ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ହେଲେ ଶିବ ସୁନ୍ଦର ଦାସ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ଗୁରୁଦାୟିତ୍ୱ । ଏଥିର ଭାରତୀୟ କ୍ରିକେଟ ଟିମ୍ ବାଛିବେ ଶିବ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ବରିଷ୍ଠ ଚୟନକର୍ତ୍ତା ଟିମର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଇଷ୍ଟର୍ଣ୍ଣ ଜୋନରୁ ତାଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଓଡ଼ିଆ ପୁଅ ଶିବ ସୁନ୍ଦର ଏହି ଦାୟିତ୍ୱ ପାଇବା ପରେ ସବୁଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ତେବେ ଶିବ ସୁନ୍ଦରଙ୍କ ପୂର୍ବରୁ ଚୟନତର୍ତ୍ତା କମିଟିରେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଥିଲେ । ଗତ ବର୍ଷ ନଭେମ୍ବରରେ କମିଟି ଭଙ୍ଗ ସହ ସେ ଚନକର୍ତ୍ତା କମିଟିରୁ ବହିସ୍କୃତ ହୋଇଥିଲେ । ସୂଚନାଥାଉକି ଆଜି ବିସିସିଆଇ ପକ୍ଷରୁ ଚୟନକର୍ତ୍ତା କମିଟିର ଘୋଷଣା କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଭାବେ ପୁଣିଥରେ ଚେତନ ଶର୍ମାଙ୍କୁ ନିଯୁକ୍ତି ମିଳିଛି । ସେହିପରି ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯଆଇଛି ।

ଶିବ ସୁନ୍ଦର ଦାସଙ୍କ କ୍ୟାରିଅର୍ କଥା ଦେଖିବାକୁ ଗଲେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ରାଇଟ୍ ଆର୍ମ ବ୍ୟାଟର ଶିବସୁନ୍ଦର ୧୮୦ଟି ମ୍ୟାଚରେ ୩୯ ହାରର ୧୦,୯୦୮ ରନ୍ କରିଛନ୍ତି । ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ ରହିଛି । ଅପରାଜିତ ୩୦୦ ରନ୍ ତାଙ୍କର ସର୍ବୋଚ୍ଚ ସ୍କୋର । ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୧୬ ରନ୍ କରିଛନ୍ତି । ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି  । ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଓଡ଼ିଶାର ତୃତୀୟ ଖେଳାଳି । ସେ ଶେଷଥର ପାଇଁ ୨୦୦୨ ମସିହା ମେ ୨୨ ତାରିଖରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥଇଲେ । ସେହିପରି ୨୦୨୨ ଡିସେମ୍ବର ୨୬ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ ।