ଗୋ ଫାର୍ଷ୍ଟ ବିମାନରେ ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର, ଦୁଇ ବିଦେଶୀ ନାଗରିକ ଅଟକ

1 min read

ପାନାଜୀ: ଏୟାର ଇଣ୍ଡିଆର ଫ୍ଲାଇଟରେ ବୟସ୍କ ମହିଳାଙ୍କ ଉପରେ ପରିସ୍ରା କରାଯିବା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ଏପରି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗୋ ଫାର୍ଷ୍ଟ ଏୟାରଲାଇନର ବିମାନରେ ମହିଳା କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କରିଛନ୍ତି ଯାତ୍ରୀ । ଅଭିଯୁକ୍ତମାନେ ହେଲେ ବିଦେଶୀ ନାଗରିକ । ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ଏବଂ ଉଭୟଙ୍କୁ ଗୋଆ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ହେପାଜତକୁ ନେଇଛନ୍ତି ।

ଘଟଣାର ଅଭିଯୋଗ ଡିଜିସିଏକୁ ମଧ୍ୟ କରାଯାଇଛି । ଘଟଣାଟି ଗତ ୬ ଜାନୁଆରୀରେ ଘଟିଥିଲା । ଗୋଆ-ମୁମ୍ବାଇ ବିମାନରେ ଘଟଣାଟି ଘଟିଥିଲା । ଅଭିଯୋଗ ହୋଇଛି ଯେ ଗୋଆରୁ ମୁମ୍ବାଇ ଯାଉଥିବା ବିମାନରେ ଯାତ୍ରା କରୁଥିବା ଦୁଇ ବିଦେଶୀ ନାଗରିକ ବିମାନର ମହିଳା କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରିଥିଲେ । ଏହାପରେ ଉଭୟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଗୋ ଫାର୍ଷ୍ଟ ଏୟାରଲାଇନ୍ ମଧ୍ୟ ଘଟଣାର ପୃଷ୍ଟି କରିଛି ।

ମିଡିଆ ରିପୋର୍ଟ ଅନୁସାରେ ଉଭୟ ଅଭିଯୁକ୍ତ ଋଷିଆ ନାଗରିକ ଅଟନ୍ତି । ରିପୋର୍ଟ ଅନୁସାରେ, ଯେତବେଳେ ମହିଳା କ୍ରୁ ମେମ୍ବର ଯାତ୍ରୀଙ୍କୁ ସେଫ୍ଟି ସମ୍ପର୍କରେ କହୁଥିଲେ ସେହି ସମୟରେ ବିଦେଶୀ ଯାତ୍ରୀ କ୍ରୁ ମେମ୍ବରଙ୍କୁ ଖରାପ ବ୍ୟବହାର କରିଥିଲେ ଏବଂ ଖରାପ ଭାଷାରେ ଗାଳି କରିଥିଲେ । ଏହାପରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ଯାତ୍ରୀ ଏହା ଉପରେ ଆପତ୍ତି ପ୍ରକାଶ କରିଥିଲେ ଏବଂ ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦେବାକୁ ଦାବି କରିଥିଲେ ।

ଅନ୍ୟ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଅଭିଯୁକ୍ତଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଏୟାର ଇଣ୍ଡିଆର ବିମାନରେ ବୟସ୍କ ମହିଳାଙ୍କ ଉପରେ ପରିଶ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଅଭିଯୁକ୍ତ ଶଙ୍କରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ।