ଗୋପାଳପୁରରେ ୨୪ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ଯୋଜନାର ହେବ ଶୁଭାରମ୍ଭ

ଗଞ୍ଜାମ : ପୁରୀ ପରେ ଗୋପାଳପୁରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାର ହେବ ଶୁଭାରମ୍ଭ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ୧୯ ଟି ସହରରେ ଏହି ସେବା ଉପଲବ୍ଧ ହେବ । ଏହାଦ୍ବାରା ପ୍ରାୟ ୫.୫ ଲକ୍ଷ ଲୋକ ଉପକୃତ ହେବେ ।

ରାଜ୍ୟର ଏହି ୧୯ଟି ସହରାଞ୍ଚଳର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ ହେବାକୁ ଥିବା ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଏବଂ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଏହି ଯୋଜନାର କାର୍ଯ୍ୟାରମ୍ଭ କରାଯିବ । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୪ଟି ସହରରୁ ୮୫ଟି ସହରରେ ଶତ ପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରିସାରିଛି । ଏବେ ୧୯ଟି ସହର ଯୋଡ଼ି ହେବା ସହିତ ଅନ୍ୟ ୩ଟି ସହରରେ କାର୍ଯ୍ୟାରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ଆନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ସେହିପରି ରାଉରକେଲା ସହରରେ ମଧ୍ୟ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ରାଉରକେଲା ସହରର ୱାର୍ଡ ନମ୍ଵର ୧, ୨, ୩ ଓ ୩୬ ରେ ବସବାସ କରୁଥିବା ୨୦ ହଜାର ଜନସାଧାରଣ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇବେ ।