୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର; ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ । ଏକମାତ୍ର ଉତ୍ତରାଧିକାରୀ ହୋଇଥିଲେ ଅବିବାହିତ ଝିଅ ଭାବେ ବିବେଚିତ ହୋଇ ପରିବାର ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଓଡ଼ିଶା ପେନସନ ରୁଲ ୧୯୯୨ରେ ସଂଶୋଧନକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଜେଲରେ କୌଣସି କାରଣରୁ କଏଦୀଙ୍କ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଲାଗି ୧୦୦ ସିଟ୍ ବିଶିଷ୍ଟ ୨୩୭ଟି ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ ।

ସେହିପରି ଗଣଶିକ୍ଷା ବିଭାଗରେ ଛୁଟି ବା ଟ୍ରେନିଂରେ ଯିବା ପରେ ଖାଲି ପଡୁଥିବା ପଦବୀ ପୂରଣ ଲାଗି ଲିଭ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ ତିଆରି ହୋଇଛି । ବିମାନ ଇନ୍ଧନରେ ଭାଟ୍ ୧%କୁ ହ୍ରାସ କରାଯାଇଛି । ଫଳରେ ବିମାନ, ହେଲିକପ୍ଟର, ସିପ୍ଲେନ, ରାଜ୍ୟ ଭିତରେ ଥିବା ଯେକୌଣସି ଜାଗାକୁ ଉଡ଼ିବା ଖର୍ଚ୍ଚ କମିବ । MSME ଉନ୍ନୟନ ନୀତି ୨୦୧୬ରେ ସଂଶୋଧନ ସହା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ ଅଣାଯାଇଛି । ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁ ଅନୁମୋଦନ ମିଳିଛି ।

ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ଏକର ଅନୁମୋଦିତ କରିଛି କ୍ୟାବିନେଟ । ସେହିପରି ଜଟଣୀରେ ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଲ ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର ଜମି ଯୋଗାଇବେ । ଜଳ ସମ୍ପଦ ବିଭାଗର ଡ୍ରେନେଜ ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି । ବିଭାଗର ଏହି ନୂଆ ଯୋଜନା ଲାଗି କ୍ୟାବିନେଟରେ ଅର୍ଥ ମଧ୍ୟ ବ୍ୟୟବରାଦ ହୋଇଛି । ଡ୍ରିମସ୍ ବିଶ୍ବବିଦ୍ୟାଳୟ ୨୦୨୨ ବିଲରେ ସଂଶୋଧନ ପ୍ରସ୍ତାବକୁ ବି ମିଳିଛି ଅନୁମୋଦନ ।କ୍ୟାବିନେଟ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ର ବାର୍ଷିକ ବଜେଟକୁ ଅନୁମୋଦନ ମିଳିଛି । ଚଳିତ ବଜେଟର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି ।