ବିବାହକୁ ୭ଦିନ ନପୂରୁଣୁ ଦୁର୍ଘଟଣାରେ ଚାଲିଗଲା ନବଦମ୍ପତିଙ୍କ ଜୀବନ

ବ୍ରହ୍ମପୁର: ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ସାତ ଦିନ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ । ଗତ ୧୦ ତାରିଖରେ ବ୍ରହ୍ମପୁର ଅଞ୍ଚଳର ସିଏଚ.ପ୍ରବଣିକାଙ୍କ ସହ ଇଚ୍ଛାପୁର ଅଞ୍ଚଳର ଜି.ବେଣୁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ବିବାହର ତୃତୀୟ ଦିନ ମା’ ଘରକୁ ଝିଅ ଓ ଜ୍ବାଇଁ ବ୍ରହ୍ମପୁର ଆସୁଥିବା ବେଳେ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଗୋଳନ୍ଥରା ଥାନା ନିକଟରେ ଏକ ବୋରୱେଲ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇଥିଲା ।

ଫଳରେ ଉଭୟ ରାସ୍ତା କଡ଼ରେ ଛିଟିକି ହୋଇ ଗୁରୁତର ଆହତ ହୋଇଥିଲେ । ଗୋଳନ୍ଥରା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରବଣିକା ଓ ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଟ୍ରାକ୍ଟର ଓ ବାଇକକୁ ପୋଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତି ସୂଚନା ଦେଇଛନ୍ତି ।