କରୋନା ସଂକ୍ରମଣକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ଚୀନ୍ ଓ ଜାପାନ ଭଳି ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢିବା ପରେ ଚିନ୍ତାରେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଦେଶରେ ଥିବା କରୋନା ସ୍ଥିତି ସମୀକ୍ଷା କରିବେ । ଏଥିସହ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଜିନମ ସିକୁଏନ୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

ଚୀନରେ ବିସ୍ଫୋରକ ରୂପ ଧାରଣ କରିଛି କରୋନା । ଦୁଇ ବର୍ଷ ପରେ ପୁଣି ଉପରମୁହାଁ ହୋଇଛି ସଂକ୍ରମଣ । କଟକଣା ହଟିବା ପରେ ମାଡି ମାଡି ଚାଲିଛି ସଂକ୍ରମଣ ଗ୍ରାଫ୍ । ରେକର୍ଡ ଛୁଇଁଛି ମୃତ୍ୟୁସଂଖ୍ୟା । ହସ୍ପିଟାଲରେ ବେଡ୍ ମିଳୁ ନଥିବା ବେଳେ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି ଆକ୍ରାନ୍ତ । ଯିଏ ମରୁଛି ତାକୁ ମରିବାକୁ ଦିଅ ନ୍ୟାୟରେ ଚୀନ ସରକାର କାର୍ଯ୍ୟ କରୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି ।