଲ୍ଡିଂ ଉପରୁ ଡେଇଁଲେ ଲୋକେ

ଇସ୍ତାନବୁଲ: ତୁର୍କିରେ ଭୂକମ୍ପ ଝଟକା । ସକାଳୁ ଉତ୍ତରପଶ୍ଚିମ ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ ହୋଇଛି । ଇସ୍ତାନବୁଲଠାରୁ ପ୍ରାୟ ୧୭୦ କିଲୋମିଟର ପୂର୍ବରୁ ଏହି କମ୍ପନ ଅନୁଭୂତ ହୋଇଛି ।

ତେବେ ଭୂକମ୍ପ ଝଟକାରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ମୃତକଙ୍କ ସମ୍ପର୍କରେ ସୂଚନା ନାହିଁ ବୋଲି ଗୃହମନ୍ତ୍ରୀ ସୁଲେମାନ ସୋଏଲ ଟୁଇଟରରେ ପୋଷ୍ଟ କରିଛନ୍ତି । ଭୂମିକମ୍ପ ଭୟରେ ବିଲ୍ଡିଂ ଉପରୁ ଡେଇଁ ପଡ଼ିବା ଯୋଗୁ ୨୨ ଜଣ ଗୁରୁତର ହୋଇଛନ୍ତି । ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାରୁ ଲୋକମାନେ କମ୍ବଳ ଓ ଶୀତବସ୍ତ୍ର ପିନ୍ଧି ଦୀର୍ଘ ସମୟ ଧରି ଘର ବାହାରେ ବୁଲୁଥିବା ଦେଖାଯାଇଥିଲା ।

ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର

ପଦମପୁର: ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର । ମଇଦାନରେ ହେଭିଓ୍ବେଟଙ୍କ ରଣହୁଙ୍କାର । ଘର ଘର ବୁଲି ଲୋକଙ୍କ ଭରସା ଜିତିବାକୁ ୩ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପଦମପୁର ସମର୍ଥନ ଅଧିକ ଥିବା ଦେଖିବାକୁ ମିଳିଛି ।

ଗାଁ ଗାଁରେ ବର୍ଷାଙ୍କ ସମର୍ଥନରେ ବାହାରୁଛନ୍ତି ମାଆ ମାଉସୀ । ସଭାସ୍ଥଳୀକୁ ଆସି ଆଶୀର୍ବାଦ ଢାଳୁଛନ୍ତି ଲୋକମାନେ । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମାଆମାନେ। ସ୍ବାସ୍ଥ୍ୟରୁ ଶିକ୍ଷା ସବୁ କ୍ଷେତ୍ରରେ ସୁବିଧା ମିଳୁଛି । ଘରକୁ ଘର ବୁଲି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ବିଜେଡି କର୍ମୀ ଓ ନେତା। ସେହିପରି କଂଗ୍ରେସ ଓ ବିଜେପି ମଧ୍ୟ ସଭା ମାଧ୍ୟମରେ ଲୋକଙ୍କ ନିକଟରେ ପ୍ରତିଶ୍ରୁତି ରଖୁଛନ୍ତି । ଘର ଘର ବୁଲି ଭୋଟଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ ।

ଇସି ନିଯୁକ୍ତି ପ୍ରସଙ୍ଗ; କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ବା ସିଇସି ଓ ନିର୍ବାଚନ କମିଶନର ବା ଇସି ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଦାଲତ। ରାଜନୀତିରେ ନଥିବା ତଥା ସ୍ବଚ୍ଛ ବ୍ୟକ୍ତିବିଶେଷଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବା ସହ ସ୍ବଚ୍ଛତା ଓ ନିରପେକ୍ଷତା ଭିତ୍ତିରେ ବ୍ୟକ୍ତି ବିଶେଷଙ୍କୁ ଅଭିଷିକ୍ତ କରିବା ଲାଗି ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ।

କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ସିଇସି ଓ ଇସି ପଦରେ ବାରମ୍ବାର ନିଯୁକ୍ତି କରାଯାଉଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ଏହି ପଦବୀରେ ନିଯୁକ୍ତି କଲେ ସ୍ୱାଧୀନ ତଥା ନିରପେକ୍ଷ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତିବନ୍ଧକ ହେବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ କେ.ଏମ. ଯୋଶେଫ, ଅଜୟ ରାସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ, ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ବିଭିନ୍ନ ବାହ୍ୟଚାପରୁ ମୁକ୍ତ ରଖିବା ପ୍ରସଙ୍ଗରେ ଆଗତ କେତେକ ପିଟିସନର ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ।

ସିଇସି ଓ ଇସି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଆଣିବା ଲାଗି ସମ୍ବିଧାନର ଧାର 324(2)ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସମ୍ବିଧାନର ଏହି ବ୍ୟବସ୍ଥାକୁ ଜାଣିଶୁଣି ନିଜ ସ୍ବାର୍ଥ ସପକ୍ଷରେ ବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି । ଟିଏନ ଶେଷାନଙ୍କ ପରଠାରୁ ଦେଶରେ ସିଇସିମାନଙ୍କୁ ଖୁବ୍ କମ ସମୟ ଲାଗି ନିଯୁକ୍ତି କରାଯାଉଛି ଯାହା କି ଉଦବେଗଜନକ। ଫଳରେ ନିର୍ବାଚନ କମିଶନଙ୍କ ଦୃଷ୍ଟିଭଙ୍ଗୀ ସଠିକ୍ ପ୍ରତିଫଳିତ ହୋଇପାରୁ ନଥିବା ସହ ଏହାର ସ୍ବାଧୀନତା କ୍ଷୁଣ୍ଣ ହେଉଛି ।

ଇସି ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ରକ୍ଷା କରାଯାଉଛି ବୋଲି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣୀ କହିଥିଲେ ମଧ୍ୟ କୋର୍ଟ ସନ୍ତୁଷ୍ଟ ହୋଇ ନାହାନ୍ତି। ସମ୍ବିଧାନ ପ୍ରତିଷ୍ଠାର ପ୍ରାୟ ୭୦ ବର୍ଷ ପରେ ବି ଇସି ଚୟନ ସଂକ୍ରାନ୍ତ ଆଇନ କାହିଁକି ଆସିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁ ଦଳ କ୍ଷମତାକୁ ଆସୁଛି ସେହି ଦଳ କ୍ଷମତା ଧରି ରଖିବାକୁ ସର୍ବଦା ଚାହୁଁଛି ଏବଂ ନିଜ ଇଚ୍ଛାନୁସାରେ ଯେ କେହି ବ୍ୟକ୍ତିଙ୍କୁ ଇସିଆଇ ଓ ଇସି ପଦବୀରେ ଅବସ୍ଥାପିତ କରାଯାଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କଣ୍ଟାବାଞ୍ଜି ଷ୍ଟେସନରୁ ୨୫ରୁ ଅଧିକ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୨୫ରୁ ଅଧିକ ଶ୍ରମିକ ଉଦ୍ଧାର। ଉଦ୍ଧାର ଶ୍ରମିକ ମାନେ ହେଲେ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର । ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ  ୧୧ ଜଣ ମହିଳା ଓ ୬ଜଣ ଶିଶୁ ରହିଛନ୍ତି ।  ବେଆଇନ ଭାବେ ତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବଙ୍ଗୋମୁଣ୍ଡା ପୋଲିସ ବଙ୍ଗୋମୁଣ୍ଡା ଗୋଲେଇ ଛକ ନିକଟରୁ ଉଦ୍ଧାର କରିଛି।

୩ଟି ଚାରି ଚକିଆ ଗାଡି ସହ ଦାଦନ ସର୍ଦାରକୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଶ୍ରମିକ ମାନେ ୩ଟି ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିଲେ।  କଣ୍ଟାବାଞ୍ଜି ପହଂଚିବା ପରେ ସେମାନେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଯାଇଥାନ୍ତେ ।

ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗୋଲେଇ ଛକରେ ଗାଡି ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ିରେ ଶ୍ରମିକ ଥିବା ଦେଖି ସମସ୍ତଙ୍କୁ ଥାନାକୁ ନେଇଥିଲା । କାଗଜପତ୍ର ଯାଞ୍ଚ ପରେ ଶ୍ରମିକ ମାନଙ୍କୁ ତାଙ୍କ ଘରେ ଛାଡି ଦିଆଯିବ ବୋଲି ଜଣାପଡ଼ିଛି ।

ଯୋରନ୍ଦା ମହିମା ଗାଦିରେ ମନ୍ଦିର ଭାଙ୍ଗିବା ଘଟଣା; ଜାରି ରହିଛି ୧୪୪ ଧାରା

ଯୋରନ୍ଦା: ଯୋରନ୍ଦା ମହିମା ଗାଦିରେ ମନ୍ଦିର ଭାଙ୍ଗିବା ଘଟଣା। ଉକ୍ତ ଅଞ୍ଚଳରେ ଜାରି ରହିଛି ୧୪୪ ଧାରା । ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ପରିବେଶ ସୃଷ୍ଟି ହେବାର ଲକ୍ଷ୍ୟ ରଖି ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ଯୋରନ୍ଦା ମହିମା ଗାଦିରେ ଥିବା କୌପିନୀ ସମାଜର ସମସ୍ତ ମନ୍ଦିର ଭାଙ୍ଗାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇ ବତି ମନ୍ଦିର, ଧୂନୀ ମନ୍ଦିର, ଭେକ ମନ୍ଦିର ଓ ବାବାଙ୍କ ଟୁଙ୍ଗିଘର ଭାଙ୍ଗିଥିଲା ପ୍ରଶାସନ।

୧୯୪୩ ମସିହାରୁ ବକଳଧାରୀ ଓ କୌପିନୀଧାରୀଙ୍କ ଭିତରେ ଲାଗି ରହିଥିଲା ବିବାଦ। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ସାମ୍ନାରେ କୌପିନୀ ସମାଜର ୨୮ ଡେସିମିଲ ଜାଗାରେ ମନ୍ଦିର ଓ ଟୁଙ୍ଗିଘର ରହିଥିଲା । ସେଗୁଡ଼ିକୁ ହଟାଯିବା ଲାଗି ବକଳଧାରୀ ବାବାମାନେ କୋର୍ଟରେ ଆଶ୍ରୟ ନେଇଥିଲେ । ତଳ କୋର୍ଟରୁ ଏହି ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା ।

ସମସ୍ତ ଅଭିଯୋଗ, ଦସ୍ତାବିଜ ତଥା ପ୍ରମାଣକୁ ଭିତ୍ତି କରି ବକଳ ସମାଜ ସପକ୍ଷରେ ରାୟ ଦେଇଥିଲେ ହାଇକୋର୍ଟ । ଏହାପରେ ସମସ୍ତ ମନ୍ଦିର ଓ ଘର ଭଙ୍ଗାଯାଇଛି । ସେପଟେ କିଛି ବ୍ୟବସ୍ଥା କରାନଯାଇ ଏପରି ଭଙ୍ଗାଯିବା ଘଟଣା ନିହାତି ଅମାନବୀୟ ବୋଲି କହିଛନ୍ତି କୌପିନୀ ସମାଜ ସାଧୁ । ପୁନଃ ମନ୍ଦିର ନିର୍ମାଣ ପାଇଁ ଜାଗା ଦିଆଯାଉ ଏବଂ ଏହାକୁ ନେଇ ସେମାନେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ସେମାନଙ୍କ ଓକିଲ କହିଛନ୍ତି ।

କାଲିଠୁ ଶୀତକାଳୀନ ଅଧିବେଶନ, ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା

ଭୁବନେଶ୍ୱର: ଆସନ୍ତାକାଲିଠୁ ଶୀତକାଳୀନ ବିଧାନସଭା ଅଧିବେଶନ। ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ ଡିଜି । ଭୁବନେଶ୍ବର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେହିପରି ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ । ୫ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଆଇଆଇସି, ୬୨ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ। ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ପାଞ୍ଚଟି କଣ୍ଟ୍ରୋଲ ରୁମ ରହିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟେକନିକାଲ ଟିମ, ଆର୍ମଡ୍ ପୋଲିସ, ରୁପ୍ ଟଫ ସିକ୍ୟୁରିଟି, ସାଧା ପୋଷାକ ଧାରି ପୋଲିସ ମୁତୟନ ହେବେ ବୋଲି ଜଣାପଡିଛି ।

ଆସନ୍ତାକାଲିଠୁ ରାଜ୍ୟରେ ପୁଣି କମିବ ତାପମାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ପୁଣି କମିବ ତାପମାତ୍ରା। ଅନେକ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଛି।

ଏହାଦ୍ବାରା ପୂର୍ବ ତୁଳନାରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହୋଇଛି । ଆଜି ଅବପାତ ଦୁର୍ବଳ ହେବା ପରେ ରାଜ୍ୟକୁ ପୁଣି ଥରେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ । ଏହି ବାୟୁ ଶକ୍ତିଶାଳୀ ହେବା ଦ୍ୱାରା ରାଜ୍ୟରେ ତାପମାତ୍ରା ହ୍ରାସ ହେବ ଓ ପୁଣି ଶୀତର ପ୍ରକୋପ ବଢ଼ିବ। ଆଜିଠୁ ପାଗରେ ପରିବର୍ତ୍ତନ ଆସିବା ସହିତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ମଧ୍ୟପ୍ରଦେଶରେ ପହଞ୍ଚିଲା ଭାରତ ଯୋଡୋ ଯାତ୍ରା, ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀ

