ଢେଙ୍କାନାଳ: ଢେଙ୍କାନାଳ ରାମଚଣ୍ଡୀ ମନ୍ଦିର ନିକଟରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ମୃତ, ଜଣେ ଗୁରୁତର । ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ମୃତକ ଜଣକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ରହିଛି । ଭୋଜି କରିବାକୁ ଯାଇ ଗାଧୋଉଥିବା ବେଳେ ଉଭୟ ବୁଡ଼ିଯାଇଥିଲେ । ନଦୀରୁ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଅନ୍ୟ ଗୁରୁତର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ ୬୬ ହଜାର ଟଙ୍କା ଲୁଟ୍
ଭୁବନେଶ୍ୱର: ସାଇବର ଠକର ଚିଟିଂ ସ୍କ୍ରିପଟ । ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ 66 ହଜାର ଟଙ୍କା ଲୁଟ୍ । ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର । ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ଠିକାଦାରଙ୍କୁ ଫୋନ୍ କରିଥିଲା ଠକ । ପ୍ରଥମେ ୫ ହଜାର ଟିକେଟ ପାଇଁ ଆଡଭାନ୍ସ ନେଇଥିଲା । ଶ୍ରମିକ ପିଛା ଖର୍ଚ୍ଚ ବାବଦକୁ ନେଇଥିଲା ଆଉ ୧୫ ହଜାର ଟଙ୍କା । କିଛି ସମୟ ପରେ ରେଳବାଇ ପୋଲିସ ହାବୁଡ଼ରେ ପଡି ଯାଇଥିବା କହି ଫାଇନ ବାବଦରେ ୩୩ ହଜାର ନେଇଥିଲା ।
ଠିକାଦାର ୩୩ ହଜାର ଟଙ୍କା ପଠାଇ ସାରିବା ପରେ ଟ୍ରାନଜାକ୍ସନ ଲିମିଟ ସରିଯାଇଥିବା କହି ଆଉ ୧୩ ହଜାର ଟଙ୍କା ରେଳବାଇ ପୋଲିସ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲା । ସମସ୍ତ ଟଙ୍କା ଦେଇ ସାରିବା ପରେ କିଷାନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ମାଗିଥିଲା ଠକ । ତେବେ ଠିକାଦାରଙ୍କ ସନ୍ଦେହ ହେବାରୁ ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କ ଜରିଆରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ । ଏଭଳି କିଛି ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର ନିତ୍ୟାନନ୍ଦ ପାଢ଼ୀ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।
ବେସରକାରୀ କଲେଜ କର୍ମଚାରୀଙ୍କ ବଢ଼ିଲା ଦରମା
ଭୁବନେଶ୍ୱର: ବେସରକାରୀ କଲେଜ କର୍ମଚାରୀଙ୍କ ବଢ଼ିଲା ଦରମା । ଆଜି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଗ୍ରାଣ୍ଟ-ଇନ-ଏଡ ବୃଦ୍ଧି ଉପରେ ବାଜିଛି ମୋହର । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବଢିବା ସହ ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହେବ । ସେହିପର ୨ଟି ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନରେ କ୍ୟାବିନେଟ ମୋହର ବାଜିଛି । ଏପରି ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ।
ଯେଉଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ୨୦୦୮ ନିୟମ ଅନୁସାରେ ଦରମା ପାଇଆସୁଥିଲେ । ତେବେ ଅସନ୍ତୋଷକୁ ନଜରରେ ରଖି ୨୦୧୭ ନିୟମ ଅନୁସାରେ ଦରମା ବୃଦ୍ଧି କରାଯାଇଛି । ସପ୍ତମ ବେତନ ହାର ନିୟମ ଅନୁସାରେ ଗତ ବର୍ଷ ଜାନୁଆରୀରୁ ପିଛିଲାଭାବେ ବର୍ଦ୍ଧିତ ଦରମା ପାଇବେ । ଏହାଦ୍ବାରା ସରକାର ଅତିରିକ୍ତ ୨୯୦ କୋଟିର ବୋଝ ମୁଣ୍ଡାଇବେ । ଏଥିରେ ୧୫ ହଜାର ୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବ । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ୪୮୮ ବର୍ଗ କଲେଜର ରାଜ୍ୟ ସଭାପତି ପବିତ୍ର ମହଲା ।
ବିଜେପିକୁ ଭର୍ତ୍ସନା କଲେ ସ୍ୱାତୀ ମାଲିଓ୍ୱାଲ, କହିଲେ- ଚାଲିଛି ଅପପ୍ରଚାର
ନୂଆଦିଲ୍ଲୀ: ରାଜରାସ୍ତାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲଙ୍କୁ କାରରେ ଭିଡ଼ି ନେବା ଘଟଣା । ବିଜେପିର ମିଥ୍ୟା ଅଭିଯୋଗକୁ ନେଇ ଦଳକୁ ଭର୍ତ୍ସନା କରିଛନ୍ତି ସ୍ୱାତୀ । ଗତ ଗୁରୁବାର ରାତିରେ ଦିଲ୍ଲୀ ଏମସ୍ ପଛପଟେ ରିୟଲିଟି ଚେକ୍ କରୁଥିବାବେଳେ ଜଣେ ମଦ୍ୟପ କାର୍ ଡ୍ରାଇଭର ସ୍ୱାତୀଙ୍କୁ ୧୦ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ସତ ନୁହେଁ ଏବଂ ଏକ ଷ୍ଟିଙ୍ଗ ଥିଲା ବୋଲି ବିଜେପି କହିବା ପରେ ଏହାକୁ ନେଇ ବର୍ଷିଛନ୍ତି ସ୍ବାତୀ । ଦିଲ୍ଲୀ ପୋଲିସକୁ ବଦନାମ କରିବା ଲାଗି ଏହା ଏକ ଅପରେସନ ଥିଲା ବୋଲି ବିଜେପି କହିବା ପରେ ଏହାକୁ ବିରୋଧ କରିଥିଲେ ସ୍ବାତୀ ।
ସେ କହିଛନ୍ତି- ତାଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଛି । ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଆସିଛନ୍ତି । ତାଙ୍କୁ ଅନେକ ସମୟରେ ଆକ୍ରମଣ କରାଯାଇଛି । ମାତ୍ର ସେ ଦବିବେ ନାହିଁ । ପ୍ରତି ଷଡ଼ଯନ୍ତ୍ର କ୍ଷେତ୍ରରେ ତାଙ୍କ ଭିତରେ ଥିବା ନିଆଁ ଅଧିକ ତେଜିଆନ ହେବ । ତାଙ୍କ ସ୍ବରକୁ କେହି ଦମନ କରିପାରିବେ ନାହିଁ । ସେ ବଞ୍ଚିଥିବା ଯାଏ ସଂଗ୍ରାମ ଜାରି ରଖିବେ । ଗତ ଗୁରୁବାରର ଘଟଣା ପ୍ରସଙ୍ଗରେ ବିଜେପି ପକ୍ଷରୁ କୁହାଯାଇଥିଲା- ଖୋଦ୍ କାର୍ ଚାଳକ ହରିଶ ଚନ୍ଦ୍ର ସୂର୍ଯ୍ୟବଂଶୀ ଜଣେ ଆପ୍ କର୍ମୀ ଏବଂ ସ୍ବାତୀଙ୍କ ଏହା ଥିଲା ଏକ ନାଟକ ।
କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି
କଟକ: କଟକ ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଯାହା ଓଡ଼ିଶାରେ ପ୍ରଥମ । ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି । ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୮ ଜଣ ଦକ୍ଷ ଡାକ୍ତରର ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ ।

