ଓଡ଼ିଶା: ପଦମପୁର ନିର୍ବାଚନ ମଣ୍ଡଳୀର ପାଇକମାଳ ଜାମସେଠରେ ଆଜି ଆରମ୍ଭ ହୋଇଛି ଆଶୀର୍ବାଦ ମହିଳା ସମାବେଶ । ବର୍ଷା ସିଂ ବରିହାଙ୍କୁ ଅଂଚଳବାସୀ ଆର୍ଶୀବାଦର ବର୍ଷା କରନ୍ତୁ ବୋଲି ମଇଦାନକୁ ଓହ୍ଲାଛନ୍ତି ହେବିୱେଟ୍ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠଙ୍କ ସହ ହଜାର ହଜାର ସଂଖ୍ୟକ ମହିଳା ଯୋଗଦେଇଛନ୍ତି ।
କେନ୍ଦ୍ରର ଚାଷୀ ମାରଣନୀତି ପ୍ରତିବାଦରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର: ବିଧାନସଭାରେ ଚାଷୀ ପ୍ରସଙ୍ଗ ଆଲୋଚନା କରାଇ ଦେଲେନି ବିରୋଧୀ। ଏହାର ପ୍ରତିବାଦ କରିଛି ବିଜେଡି। ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେବା ସହିତ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲିଚାଲି ଯାଇ ରାଜ୍ୟପାଳଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରିଛି ବିଜେଡି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିର ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବା ସହିତ ବିଜେପିକୁ ନିନ୍ଦା କରିଥିଲେ । ଓଡ଼ିଶା ଚାଷୀଙ୍କ ବୀମା ଟଙ୍କା ହଡ଼ପର ଜୋରଦାର ପ୍ରତିବାଦ କରାଯାଇଛି।
‘ଇଡି ଓ ସିବିଆଇର ନିୟନ୍ତ୍ରଣ ଆପ୍ ହାତକୁ ଆସିଲେ ଜେଲରେ ଯିବେ ବିଜେପିର ଅଧାରୁ ଅଧିକ ବିଧାୟକ’
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗଲ । ଏମସିଡି ନିର୍ବାଚନ ପୂର୍ବରୁ ବଢୁଛି ରାଜନୀତି ପାରା । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଇଡି ଓ ସିବିଆଇର ଦୁରୁପୋଯୋଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କେଜରିଓ୍ବାଲ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ନିୟନ୍ତ୍ରଣ ଗୋଟିଏ ଦିନ ପାଇଁ ଆପ୍ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ବିଧାୟକ ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି।
ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଆମ ଆଦମୀ ପାର୍ଟି ନେତାଙ୍କୁ ଲଗାତାର ଟାର୍ଗେଟ କରାଯାଉଛି । ଦିଲ୍ଲୀରେ ଆପ୍ ସରକାର ଆସିବା ପରେ ବିଜେପି ଅନେକ ଅଭିଯୋଗ ଆଣିଛି। ୭ବର୍ଷ ହେଲା କେନ୍ଦ୍ରୀୟ ଏଜେନ୍ସିର ୮ଶହରୁ ଅଧିକ ଅଫିସର ଦୁର୍ନୀତିର ପ୍ରମାଣ ଖୋଜିବାରେ ଲାଗିଛନ୍ତି। ହେଲେ ଗୋଟିଏ ବି କେସ୍ କୋର୍ଟରେ ପ୍ରମାଣିତ ହୋଇପାରିନି । ଆମ ଆଦମୀ ପାର୍ଟି ବିଧାୟକଙ୍କ ନାଁରେ ୧୬୭ କେସ୍ ରୁଜୁ ହୋଇଛି । ମଦ ଦୁର୍ନୀତି ମାମଲାରେ ମନିଷ ସିସୋଦିଆଙ୍କ ଘର ଓ ବ୍ୟାଙ୍କ ଲକର ବି ଯାଞ୍ଚ କରାଯାଇଛି । ହେଲେ ଟଙ୍କାଟିଏର ଦୁର୍ନୀତି ନେଇ ପ୍ରମାଣ ମିଳିପାରିନି।
ଗୋଟିଏ ଦିନ ଇଡି, ସିବିଆଇ ନିୟନ୍ତ୍ରଣ ଆମ ହାତକୁ ଆସିଲେ ବିଜେପିର ଅଧାରୁ ଅଧିକ ନେତା ଜେଲରେ ପଶିବେ ବୋଲି କେଜରିଓ୍ବାଲ କହିଛନ୍ତି । ସେହିପରି ଏମସିଡି ୧୫ ବର୍ଷ ଧରି ବିଜେପି ହାତରେ ରହିଛି। ମାତ୍ର ବିଜେପି ବିକାଶ ବଦଳରେ କେବଳ ଆମ ଆଦମୀ ପାର୍ଟିକୁ ଗାଳି ଦେଇଛି ବୋଲି କେଜରିଓ୍ବାଲ କହିଛନ୍ତି । ବ୍ୟବସାୟୀଙ୍କଠାରୁ ପାର୍କିଂ ଚାର୍ଜ ନାଁରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି। ଏମସିଡି କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମିଳୁନି। ଦିଲ୍ଲୀ ଚାରିପଟେ ଅଳିଆ ଗଦା କରି ରଖାଯାଇଛି । ଆପ୍ ହାତକୁ ଏମସିଡି ଆସିଲେ ଦିଲ୍ଲୀକୁ ସୁନ୍ଦର କରିଗଢ଼ିବୁ ବୋଲି କେଜରିଓ୍ବାଲ କହିଛନ୍ତି।
ସିଇଓ ଅଫିସରେ ବିଜେଡି ଟିମ୍, ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି
ଭୁବନେଶ୍ୱର: ହାରିବା ଭୟରେ ବିଜେପି କରୁଛି ହିଂସା। ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି। ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିର ଦୁଇଜଣ ତାରକା ପ୍ରଚାରକ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏବେ ବେଲ୍ରେ ଅଛନ୍ତି। ଏଥରକ ବି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ସେ ଦୁଇଜଣ ଷ୍ଟାର ପ୍ରଚାରକ ଯୋଜନା କରୁଛନ୍ତି।

ତେଣୁ ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଛି ବିଜେଡି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଅତିରିକ୍ତ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେଡି ଟିମ୍।
ରାଜ୍ୟ ବାହାରକୁ ଚାଲାଣ ବେଳେ ୪୪ ଜଣ ଶ୍ରମିକ ଉଦ୍ଧାର
ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ ବଲାଙ୍ଗିର ସହର କଚେରୀ ଛକରୁ ଉଦ୍ଧାର ହୋଇଛନ୍ତି ୪୪ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ମହିଳା ଓ ପୁରୁଷ ଓ ୧୪ଶିଶୁ ରହିଛନ୍ତି । ଉଦ୍ଧାର ଶ୍ରମିକମାନେ ବେଳପଡା ଥାନା ରେଙ୍ଗାଲି, ଘଗରା ଓ ବୁଢ଼ାଭଟା ଗାଁର ହୋଇଥିବା ସୂଚନା ମିଳିଛି।
ହାଇଦ୍ରାବାଦ ଇଟା ଭାଟିରେ କାମ କରିବାକୁ ସେମାନେ ଯାଇଥାନ୍ତେ। ବେଲପଡ଼ାରୁ ବସରେ ବଲାଙ୍ଗିର ଆସୁଥିବା ବେଳେ ସକାଳ ୭ଟାରେ କଚେରୀ ଛକରେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଟାଉନ ପୋଲିସ । ଏହି ଶ୍ରମିକମାନେ ବଲାଙ୍ଗୀର ରେଳ ଷ୍ଟେସନରୁ ସକାଳ ୮.୩୦ରେ ନାଗାବଳୀ ଟ୍ରେନରେ ଯାଇଥାନ୍ତେ ହାଇଦ୍ରାବାଦ। ସର୍ଦ୍ଦାର ଟେଟକା ଦୀପ ପ୍ରତି ଶ୍ରମିକଙ୍କୁ ଜଣକ ପିଛା ୪୦ ହଜାର ଟଙ୍କା ଲେଖାଏଁ ଦେଇଥିବା ସୂଚନା ମିଳିଛି।
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି
ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ, ଗୃହ ଦୁଇଥରରେ ଅପରାହ୍ନ ୪ଟା ଯାଏ ମୁଲତବୀ । ଚାଲି ପାରିଲାନି ପ୍ରଶ୍ନକାଳ । ଚାଷୀ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇପାରିଲାନି ଆଲୋଚନା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ଦେବା ସହ ଗୃହକାର୍ଯ୍ୟ କରାଇ ଦେଇ ନଥିଲେ।
ଶାନ୍ତିଶୃଙ୍ଖଳାରେ ଗୃହ ଚଳାଇବା ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣିନଥିଲେ ବିରୋଧୀ । ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟାଏ ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି । ପରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବାଚସ୍ପଚି ଗ଼ହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ଧାରଣା ଦେଲା ବିଜେଡି
ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟରେ ଗୃହରେ ଚାଷୀ ପ୍ରସଙ୍ଗ ଆଲୋଚନା କରାଇଦେଲେନି ବିରୋଧୀ। ଏହାର ବିରୋଧ ସହିତ କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ବିରୋଧରେ ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି।
ବିଧାନସଭା ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସଦସ୍ୟମାନେ ଧାରଣା ଦେବା ସହିତ ବିଜେପିର କୁମ୍ଭୀର କାନ୍ଦଣାକୁ ନିନ୍ଦା କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରିଛନ୍ତି ବିଜେଡି ସଦସ୍ୟ। ଓଡ଼ିଶା ଚାଷୀଙ୍କ ବୀମା ଟଙ୍କା ହଡ଼ପର ଜୋରଦାର ପ୍ରତିବାଦ କରାଯାଇଛି।
ଅଭିଭାବକଙ୍କ ଆଖିବୁଜା ମାଡ଼ରେ ଘାଇଲା ରସିକିଆ ଶିକ୍ଷକ, ଛାତ୍ରୀଙ୍କୁ କରୁଥିଲେ ଅଶାଳୀନ ବ୍ୟବହାର
ଗୁଆହାଟୀ: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର । ବୟସ୍କ ଶିକ୍ଷକଙ୍କୁ ଖୋଦ୍ ସ୍କୁଲ ଭିତରେ ମାଡ଼ ମାରିଲେ ଅଭିଭାବକ । ଲୋକଙ୍କ ଆଖିବୁଜା ମାଡରେ ଘାଇଲା ହୋଇଛନ୍ତି ରସିକିଆ ଶିକ୍ଷକ । ଆସାମ ଚିରାଙ୍ଗସ୍ଥିତ ଏକ ସ୍କୁଲରେ ଜଣେ ଶିକ୍ଷକ ଜଣେ ୭ ବର୍ଷର ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଭିଭାବକମାନେ ଉତ୍ତେଜିତ ହୋଇ ସ୍କୁଲ ଭିତରେ ପ୍ରବେଶ କରି ଶିକ୍ଷକଙ୍କୁ ପିଟିଥିଲେ । ପିଲାମାନେ ଏହା ଦେଖି ଦୌଡ଼ାଦୌଡ଼ି କରିଥିଲେ । ଶିକ୍ଷକ ଯେତେ କାକୁତିମିନତି କରିଥିଲେ ବି ଲୋକେ ଶୁଣି ନଥିଲେ । ଶିକ୍ଷକଙ୍କୁ ଲୋକେ ମୁଥ ମାରିବା ସହ ଚପଲରେ ପିଟିବା ଦେଖାଯାଇଥିଲା ।
ଟିଏମସି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା
କୋଲକାତା: ପଶ୍ଚିମବଙ୍ଗରେ ଟିଏମସି ନେତା ମୋଟିରୁଲ ଶେକଙ୍କ ଉପରକୁ ଗୁଳିମାଡ଼। ମୁର୍ସିଦାବାଦ ୬ରୁ ୭ ରାଉଣ୍ଡ ଗୁଳି ସହ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଟିଏମସି ନେତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରଚାର। ଆଇନଶୃଙ୍ଖଳା ସ୍ଥିତିକୁ ଅଧିକ ଜଟିଳ କରିଛି ଗୁଳି ଓ ବୋମାମାଡ଼। ବିଜେପି ଏପରି କାଣ୍ଡ ଭିଆଇଛି ବୋଲି ଟିଏମସି ଅଭିଯୋଗ କରିଛି। ବିଶାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମହଙ୍ଗା ପଡିଲା ମାଡ଼ ମାରିବା, ବଦଳିଲେ ସୁନ୍ଦରଗଡ଼଼ ହାତୀବାରି ଥାନା ଏଏସଆଇ
ସୁନ୍ଦରଗଡ଼଼: ମହଙ୍ଗା ପଡିଲା ମାଡ ମାରିବା । ସୁନ୍ଦରଗଡ଼଼ ହାତୀବାରି ଥାନା ଏଏସଆଇ ସୁଶାନ୍ତ ପାତ୍ରଙ୍କୁ ବଦଳି କରିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି । ଏନେଇ ସୂଚନା ଦେଇଛନ୍ତି ବୀରମିତ୍ରପୁର ଏସଡିପିଓ । ସୁନ୍ଦରଗଡ଼ ଜିଲ୍ଲା ହାତିଵାରୀ ଥାନାରେ ଜଣେ ଯୁବକଙ୍କୁ ମାଡ ମରାଯିଵା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ହାତୀବାରି ଅଞ୍ଚଳର ଆଦିତ୍ୟ ମିଶ୍ରଙ୍କୁ ପୋଲିସ ଏଏସଆଇ ସୁଶାନ୍ତ ପାତ୍ର ମାଡ ମାରିବା ନେଇ ଅଭିଯୋଗ ହୋଇଥିଲା । ଗତ ୧୮ ତାରିଖ ରାତିରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ସାଧା ପୋଷାକରେ ଥିବା ଏଏସଆଇ ଶୁଶାନ୍ତ ପାତ୍ରଙ୍କୁ ଆଦିତ୍ୟ ମିଶ୍ର ଧକ୍କା ମାରିଥିଲେ।ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ଏଏସଆଇ ସୁଶାନ୍ତ ପାତ୍ର ଆଦିତ୍ୟ ମିଶ୍ରଙ୍କୁ ଥାନାକୁ ନେଇ ମାଡ ମାରିଵା ସହ ନିର୍ଯାତନା ଦେଇଥିବା ଆଦିତ୍ୟ ମିଶ୍ର ଅଭିଯୋଗ କରିଥିଲେ ।

