ସତର୍କ ହେଲାଣି ଦେଶ, ସବୁ ରାଜ୍ୟ ସହ ଆଲୋଚନା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଏଥିପାଇଁ ସତର୍କ ହେଲାଣି ଦେଶ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏବେ ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି କଣ ଅଛି, ତାହା ବୁଝିବେ ।

ଏହା ସହ କରୋନା ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହେବ । ଅପରାହ୍ନ ୩ଟାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଠକ ଅନୁଷ୍ଠିତ ହେବ । ଗତକାଲି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ବୈଠକ କରିଥିଲେ । ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ।

ଏଥିସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟ ସରକାରଙ୍କୁ ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଥିଲେ । ଅନ୍ୟପଟେ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ମଧ୍ୟ ଅଣାଯାଇଛି ।