spot_img
Home Blog Page 3825

ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ପ୍ରମୁଖ IT କମ୍ପାନୀ ଡେଲୟଟ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଡେଲୟଟ କାର୍ଯ୍ୟାଳୟ । ବିଏମସିର ନୂଆ କାର୍ଯ୍ୟାଳୟ ପାଇଁ ବିଏମସି ଟାଓ୍ୱାର ବି ପ୍ରସ୍ତୁତ । ସେପଟେ ଫିଫା ଅଣ୍ଡର-17 ମହିଳା ବିଶ୍ୱକପ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏନେଇ ନିଜର ଇନଷ୍ଟାଗ୍ରାମ ପେଜରେ ସୂଚନା ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ସତ୍ୟନଗରରେ ରହିଛି ବିଏମସିର ନୂଆ ଟାଓ୍ୱାର ଏବଂ ଓ ହବରେ ହେବାକୁ ଥିବା ଡେଲୟଟର କାର୍ଯ୍ୟାଳୟ ।

ଏହା ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ଓ ହବ୍ କାର୍ଯ୍ୟାଳୟ । ପୂର୍ବରୁ ନିବେଶକ ସମ୍ମିଳିନୀରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ କଥା ହୋଇଥିଲେ ଡେଲୟଟ କର୍ତ୍ତୃପକ୍ଷ । ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । କିନ୍ତୁ ଏହା ପୂର୍ବରୁ ଶେଷ ହୋଇଛି କାମ । ପୂରଣ ହୋଇଛି ପ୍ରତିଶ୍ରୁତି । ଡେଲୟଟ ଭଳି ଆଇଟି କମ୍ପାନୀ ଖୋଲିଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୨୮ ଦିନରେ ଭାରତ ଯୋଡୋ ଯାତ୍ରା, କେନ୍ଦ୍ରର ବେକାରୀ, ମହଙ୍ଗା ନୀତି ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା

ନୂଆଦିଲ୍ଲୀ: ଆଜି ଭାରତ ଯୋଡୋ ଯାତ୍ରାର ୨୮ ଦିନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେ ମାଲେନହାଲିରୁ ଆରମ୍ଭ ହେବ ପଦଯାତ୍ରା । ସନ୍ଧ୍ୟାରେ ବେଲୁରରେ ଶୋଭାଯାତ୍ରା ପହଞ୍ଚିବ । ସେପଟେ ବର୍ଷାରେ ଭିଜି ଭାଷଣ ଦେବା ପରେ ରାଜରାସ୍ତାରେ ଦୌଡିଲେ ରାହୁଲ ଗାନ୍ଧି । ଭାରତ ଯୋଡୋ ପଦଯାତ୍ରାରେ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ ଦେଖାଇବାରେ ଲାଗିଛନ୍ତି ଯୁବରାଜ । କର୍ଣ୍ଣାଟକରେ ମା’ ସୋନିଆ ଗାନ୍ଧିଙ୍କ କାନ୍ଧରେ ହାତ ପକାଇ ପଦଯାତ୍ରା କରିବାର ଦୃଶ୍ୟ ଭାଇରାଲ ହେବା ପରେ ପରେ ମା’ଙ୍କ ଜୋତାର ଲେସ୍ ବାନ୍ଧି ପୁଣି ଚର୍ଚ୍ଚାର ପରିସରକୁ ଯାଇଥିଲେ ରାହୁଲ । ଭାରତ ଯୋଡୋ ପଦଯାତ୍ରାରେ ଦୌଡିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କେବଳ ସେ ନୁହନ୍ତି ତାଙ୍କ ସହ ଦୌଡ଼ିଥିଲା ସାରା ଟିମ୍ ।

କର୍ଣ୍ଣାଟକ ନାଗାମଙ୍ଗଳରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାଙ୍କ ସମେତ ବହୁ ହେଭିଓ୍ୱେଟ । ବେଶ୍ ସ୍ଫୂର୍ତ୍ତିରେ ଚାଲୁଥିବା ରାହୁଲ ହଠାତ୍ ଦୌଡିବା ଆରମ୍ଭ କରିବା ପରେ ତାଙ୍କ ସହ ପାଦ ମିଳାଇ ଦୌଡିବାରେ ଲାଗିଥିଲେ ସିଦ୍ଧରାମେୟା । ଦୁଇ ନେତାଙ୍କ ଦୌଡରେ ତତକ୍ଷଣାତ୍ ସାମିଲ ହୋଇଯାଇଥିଲେ ଶହ ଶହ ନେତା ଓ କର୍ମୀ । ରାହୁଲଙ୍କ ସୁରକ୍ଷା କର୍ମୀ, ପୋଲିସ ମଧ୍ୟ ଦୌଡରେ ସାମିଲ ହୋଇଥିଲେ । କେନ୍ଦ୍ରର ବେକାରୀ, ମହାଙ୍ଗା ନୀତି ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା ଦିଆଯାଇଥିବା ବେଳେ ଯାତ୍ରାରେ ସାମିଲ ହୋଇଥିଲେ ସୋନିଆ ଗାନ୍ଧି । ରାଲିରେ ରାହୁଲ କହିଥିଲେ, କର୍ଣ୍ଣାଟକରେ ଚାଲିଛି ୪୦ ପ୍ରତିଶତ କମିଶନରାଜ । ଦେଶରେ ବଢିଛି ହିଂସାଭାବ । ୧୨ ରାଜ୍ୟରେ ୩ ହଜାର ୫୭୦ କିଲୋମିଟର କରାଯିବ ପଦଯାତ୍ରା ।

ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ, କମିଶନରେଟ ପୋଲିସ ଜାଲରେ ମାଷ୍ଟର ମାଇଣ୍ଡ ଯୁବତୀ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ ଅଭିଯୋଗ । କମିଶନରେଟ ପୋଲିସ ଜାଲରେ ମାଷ୍ଟର ମାଇଣ୍ଡ ଯୁବତୀ । ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଆସିଥିଲା ଅଭିଯୋଗ । ମୋଟା ଅଙ୍କର ଟଙ୍କା ନେଇଥିଲେ ଅର୍ଚ୍ଚନା ନାଗ । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଛି ।

ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମାଗୁଥିଲେ ଟଙ୍କା । ସୁନା ଦୋକାନ ମାଲିକଙ୍କଠୁ ନେଇଛନ୍ତି କୋଟି କୋଟି ଟଙ୍କା । ଅର୍ଚ୍ଚନାଙ୍କ ସହ ବେଶ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଫଟୋ ବି ରହିଛି । କମ୍ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣି ହୋଇଛନ୍ତି ଅର୍ଚ୍ଚନା । ଗିରଫ ପରେ ଅଜ୍ଞାତ ସ୍ଥାନରେ ଜେରା କରୁଛି କମିଶନରେଟ ପୋଲିସ । ଅର୍ଚ୍ଚନାଙ୍କ ରାତାରାତି କୋଟିପତି ହେବାର ରହସ୍ୟ ସମ୍ପର୍କରେ ପଚରାଉଚରା କରୁଛି ପୋଲିସ ।

ପୁଟିନ ବାହିନୀକୁ ଜବରଦସ୍ତ ଧକ୍କା, ଋଷ ଅଧିକୃତ ଦକ୍ଷିଣାଞ୍ଚଳକୁ ଅଧିକାର କଲା ୟୁକ୍ରେନ

କିଭ୍: ଋଷକୁ ଜବରଦସ୍ତ ଧକ୍କା । ଋଷ ଅଧିକୃତ ଦକ୍ଷିଣାଞ୍ଚଳ ୟୁକ୍ରେନର ପ୍ରାୟ ୪୦୦ ବର୍ଗ କିଲୋମିଟର ଅଞ୍ଚଳକୁ ୟୁକ୍ରେନ ପୁଣି କରିଛି କବଜା । କିଛି ମାସ ଧରି ଖେରସନର ବ୍ୟାପକ ଅଞ୍ଚଳରେ ଋଷ ସୈନ୍ୟଙ୍କ ଜାରି ରହିଥିଲା ଆଧିପତ୍ୟ । ତେବେ ଅକ୍ଟୋବର ଆରମ୍ଭରୁ ବର୍ତ୍ତମାନ ଯାଏ ଋଷକୁ ଟକ୍କର ଦେବାରେ ସଫଳ ହେଉଛନ୍ତି ୟୁକ୍ରେନବାହିନୀ । ପ୍ରାୟ ୪୦୦ ବର୍ଗ କିଲୋମିଟରରେ ବର୍ତ୍ତମାନ ଉଡିଛି ୟୁକ୍ରେନ ପତାକା । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଦକ୍ଷିଣାଞ୍ଚଳ ଆର୍ମିର କମାଣ୍ଡର ନାତାଲିଆ ଗୁମେନିୟକ ।

ସେପଟେ ଋଷ ସେନା ଦାବି କରିଛନ୍ତି ୟୁକ୍ରେନର ଆହୁରି ଅନେକ ଅଞ୍ଚଳକୁ କବଜା କରାଯାଇଛି । ଦୁଦଚାଣ୍ଟି, ସୁଖାନୋଭ, ସଦୋକ ଓ ବ୍ରୁସରେ ୟୁକ୍ରେନ ସୈନ୍ୟ ମୁତୟନ ହୋଇଥିବା ସୂଚନା ମିଳିଛି ।

ବଲିଉଡର ଭେଟେରାନ ଆକ୍ଟର ଅରୁଣ ବାଲିଙ୍କ ବିୟୋଗ, ୭୯ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ବଲିଉଡର ଭେଟେରାନ କଳାକାର ଅରୁଣ ବାଲିଙ୍କ ବିୟୋଗ । ମୁମ୍ବାଇରେ ବୋର ୪ଟା ୩୦ରେ ତାଙ୍କର ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଅରୁଣ ବାଲି । ୧୯୪୨ରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ଜଣଙ୍କ ଅନେକ ଟିଭି ସିରିଏଲରେ ନିଜର ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି । ୫୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିବା ବେଳେ ୨୦ରୁ ଅଧିକ ଟିଭି ସିରିଏଲରେ ସେ ଆସିଥିଲେ ନଜର ।

ରାଜୁ ବନଗୟା ଜେଣ୍ଟଲମ୍ୟାନ, ଖଲନାୟକ, ଫୁଲ୍ ଔର ଅଙ୍ଗାରେ, ଓମ୍ ଜୟ ଜଗଦ୍ଦିଶ, ଲଗେ ରହୋ ମୁନ୍ନା ଭାଇ, ଥ୍ରୀ ଇଡିଅଟ୍ସ, ରେଡ୍ଡୀ, ବର୍ଫି, ଓ ମାଇଁ ଗଡ୍‌ ଭଳି ଅନେକ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି । ଆଜି ତାଙ୍କ ବିୟୋଗରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଆଜି ପୁରୀରେ ବସିବ ଦେବସଭା, ବିଳମ୍ବିତ ରାତିରେ ସିଂହଦ୍ୱାର ଆଗରେ ଗୋଷାଣୀଙ୍କ ମେଳଣ ପର୍ବ

ପୁରୀ: ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ । ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାଦୀପ ଉଠିବା ପରେ ହୋଇଥାଏ ମେଳଣ ଉତ୍ସବ । ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ୱତନ୍ତ୍ରତା । ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ । ତେବେ ଗତକାଲି ବର୍ଷା ଯୋଗୁଁ ମେଳଣ ସ୍ଥଗିତ ରଖାଯାଇଥିଲା ।

ସେପଟେ ଆଜି ରାଉରକେଲାରେ ହେବ ଭସାଣ ଶୋଭାଯାତ୍ରା । ଗତକାଲି ଗୁରୁବାର ଥିବାରୁ କୌଣସି ମଣ୍ଡପରେ ଭସାଣି କରାଯାଇନାହିଁ । ତେଣୁ ଆଜି ରାତି ୮ ସୁଦ୍ଧା ସହରର ସବୁ ମୂର୍ତ୍ତି ମେଳଣ ପଡ଼ିଆରେ ଏକାଠି ହେବା ପରେ ଆରମ୍ଭ ହେବ ବିସର୍ଜନ ଶୋଭାଯାତ୍ରା । ଚଳିତବର୍ଷ ସହରର ୧୦୮ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ସେକ୍ଟର ୧୩ ମେଳଣ ପଡ଼ିଆରେ ସମସ୍ତ ପୂଜା ମଣ୍ଡପର ମେଢ଼ ଏକାଠି ହେଲା ବିସର୍ଜନ ପର୍ବ ଆରମ୍ଭ କରାଯିବ ।

ଆସନ୍ତା ୧୬ରୁ ଚୀନ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ, ତୃତୀୟ ଥର ଲାଗି ଜିନପିଙ୍ଗ ରାଷ୍ଟ୍ରପତି ହେବା ସମ୍ଭାବନା ଉଜ୍ୱଳ

ବେଜିଂ: ତୃତୀୟ ଥର ଲାଗି ଚୀନ ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ । ଏନେଇ ସମସ୍ତ ବାଟ ସଫା ହୋଇଛି । ସେପଟେ ଜିନପିଙ୍ଗ ଯଦି ପୁନର୍ବାର ରାଷ୍ଟ୍ରପତି ହୁଅନ୍ତି ତେବେ ତାଇଓ୍ୱାନ ଉପରେ ଚୀନ ଅଧିକ ବଳ କଷିବ ବୋଲି ଆଶଙ୍କା କରିଛି ତାଇଓ୍ୱାନ । ଆସନ୍ତା ୧୬ ତାରିଖରୁ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ବୈଠକ ଆରମ୍ଭ ହେଉଥିବାବେଳେ ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗତ ଅଗଷ୍ଟରେ ତାଇଓ୍ୱାନକୁ ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଚୀନ ଓ ତାଇଓ୍ୱାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତାଇଓ୍ୱାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିଉ ତାଇ ସାନ କହିଛନ୍ତି- ଜିନପିଙ୍ଗ ନିଜ ହାତରେ ଅଧିକ କ୍ଷମତା ଠୁଳ କରିବେ ଏବଂ ତାଇଓ୍ୱାନ ବିରୋଧରେ ଅଭିଯାନ ଆରମ୍ଭ କରିବେ । ସେପଟେ ତାଇଓ୍ୱାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ ପକ୍ଷରୁ କୌଣସି ପ୍ରକାର ଆକାଶ ସୀମା ଅତିକ୍ରମ କରାଗଲେ ଏହାର ପରିଣାମ ଭୋଗିବ ଚୀନ ।

ଆଜି ବି ଭିଜିବ ଓଡ଼ିଶା, ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ । ସକ୍ରିୟ ଘୂର୍ଣ୍ଣବଳୟ ପ୍ରଭାବରେ ଜାରି ରହିବ ବର୍ଷା । ଦକ୍ଷିଣ ଉପକୂଳ ଓ ତା’ର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଆସନ୍ତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗଜପତି, ଗଞ୍ଜାମ, ପୁରୀ,  ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର  ସୂଚନା ଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୬୮ ମିଲିମିଟର ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଧାମନଗର ପାଇଁ ବଢିଲା ହାର୍ଟବିଟ୍, ଆଜି ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭ । ନଭେମ୍ବର ୩ ତାରିଖରେ ଭୋଟିଂ ଓ ୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଗତ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କର ପରଲୋକ ହୋଇଥିଲା । ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ ।

ନଭେମ୍ବର ୩ରେ ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏସବୁ ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାଁ ଥିବା ଭୋଟର ଭୋଟ ଦେଇପାରିବେ । ତାରିଖ ଘୋଷଣା ପରଠାରୁ ଗଡ଼ ଦଖଲ କରିବାକୁ ରଣନୀତି ପ୍ରସ୍ତୁତି ଜୋରଦାର କରିଛନ୍ତି ସବୁ ଦଳ । ବାଲେଶ୍ୱର ପରି ଧାନନଗରରେ ବଡ଼ ବିଜୟ ବ୍ୟବଧାନରେ ଜିତିବାକୁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଧାମନଗରରେ ପୁଣି ଥରେ କିପରି ଶଙ୍ଖ ବାଜିବ, ସେନେଇ ସେନାପତିଙ୍କୁ ଗୁରୁମନ୍ତ୍ର ଦେଇଛି ଦଳ । ଅନ୍ୟପଟେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ କରିଛନ୍ତି ।

ମୂର୍ତ୍ତି ବିସର୍ଜନ ବେଳେ ପ୍ରଖର ସ୍ରୋତରେ ଭାସିଗଲେ ୨ ଯୁବକ

ଉଦ୍ରକ: ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ 2 ଯୁବକ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ । ଭଦ୍ରକ ସହର ଜାନୁଗଞ୍ଜ ସାହିରରେ ଆଜି ଅନୁଷ୍ଠିତ ହେଉଥିଲା ଦୁର୍ଗା ମୂର୍ତ୍ତି ଭସାଣି ଉତ୍ସବ ।

ସାଳନ୍ଦୀ ନଦୀର ବାଉଦପୁର ଘାଟରେ ମୂର୍ତ୍ତି ବିସର୍ଜନ ହେଉଥିବା ସମୟରେ ଦୁଇଜଣ ଯୁବକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଅନ୍ୟ ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ବେଳେ ରାତି ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରି ନାହିଁ ।