ଭୋପାଳ: ମଧ୍ୟପ୍ରଦେଶରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ବୁରହାନପୁର ଦେଇ ମଧ୍ୟପ୍ରଦେଶକୁ ପ୍ରବେଶ କରିଛି ଭାରତ ଯୋଡୋ ଯାତ୍ରା। ଏହି ନିର୍ବାଚନ ମଣ୍ଡଳୀ ବିଜେପି ଅଧିନରେ ଥିବା ବେଳେ ହଜାର ହଜାର ଲୋକ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି। ପୂରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ପତିଆରା ଜାହିର କରିଛି।

ମଧ୍ୟପ୍ରଦେଶରେ ଭାରତ ଯୋଡୋ ଯାତ୍ରାରେ ପ୍ରୀୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଭାଙ୍ଗି ବିଜେପି ସରକାର ଗଢିଥିବା ବେଳେ ରାଜ୍ୟରେ ଭାରତ ଯୋଡୋ ମାଧ୍ୟମରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତି କରିଛି କଂଗ୍ରେସ । ଆସନ୍ତା ୩୦ରେ ରାହୁଲ ଗାନ୍ଧୀ ମହାକାଳ ଦର୍ଶନ କରି ଅନ୍ୟ ରାଜ୍ୟ ମୁହାଁ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଭାରତୀୟ ସେନାର ମିଶନ କାଶ୍ମୀର, ନିର୍ଦ୍ଦେଶ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଯେକୌଣସି ମୁହୁର୍ତ୍ତରେ ପିଓକେ ବା ପାକିସ୍ତାନ ଅଧିକୃତ କାଶ୍ମୀରକୁ କବଜା କରିବ ଭାରତୀୟ ସେନା । ସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବାବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ  । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ସେନାର ଉତ୍ତର କମାଣ୍ଡରେ ଅବସ୍ଥିତ ଲେଫ୍ଟନେଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିୱେଦି ।

ଭାରତୀୟ ସେନା କେବେ ବି ଅସ୍ତ୍ରବିରତି ନିୟମ ଉଲଘଂନ କରିନଥିବା ବେଳେ ପାକିସ୍ତାନ ବାରମ୍ବାର ନିୟମ ଉଲଘଂନ କରିଛି। ଯାହାର ଜବାବ ଭାରତୀୟ ସେନା ଜୋରଦାର ଦେବ ବୋଲି ଉପେନ୍ଦ୍ର ଦିଓ୍ବେଦି କହିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢୁଥିବା ବେଳେ ଭାରତୀୟ ସେନା ପ୍ରସ୍ତୁତ ହେଉଛି । ନିର୍ଦ୍ଦୋଷ କାଶ୍ମୀରୀଙ୍କ ଉପରେ ଅତ୍ୟାଚାର ସୀମା ଟପୁଥିବା ବେଳେ ଏହାର କଡା ଜବାବ ଦିଆଯିବ। ଭାରତୀୟ ସେନାର ଏଭଳି ଜବାବ ପରେ କାଶ୍ମୀରରେ ଏକ ପ୍ରକାର ହାଇଆଲର୍ଟ ଜାରି କରାଯାଇଛି ।

ଆଜିଠୁ ଆରମ୍ଭ ଦଶମ ସମ୍ମେଟିଭ-୧, ପରୀକ୍ଷା ଦେବେ ୫ ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଦଶମ ସମ୍ମେଟିଭ-୧ ପରୀକ୍ଷା। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଆଜି ଇଂରାଜୀ ପରୀକ୍ଷା ରହିଛି । ୨୫ରେ ଗଣିତ ଓ ୨୬ ତାରିଖରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ସେହିପରି ୨୭ ତାରିଖରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା କରାଯିବ । ଚଳିତଥର ପରୀକ୍ଷା ପାଇଁ ମୋଟ ୩ ହାଜର୨୯ଟି ସେଣ୍ଟର କରାଯାଇଛି । ୩୧୬ ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିଛି । ମାଓ ପ୍ରବଣ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ଥାନାରେ ନୋଡ଼ାଲ ସେଣ୍ଟର କରାଯାଇଛି। ଚଳିତଥର ୫ ଲକ୍ଷ ୪୦ ହଜାରରୁ ଅଧିକ ପିଲାମାନେ ପରୀକ୍ଷା ଦେବାକୁ ଯାଉଛନ୍ତି । ପରୀକ୍ଷା କେନ୍ଦ୍ର ଭିତରକୁ କେବଳ କଲମ ଓ ଆଡମିଟ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ ।