spot_img
Home Blog Page 3824

ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନକୁ ନୋବେଲ ଶନ୍ତି ପୁରସ୍କାର

ନୂଆଦିଲ୍ଲୀ: ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଲେ ଜଣେ ବ୍ୟକ୍ତି ଓ ଦୁଇ ସଙ୍ଗଠନ । ବେଲାଋଷର ମାନବାଧିକାର କର୍ମୀ ଆଲିସ ବାଲିଆସ୍କି, ଋଷର ମାନବାଧିକାର ସଂଗଠନ ମେମୋରିଆଲ ଓ ୟୁକ୍ରେନର ମାନବାଧିକାର ସଂଗଠନ ସେଣ୍ଟର୍ ଫର୍ ସିଭିଲ୍ ଲିବରଟିଜକୁ ମିଳିଛି ଏହି ସମ୍ମାନଜନକ ନୋବେଲ ଶାନ୍ତି ପୂରସ୍କାର । ୧୯୮୦ ଦଶକରୁ ଦେଶରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଜାରି ରଖିବା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ଉଲ୍ଲେଖନୀୟ ଅବଦାନ ଦେଇ ଆସିଛନ୍ତି ବାଲିଆସ୍କି ।

ସେହିପରି ଋଷରେ ମାନବାଧିକାର ଉଲ୍ଲଂଘନ, ରାଜନୈତିକ ନିର୍ଯାତନା ସମ୍ପର୍କରେ ବିଶଦ ତଥ୍ୟ ଦେବା କ୍ଷେତ୍ରରେ ମାନବାଧିକାର ସଂଗଠନ ମେମୋରିଆଲକୁ ମିଳିଛି ପୁରସ୍କାର । ୟୁକ୍ରେନରେ ମାନବାଧିକାର ଓ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୃଷ୍ଟିରୁ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛି କିବସ୍ଥିତ ସେଣ୍ଟର୍ ଫର୍ ଲିବର୍ଟିଜ । ନିଜ ଦେଶରେ ନାଗରିକ ଅଧିକାରର ସୁରକ୍ଷା ତଥା କ୍ଷମତା କୈନ୍ଦ୍ରିକ ବ୍ୟବସ୍ଥାକୁ ସମାଲୋଚନା କରିବା କ୍ଷେତ୍ରକୁ ବିଚାରକୁ ନେଇ ସମସ୍ତଙ୍କ ଲାଗି ନୋବେଲ ପୁରସ୍କାର ଘୋଷଣା ହୋଇଛି । ଏହାସହ ଯୁଦ୍ଧ ଅପରାଧଗୁଡ଼ିକୁ ଡକ୍ୟୁମେଣ୍ଟ କରିବା କ୍ଷେତ୍ରରେ ବି ସେମାନେ ହୋଇଛନ୍ତ ସଫଳ । ଗତବର୍ଷ ଇଚ୍ଛା ପ୍ରକାଶ କରିବାର ଅଧିକାର କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବାରୁ ସାମ୍ବାଦିକ ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର । ବର୍ତ୍ତମାନ ସୁଦ୍ଧା ୧୦୨ଜଣଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିବାବେଳେ ସେମାନେଙ୍କ ମଧ୍ୟରେ ଅଛନ୍ତି ୧୮ ଜଣ ମହିଳା । ବର୍ତ୍ତମାନ ସୁଦ୍ଧା ୨୫ ଥର କୌଣସି ଏକ ସଂଗଠନକୁ ମିଳିଛି ନୋବେଲ ଶାନ୍ତି ।

ନଦୀରେ ଭାସି ଯାଇଥିବା ୧୨ ଉଦ୍ଧାର

ଦେବଗଡ଼: ଦେବଗଡ଼ ଗୋହିରା ନଦୀରେ ଭାସି ଯାଇଥିବା ୧୨ ଜଣ ଉଦ୍ଧାର । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗ୍ରାମବାସୀଙ୍କ ସହାୟତାରେ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି ।

ଦୁଧିଆନାଳୀ ପଞ୍ଚାୟତ ଅନର୍ଗତ ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ହଠାତ ଖୋଲିଥିଲା । ଏହି ସମୟରେ ମତ୍ସ୍ୟଜୀବୀ, ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଭାସିଯାଇଥିଲେ । ସମସ୍ତେ ଏକ ପଥର ଉପରେ ଫସି ରହିଥିଲେ । ଡ୍ୟାମ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେଲାନି ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେଲାନି ଭାରତ । ଉତ୍ତର-ପଶ୍ଚିମ ଚୀନର ସିନଜାଙ୍ଗ୍ ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନକୁ ନେଇ ନେଇ ଜାତିସଂଘରେ ବିତର୍କ ପାଇଁ ପ୍ରସ୍ତାବ ଆସିଥିଲା । ଚୀନର ଏହି ସ୍ୱୟଂଶାସିତ ଅଞ୍ଚଳରେ ମାନବ ଅଧିକାର ଉପରେ ଆଲୋଚନା ପାଇଁ ଆମେରିକା, କାନାଡା ଏବଂ ବ୍ରିଟେନ୍ ପ୍ରସ୍ତାବ ଆଣିଥିଲେ । ମାତ୍ର ଭାରତ ଏହି ବିତର୍କରୁ ନିବୃତ ରହିଥିଲା ।

୪୭ ସଦସ୍ୟ ବିଶିଷ୍ଠ ସଂଘର ୧୭ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଚୀନ ସମେତ ୧୯ ସଦସ୍ୟ ଏହାକୁ ବିରୋଧ କରିଥିଲେ । ଭାରତ, ବ୍ରାଜିଲ, ମେକ୍ସିକୋ ଏବଂ ୟୁକ୍ରେନ ସମେତ ୧୧ ଜଣ ଭୋଟ ଦେବାରୁ ନିବୃତ ରହିଥିଲେ । ବିତର୍କ ଆରମ୍ଭ ହେବା ପୂର୍ବରୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସତର୍କ କରାଇଥିଲେ ଚୀନ ଅଧିକାରୀ । ଆଜି ଚୀନକୁ ଟାର୍ଗେଟ କରାଯାଉଛି ଆଗାମୀ ଦିନରେ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଟାର୍ଗେଟ କରାଯିବ ବୋଲି ଚୀନର ଅଧିକାରୀ କହିଥିଲେ ।

ଉତ୍ତରକାଶୀରେ ହିମସ୍ଖଳନ ଘଟଣା, ୩ ଦିନ ପରେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ୍

ଉତ୍ତରକାଶୀ: ଉତ୍ତରକାଶୀରେ ହିମସ୍ଖଳନ ଘଟଣା । ତିନି ଦିନ ପରେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ । ୧୯ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ୧୦ ଜଣ ନିଖୋଜ । ନିଖୋଜ ୧୦ ଜଣ ନେହେରୁ ପର୍ବତାରୋହଣ ସଂସ୍ଥାର ଟ୍ରେନି ପର୍ବତାରୋହୀ ବୋଲି ଜଣାପଡ଼ିଛି । ଲଗାତାର ବରଫପାତ ଜାରି ରହିଥିବାରୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି ।

ହିମାଳୟ ଉପରକୁ ଚଢ଼ୁଥିବା ବେଳେ ହିମସ୍ଖଳନ ଯୋଗୁ ୨୯ ଜଣ ପର୍ବତାରୋହୀ ସେଠାରେ ଫସି ରହିଥିଲେ । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପି ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । NIMର ୪୨ ଟିମ, ITBPର ୧୨ଟିମ, ଏନଡିଆରଏଫର ୮ ଟିମ୍ ରେସ୍କ୍ୟୁ ଅଭିଯାନରେ ସାମିଲ ହୋଇଛନ୍ତି ।

 

ଘନେଇଲା କୋରିଆ ବିବାଦ, ଉତ୍ତର କୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଜବାବ

ନୂଆଦିଲ୍ଲୀ: ଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ । ଦକ୍ଷିଣ କୋରିଆରେ ଆମେରିକାର ଆଣବିକ କ୍ଷମତା ସମ୍ପନ୍ନ ବିମାନବାହୀ ଯୁଦ୍ଧ ଜାହାଜ ୟୁଏସଏସ ରୋନାଲଡ ରେଗାନକୁ ନେଇ କରାଯାଇଛି ସାମରିକ ଡ୍ରିଲ । ଉତ୍ତର କୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଜବାବ ଦେବା ଲାଗି ଆମେରିକା ଓ ଦକ୍ଷିଣ କୋରିଆ ପକ୍ଷରୁ ଚାଲିଛି ସମରାଭ୍ୟାସ । ଜାପାନ ସୀମା ନିକଟରେ ଉତ୍ତର କୋରିଆ ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଉତ୍ତ୍ୟକ୍ତ ହୋଇଛି ଆମେରିକା ।

ସେପଟେ ଏହି ସାମରିକ ଡ୍ରିଲକୁ ନେଇ ଉଦବେଗ ପ୍ରକାଶ କରିଛି ଉତ୍ତର କୋରିଆ । ଉତ୍ତର କୋରିଆ ଉପରେ ଆକ୍ରମଣ ଲାଗି ଏହି ସମରାଭ୍ୟାସ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଦୁଇ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ଯୋଗୁ କୋରିଆ ଅଞ୍ଚଳ ଅସ୍ଥିରତା ବଳୟକୁ ଚାଲିଯାଇଛି । ଗତ ମଙ୍ଗଳବାର ଉତ୍ତର କୋରିଆ ହ୍ୱାସଙ୍ଗ-୧୨ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଯାହାକି ଆମେରିକା ସୀମାକୁ ହିଟ୍ କରିବାର କ୍ଷମତା ହାସଲ କରିଛି ।

ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ ଦାସ

ବଲାଙ୍ଗୀର: ଲାଞ୍ଚ ନେଇ ଫସିଲେ ବ୍ଲକ ଏପିଓ । ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏପିଓ ସୁଶାନ୍ତ ଦାସ । ମୁରିବାହାଲ ବ୍ଲକ ପତ୍ରାପାଲି ଗାଁ ସାଥି ସୁଦାମ ନାଗଙ୍କଠାରୁ ପୋଖରୀ ମରାମତି କରିବା ବିଲ୍‌ କରିବାକୁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରପଡିଛନ୍ତି ଏପିଓ । ଚଢ଼ାଉରେ ବରଗଡ଼ ଭିଜିଲାନ୍ସ ଟିମ ସାମିଲ ଥିବା ନେଇ ଜଣାପଡିଛି ।

ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ଚଢାଉ କରୁଥିବା ବେଳେ ଏକକାଳୀନ ତାଙ୍କ ପୈତୃକ ଘର ବଙ୍ଗୋମୁଣ୍ଡା ବ୍ଲକ ଅସୁର୍ଲା ଗାଁ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଅସୁର୍ଲା ଗାଁରେ ଥିବା ବାସଭବନ ଓ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ବରଗଡ଼ ଭିଜିଲାନ୍ସ ଟିମର ଚଢାଉ ଜାରି I ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ, CJIଙ୍କୁ ଚିଠି ଲେଖିଲା ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି ? ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କୁ ଚିଠି ଲେଖିଛି ଆଇନ ମନ୍ତ୍ରଣାଳୟ । ଉତ୍ତରାଧିକାରୀଙ୍କ ନାଁ ଘୋଷଣା ପାଇଁ ସିଜେଆଇଙ୍କୁ ଆଇନ ମନ୍ତ୍ରଣାଳୟ ଚିଠି ଲେଖିଛି । ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ଦେଇପାରନ୍ତି CJI । ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ଏହାପୂର୍ବରୁ ୫୦ତମ CJI ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।

ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ, ଡଲାରର ଦାମ ହେଲା ୮୨ ଟଙ୍କା ୩୩ ପଇସା

ନୂଆଦିଲ୍ଲୀ: ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ । ଗୋଟିଏ ଆମେରିକୀୟ ଡଲାରର ଦାମ ହୋଇଛି ୮୨ ଟଙ୍କା ୩୩ ପଇସା । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ।

କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।

ଗତବର୍ଷ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ପରିମାଣ ଥିଲା ୮.୭ ପ୍ରତିଶତ । ଦକ୍ଷିଣ ଏସିଆ ଲାଗି ନିଯୁକ୍ତ ବିଶ୍ବବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ହାନ୍ସ ଟିମ୍ମର କହିଛନ୍ତି- ଦକ୍ଷିଣ ଏସିଆର ଅନ୍ୟାନ୍ୟ ରାଷ୍ଟ୍ର ତୂଳନାରେ ଭାରତର ସ୍ଥିତି ସୁଧୁରୁଛି । ସେ କହିଛନ୍ତି- ଆନ୍ତର୍ଜାତିକ ଅବସ୍ଥା କ୍ରମେ ଏହାର ପ୍ରଭାବ ଅନ୍ୟାନ୍ୟ ରାଷ୍ଟ୍ର ପରି ଭାରତ ଉପରେ ପଡ଼ିଛି ।

ପରଜଙ୍ଗରେ ମାତିଲେ ଦୁର୍ବୃତ୍ତ, ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍

ଢେଙ୍କାନାଳ: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ୍ । ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିଲେ ୬ ଜଣ ଦୁର୍ବୁତ୍ତ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ । ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ଗତକାଲି ରାତିରେ ଲୁଟ୍ ହୋଇଛି । ବ୍ୟବସାୟୀ ବିନୟ ସାହୁଙ୍କ ଅନୁପସ୍ଥିତିରେ ହୋଇଛି ଲୁଟ୍‌ ।

ଦୁର୍ବୁତ୍ତମାନେ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ । ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟି ନେଇଥିଲେ ଟଙ୍କା ଓ ସୁନା, ରୂପା ଗହଣା । ଏହି ଘଟଣା ପରେ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ତଦନ୍ତ ଜାରି ରଖିଛି । ଏହି ଚୋରିରେ ଏକ ବଡ଼ ଗ୍ୟାଙ୍ଗ୍ ସାମିଲ ଥିବା ସୂଚନା ମିଳିଛି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ୧୪ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭ । ନଭେମ୍ବର ୩ ତାରିଖରେ ଭୋଟିଂ ଓ ୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି ସବିଶେଷ ସୂଚନା ଦେବେ ରାଜ୍ୟ ନିର୍ବାଚନ ଅଧିକାରୀ । ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ । ଗତ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କର ପରଲୋକ ହୋଇଥିଲା । ୩ରେ ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ ।

ଏସବୁ ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାଁ ଥିବା ଭୋଟର ଭୋଟ ଦେଇପାରିବେ । ତାରିଖ ଘୋଷଣା ପରଠୁ ଗଡ଼ ଦଖଲ କରିବାକୁ ରଣନୀତି ପ୍ରସ୍ତୁତି ଜୋରଦାର କରିଛନ୍ତି ସବୁ ଦଳ । ବାଲେଶ୍ୱର ପରି ଧାନନଗରରେ ବଡ଼ ବିଜୟ ବ୍ୟବଧାନରେ ଜିତିବାକୁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଧାମନଗରରେ ପୁଣି ଥରେ କିପରି ଶଙ୍ଖ ବାଜିବ, ସେନେଇ ସେନାପତିଙ୍କୁ ଗୁରୁମନ୍ତ୍ର ଦେଇଛି ଦଳ । ଅନ୍ୟପଟେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ କରିଛନ୍ତି ।