ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି; ’ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା । ସଭିଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାଣି ।  ଗୋପାଳପୁରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାର ହେଲା ଶୁଭାରମ୍ଭ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ୧୯ ଟି ସହରରେ ଏହି ସେବା ଉପଲବ୍ଧ ହୋଇଛି । ଏହାଦ୍ବାରା ପ୍ରାୟ ୫.୫ ଲକ୍ଷ ଲୋକ ଉପକୃତ ହେବେ । ରାଜ୍ୟର ଏହି ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହୋଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଯୋଜନାର କାର୍ଯ୍ୟାରମ୍ଭ କରାଯିବ ।

ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିସାରିଛି । ଏବେ ୧୯ଟି ସହର ଯୋଡ଼ି ହେବା ସହିତ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ଆନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇବେ ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ମିଳିବ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ। ପୁରୀ ପରେ ଗୋପାଳପୁର ସହରରେ ଆଜିଠାରୁ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇଛି। ଏଥିସହ ହିଞ୍ଜିଳିକାଟୁ,ଜଟଣୀ ସହରରେ ଆଜିଠାରୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ ହୋଇଥିବା ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି ।