ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍; ଶ୍ରୀଲଙ୍କାକୁ ୨୨୯ର ବିଶାଳ ଲକ୍ଷ୍ୟ ଦେଲା ଭାରତ

1 min read

ରାଜକୋଟ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଛି । ସିରିଜ୍ ଜିତିବା ପାଇଁ ଚାଲିଛି ଲଢେଇ । ପୂର୍ବରୁ ଉଭୟ ୧-୧ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛି । ଆଜି ଯିଏ ଜିତିବ ସେ ସିରିଜ ବିଜୀୟ ହେବ । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ୍ କରିଛି । ଶ୍ରୀଲଙ୍କା ଆଗରେ ଭାରତ ୨୨୯ ରନର ଲକ୍ଷ୍ୟ ରଖିଛି । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୧୧୨ ରନ୍ କରିଛନ୍ତି ।

ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା । ଇଶାନ କିଶନ ପ୍ରଥମ ଓଭରରେ ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ରାହୁଲ ଦ୍ରୁତତାର ସହ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ପାୱାରପ୍ଲେ ରେ ଭାରତ ଦୁଇ ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିନେଇଥିଲା । ଏହାପରେ ଶୁଭମନ ଗିଲ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ତୃତୀୟ ୱିକେଟ ପାଇଁ ଉଭୟ ୫୩ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ ।

ଗିଲ୍ ୪୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ଏବଂ ଦୀପକ ୪-୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଦମଦାର ଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା । ଅକ୍ଷର ପଟେଲ ୯ ଟି ବଲରେ ୨୧ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ୨ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ରଜିଥା, କରୁଣାରତ୍ନେ ଓ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।