ଭୁବନେଶ୍ୱର: ମୋ ବସ୍ରୁ ପୁଣି ଚୋରି । ଭୁବନେଶ୍ବରରେ ମୋ ବସ୍ ଯାତ୍ରୀଙ୍କଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ର ବିରଞ୍ଚି ସେଠୀ ଓ ତାଙ୍କ ପତ୍ନୀ ମୋ ବସ୍ରେ ବାଣୀବିହାରରୁ ଖଣ୍ଡଗିରି ଯିବା ବେଳେ ନୟାପଲ୍ଲୀଠାରେ ଚୋରି ହୋଇଛି । ବନ୍ଧକ ରଖିଥିବା ସୁନା ମୁକୁଳାଇବା ପାଇଁ ଟଙ୍କା ନେଇ ଯାଉଥିଲେ । ନୟାପଲ୍ଲୀଠାରେ ପକେଟରେ ଟଙ୍କା ନଥିବା ଜାଣିପାରିବା ପରେ ଦମ୍ପତି ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବିଭିନ୍ନ ମେଡିସିନ୍ ହୋଲସୋଲର ଉପରେ ଚଢ଼ାଉ
ଭୁବନେଶ୍ୱର: ରାଜଧାନୀରେ ମେଲିଛି ନକଲି ଔଷଧ ପସରା । ରାଜ୍ୟର ବିଭିନ୍ନ ସ୍ଥାନକୁ ହେଉଛି ଯୋଗାଣ । ଭୁବନେଶ୍ବର ଅଶୋକ ନଗରରେ ବିଭିନ୍ନ ମେଡ଼ିସିନ ହୋଲସେଲ ଦୋକାନରେ ଚଢ଼ାଉ । ରେଡ କରୁଛି ଡ୍ରଗ ସ୍କ୍ବାଡ୍ । ୫ଜଣିଆ ଟିମ୍ ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରୁଛି । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ନକଲି ଔଷଧ କାରବାର । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା 40ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି ହୋଇଥିବା ଜଣାପଡିବା ପରେ ଦେଶବ୍ୟାପୀ ଖୋଳତାଡ଼ ଜାରି ରହିଛି ।
କେବଳ କଟକ, ଭୁବନେଶ୍ବର ନୁହେଁ ବରଗଡ଼ ଓ ଝାରସୁଗୁଡାରୁ ମଧ୍ୟ ବହୁ ପରିମାଣର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧର ଚେର ହିମାଚଳପ୍ରଦେଶ ଓ ଉତ୍ତର ପ୍ରଦେଶକୁ ବ୍ୟାପିଥିବା ଜଣାପଡିଛି । ହିମାଚଳର ବାଦୀ ଓ ବାରଣାସୀରୁ ନକଲି ଔଷଧ ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡର ଅଶୋକ ମେଡିକାଲ ଏଜେନ୍ସିକୁ ଆସିଥିଲା ।
ବିଭିନ୍ନ ରାଜ୍ୟରୁ ଏକାଧିକ କମ୍ପାନୀର ବହୁ ଔଷଧର ନକଲି ଜବତ ପରେ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ କମ୍ପାନୀର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ରି-କଲ କରିବାକୁ ସବୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ରାଜ୍ୟର ସବୁ ଜିଲ୍ଲା ଔଷଧ ନିରୀକ୍ଷକଙ୍କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୂର୍ବରୁ ସମସ୍ତ ଡିଲର ଓ ରେଟେଲରଙ୍କୁ ସୂଚନା ଦିଆଯାଇଥିଲା । ଆଜି ଭୁବନେଶ୍ବରରେ ଏକାଧିକ ସ୍ଥାନରେ ଚଢ଼ାଉ ସହ ଯାଞ୍ଚ ଜାରି ରହିଛି।
ଡାକ୍ତରୀ ପଢ଼ା ପାଇଁ ଅର୍ଥ ସାଜିବନି ବାଧକ, ପୁରୀର ବୈକୁଣ୍ଠ ସେଠୀଙ୍କୁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
ପୁରୀ: ଡାକ୍ତରୀ ପଢ଼ିବା ପାଇଁ ଜଣେ ଗରିବ ଛାତ୍ରଙ୍କୁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁରୀ ଜିଲ୍ଲାର ବୈକୁଣ୍ଠ ସେଠୀଙ୍କୁ ରାଜ୍ୟ ସରକାର ସହଯୋଗର ହାତ ବଢାଇଛନ୍ତି । ପାଠପଢ଼ା ପାଇଁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ବୌକୁଣ୍ଠ ସେଠୀ ।
ପୁରୀ ଜିଲ୍ଲା କଣାସ ବ୍ଲକ ତେଲଙ୍ଗାପଡ଼ାର ବୈକୁଣ୍ଠ ସେଠୀ Neet ଉତ୍ତୀର୍ଣ୍ଣ ହେବା ପରେ ଫକୀର ମୋହନ ମେଡିକାଲ କଲେଜରେ ଆଡମିଶନ ପାଇଁ ସୂଚନା ଆସିଥିଲା । ଦିନ ମଜୁରିଆ ପରିବାରର ବୈକୁଣ୍ଠ ବହୁ କଷ୍ଟରେ ଆଡମିଶନ କରିଥିଲେ ମଧ୍ୟ ପାଠପଢ଼ା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ଅକ୍ଷମ ହେବା ପରେ ସୋସିଆଲ ମିଡିଆରେ ସହଯୋଗ ଲୋଡିଥଲେ । ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନ ଗୁରୁତ୍ବର ସହିତ ନେଇ ପଦକ୍ଷେପ ନେବାକୁ SC-ST DEVELOPMENT ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ ବୈକୁଣ୍ଠଙ୍କୁ ଯୋଗାଯୋଗ କରି ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ସମ୍ବଲପୁରରେ ଜୋର୍ ଧରିଲା ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି, ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ଜାରି ରହିଛି ଆନ୍ଦୋଳନ
ସମ୍ବଲପୁର: ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ତ୍ବେ ସମ୍ବଲପୁରରେ ଜାରି ରହିଛି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ଓକିଲ ଦମନ ନୀତି ବିରୋଧରେ ଆଜି ସମ୍ବଲପୁରରେ ଆଇନଜୀବୀ କରିଛନ୍ତି ପ୍ରବଳ ପ୍ରତିବାଦ । ବ୍ୟାରିକେଡ୍ ଭାଙ୍ଗି କୋର୍ଟ ପରିସରକୁ ଧସେଇ ପଶିଛନ୍ତି ଆନ୍ଦୋଳନକାରୀ ଆଇନଜୀବୀ । ଏଥିସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ।
ଆନ୍ଦୋଳନକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସମ୍ବଲପୁରର କଚେରୀ ଛକ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଏସଆଇ ଓ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି ।
ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟ ହତ୍ୟା ଘଟଣା, ଉପଯୁକ୍ତ ତଦନ୍ତ ଦାବି କଲେ ପଡ଼ୋଶୀ
କଟକ: ପରକୀୟା ପ୍ରୀତି ସନ୍ଦେହରେ ଜଘନ୍ୟ ହତ୍ୟା ଘଟଣା । କଟକ ମହାନ୍ତିପଡ଼ାର ଶୈଳେନ୍ଦ୍ରନାଥ ଜେନାଙ୍କୁ ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ପଡୋଶୀ । ଗତକାଲି ନୟାଗଡ଼ ମହିପୁର ପାଟଳିପୁରରୁ ଶୈଳେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହତ୍ୟା ପଛରେ ପରକୀୟା ପ୍ରୀତି ରହିଥିବା ସନ୍ଦେହ କରାଯାଉଛି । ଶୈଳେନ୍ଦ୍ର ମହାନ୍ତିପଡାରେ ୧୦ ବର୍ଷ ଧରି ପରିବାର ସହ ଭଡ଼ାରେ ରହୁଥିଲେ । ତେବେ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରାଯିବା ସହ ଦୋଷୀଙ୍କୁ ଦଣ୍ଡଦେବାକୁ ପଡୋଶୀ ଦାବି କରିଛନ୍ତି ।
ଅପହରଣ ନୁହେଁ, ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ, ଟାୟାର ଫାଟିଯାଇ ପରିତ୍ୟକ୍ତ କୂଅରେ ପଡ଼ି ମୃତ୍ୟୁ
ଉମରକୋଟ: ଅପହରଣ ନୁହେଁ, ଦୁର୍ଘଟଣାରେ ୪ ଜଣଙ୍କ ହୋଇଛି ମୃତ୍ୟୁ । ଉମରକୋଟରେ ୪ ଜଣ ନିଖୋଜ ଘଟଣାରେ ସାମ୍ନାକୁ ଆସିଲ ସତ । କାରରେ ଯାଉଥିବା ବେଳେ ଏକ ପରିତ୍ୟକ୍ତ କୂଅରେ ପଡ଼ି ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କାର ଟାୟାର ଫାଟି ଯିବାରୁ କୂଅ ଭିତରେ ପଶି ଯାଇଥିବା ଜଣାପଡ଼ିଛି । କୂଅରୁ ପାଣି ଖାଲି କରାଯାଇ ସସମସ୍ତଙ୍କୁ ଉଦ୍ଧାର କରୁଛି ପୋଲିସ ।
ରାଇଘର ତହସିଲ ସୁପରଭାଇଜର ସପନ ସରକାର ଓ ତାଙ୍କ ସ୍ତ୍ରୀ ରୀତା ସରକାର, ଶଳା ବିଶୁ ଅଧିକାରୀ ଏବଂ ଅନ୍ୟଜଣେ ବନ୍ଧୁ ହାଜାରୀ ଡାଲି ଛତିଶଗଡ଼ କାଙ୍କେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ୪ ଜଣ । ସେଠାରୁ ଶନିବାର ରାତି ସାଢେ ୧୦ଟା ବେଳେ ସମସ୍ତେ ଏକାଠି ଗୋଟିଏ ଗାଡ଼ିରେ କୋଣ୍ଡାଗାଁ ବାହାରିଥିଲେ। କିଛି ବାଟ ଆସିବା ପରେ ସେମାନଙ୍କ ଫୋନ୍ ଲାଗି ନଥିଲା । ସପନ ଓ ଅନ୍ୟମାନେ ଘରେ ପହଞ୍ଚି ନଥିବା ବେଳେ ସମସ୍ତଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ୍ ରହିଥିଲା । ରବିବାର ସକାଳୁ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ଗତକାଲି ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।
୯୫ ଦିନରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା, ହିମାଚଳରୁ ଫେରି ରାଜସ୍ଥାନରେ ରାହୁଲଙ୍କ ଆକ୍ସନ
ଜୟପୁର: ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ ଯାତ୍ରା । ବୁନ୍ଦି ଜିଲ୍ଲାରେ ସମର୍ଥକଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି ରାହୁଲ ଗାନ୍ଧୀ । ଆଜି ପଦଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ରାଜସ୍ଥାନ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି । ଗତକାଲି ହିମାଚଳରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହୋଇଥିବା ବେଳେ, ଆଜି ସକାଳୁ ପୁଣି ରାଜସ୍ଥାନର ବୁନ୍ଦିରୁ ଆରମ୍ଭ ହୋଇଛି ପଦଯାତ୍ରା ।
ଆଜି ପଦଯାତ୍ରାରେ ରାହୁଲ ସମର୍ଥକଙ୍କ ବଳଦ ଗାଡ଼ିରେ ଚଢ଼ିଥିବା ଦେଖା ଯାଇଥିଲା । ଏହି ଭିଡିଓକୁ ଭାରତ ଯୋଡ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ସେପ୍ଟେମ୍ବର ୭ ତାରିଖରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ, ୯୫ ଦିନରେ ଏହା ୮ ରାଜ୍ୟର ୪୦ ଜିଲ୍ଲା ଅତିକ୍ରମ କରିସାରିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆସନ୍ତା ଫେବୃୟାରୀରେ କାଶ୍ମୀରରେ ପହଞ୍ଚିବ ।

