ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ, ୩୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଗଜପତି : ଭିଜିଲାନ୍ସ ପଞ୍ଝାରେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ । କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ବିଲ୍ କରିବା ପାଇଁ ଠିକାଦାରଙ୍କ ଠାରୁ ୩୦ ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କାଶୀନଗର ଏନଏସିର ଏକ ରାସ୍ତା ସହ କେନାଲ ନିର୍ମାଣ କାର୍ଯ୍ୟର ବିଲ୍ କରିବା ପାଇଁ ନେଉଥିଲେ ଲାଞ୍ଚ । ସୂଚନା ପାଇବା ପରେ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ତତ୍ବାବଧାନରେ ଭିଜିଲାନ୍ସର ଏକ ଟିମ ଯନ୍ତ୍ରୀଙ୍କ ବାସଭବନ ନିକଟରେ ଛକି ବସିଥିଲା ।

କାଶୀନଗର ଏନ୍ ଏ ସି ଅନ୍ତର୍ଗତ ପିଡବ୍ଳୁଡି ରୋଡ଼ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ବିଜୁ କଲ୍ୟାଣ ମଣ୍ଡପ ଠାରୁ ମେଡିକାଲ ଓ୍ବେର ହାଉସ ପର୍ଯ୍ୟନ୍ତ ୨୦ ଲକ୍ଷ ଲେଖାଏଁ ମୋଟ ୪୦ ଲକ୍ଷ ବ୍ୟୟ ଅଟକଳରେ ରାସ୍ତା ସହ କେନାଲ ନିର୍ମାଣ କାର୍ଯ୍ୟର ଦାୟିତ୍ଵ ନେଇଥିଲେ କୋରିକାନା ନାମକ ଜଣେ ଠିକାଦାର ।

ଉଭୟ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ମଧ୍ୟବର୍ତ୍ତୀ ରନିଂ ବିଲ୍ କରିବା ବାବଦକୁ ଲାଞ୍ଚ ମାଗିଥିଲେ ଯନ୍ତ୍ରୀ । ଲାଞ୍ଚ ନ ଦେଲେ ଫାଇନାଲ ବିଲ୍ କରିବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ଅଭିଯୋଗ କରିଥିଲେ ଠିକାଦାର । ତେବେ ଆଜି ଲାଞ୍ଚ ନେବା ବେଳେ ଧରାପଡିଥିଲେ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ।