spot_img
Home Blog Page 3667

ମହଙ୍ଗା ପଡ଼ିଲା କାନ୍ଥରେ ପୋଷ୍ଟର ଲଗାଇବା, ଏତଲା ଦେଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମସି । ମହଙ୍ଗା ପଡ଼ିଲା କାନ୍ଥରେ ପୋଷ୍ଟର ଲଗାଇବା । ନିୟମ ଭାଙ୍ଗି ରାଜଧାନୀର କାନ୍ଥରେ ପୋଷ୍ଟର ଲଗାଇବାରୁ ବିଏମସି ପକ୍ଷରୁ ବିଭିନ୍ନ ଥାନାରେ ଏକାଧିକ ଏତଲା ଦାୟର ହୋଇଛି । କେତେକ ସଂସ୍ଥା ବିରୋଧରେ ଏଫଆଇଆର ହୋଇଛି । ଭୁବନେଶ୍ବରରେ ରାସ୍ତାକଡ଼ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ବିଏମସି ସଚେତନ କରାଇଥିଲା ।

ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟରେ ବିଏମସି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଇଥିଲା । ଆଗକୁ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । ହେଲେ କିଛି ଅସାଧୁ ଲୋକ ଏହି ନିୟମକୁ ବେଖାତିର କରି ବାରମ୍ବାର ପୋଷ୍ଟର ଲଗାଇ ଚାଲିଛନ୍ତି। ବିଶ୍ବକପ୍ ଓ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦିଆଯାଉଛି। କାନ୍ଥରେ ବିଭିନ୍ନ ବିଷୟ ବସ୍ତୁକୁ ନେଇ ରଙ୍ଗୀନ ଚିତ୍ର ଅଙ୍କାଯିବ ।

ଭାରତୀୟ ସେନାରେ ସାମିଲ ହେଲା ଶକ୍ତିଶାଳୀ ଆଡଭାନ୍ସ ଲାଇଟ ହେଲିକପ୍ଟର ଏମକେ-୩

ନୂଆଦିଲ୍ଲୀ: ନଜରରୁ ବର୍ତ୍ତିବେନି ଅନୁପ୍ରବେଶକାରୀ। ସମୁଦ୍ର କୂଳରେ ଶତ୍ରୁକୁ ଦିଆଯିବ କଡ଼ା ଜବାବ । ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ତଟରକ୍ଷୀ ବାହିନୀ । ଇଣ୍ଡିଆନ କୋଷ୍ଟଗାର୍ଡରେ ସାମିଲ ହେଲା ଶକ୍ତିଶାଳୀ ଆଡଭାନ୍ସ ଲାଇଟ ହେଲିକପ୍ଟର ଏମକେ-୩ ।

ଏହି ଅତ୍ୟାଧୁନିକ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଘରୋଇ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ପକ୍ଷରୁ ଏହାର ନିର୍ମାଣ କରାଯାଇଛି । ଏହା ଏକ ମଲ୍ଟି ରୋଲ ହେଲିକପ୍ଟର । ଏଥିରେ ଅପଟିକାଲ ସେନସର ସହିତ ହାଇ ଇଣ୍ଟେନସିଟି ସର୍ଚ୍ଚ ଲାଇଟ ସୁବିଧା ରହିଛି । ଆକ୍ରମଣ ପାଇଁ ଏଥିରେ ଭାରି ମେସିନଗନ ଲଗା ଯାଇପାରିବ ।

ଏମକେ-୩କୁ ଏକ ଆମ୍ବୁଲାନ୍ସ ଭଳି ମଧ୍ୟ ଉପଯୋଗ କରାଯାଇପାରିବ । ଏହାକୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯିବ । ଯାହା ମାଧ୍ୟମରେ ତାମିଲନାଡ଼ୁରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ସମୁଦ୍ର ତଟ ଉପରେ ନଜର ରଖାଯାଇପାରିବ । ଆଗକୁ ପର୍ଯ୍ୟାୟକ୍ରମେ ୧୬ଟି ଏଲଏଚ ଏମକେ-୩ ଭାରତୀୟ କୋଷ୍ଟଗାର୍ଡରେ ସାମିଲ ହେବାର ଯୋଜନା ରହିଛି ।

ପଦମପୁର ଉପନିର୍ବାଚନ; ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ପଦମପୁର: ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦମପୁର ଯାଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ନବୀନ । ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିପାଇଁ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ ।

୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ସକାଳ ୧୧ଟା ୨୫ ମିନିଟରେ ଝାରବନ୍ଧ ଓ ୧୨ଟା ୩୦ରେ ପାଇକମାଳ ହାଇସ୍କୁଲ ପଡ଼ିଆରେ ନିର୍ବାଚନୀ ସଭାରେ ଯୋଗଦେବେ । ଅପରାହ୍ନ ୩ଟା ୩୦ରେ ପଦମପୁର ହାଇସ୍କୁଲ ପଡ଼ିଆରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବିଜେଡି ନେତା ଓ କର୍ମୀ ବେଶ୍‌ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପ୍ରତି ଜନସମର୍ଥନ ଦିନକୁ ଦିନ ବଢୁଛି। ନବୀନଙ୍କ ପ୍ରଚାର ଆହୁରି ଭୋଟ୍ ବଢ଼ାଇବ ବୋଲି ଦଳର ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି । ଏଥିପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଓ ଭିଆଇପିଙ୍କ ସୁରକ୍ଷା ସାଙ୍ଗକୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ପାଇଁ ବ୍ୟବସ୍ଥା କରାଯାଇଛି ।

ମହୁରି ସମ୍ମାନ ପାଇବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା, କବି ରଞ୍ଜନ କୁମାର ଦାସ

ଭୁବନେଶ୍ୱର: ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଘୋଷଣା କରାଯାଇଛି ମହୁରି ସମ୍ମାନ । ୨୦୨୨ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ତଥା ଗୀତିକାର ରଞ୍ଜନ କୁମାର ଦାସ । ଏବଂ ୨୦୨୧ ମସିହା ସମ୍ମାନିତ ହେବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଜଣେ ସୁସାହିତ୍ୟିକ ଭାବେ ବେଶ ପରିଚିତ ରଞ୍ଜନ କୁମାର ଦାସ । କବିତା ଲେଖିବାରେ ତାଙ୍କର ବେଶ କୃତି ରହିଥିବାବେଳେ ଓଡ଼ିଆ କଥାଚିତ୍ରରେ କାହାଣୀ, ସଂଳାପ ଓ ଗୀତ ମଧ୍ୟ ରଚନା କରିଛନ୍ତି । ବୃତ୍ତିରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେଉଛନ୍ତି ରଞ୍ଜନ । ସେ ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ୨୦୨୧ ମସିହା ପାଇଁ ମହୁରି ସମ୍ମାନ ପାଇବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଗାୟତ୍ରୀବାଳା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଗୋଟିଏ ପ୍ରବନ୍ଧ ପୁସ୍ତକ ଏବଂ ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।

୨୦୧୧ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି ଡକ୍ଟର ପଣ୍ଡା । ୨୦୧୫ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସେ ୧୭ ଦିନ ଅବସ୍ଥାନ କରିଥିଲେ । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ ।

ସର୍ଭର ଅଚଳ ଯୋଗୁଁ ବିମାନ ବନ୍ଦରରେ ଯାତ୍ରୀଙ୍କ ହରକତ୍

ମୁମ୍ବାଇ: ସର୍ଭର କ୍ରାସ ପରେ ମୁମ୍ବାଇ ବିମାନବନ୍ଦରରେ ବ୍ୟାପକ ବିଶୃଙ୍ଖଳା । ଟର୍ମିନାଲ ୨ରେ ଦେଖାଦେଇଛି ନାହିଁ ନଥିବା ଅବସ୍ଥା । ଶହ ଶହ ଯାତ୍ରୀ ହୋଇଛନ୍ତି ହରକତ । ସର୍ଭର ଅଚଳ ହେବା ପରେ ବହୁ ବିମାନ ଯାତ୍ରୀ ଚେକ୍ ଇନ କରିବା କ୍ଷେତ୍ରରେ ବିଫଳ ହୋଇଥିଲେ । ସର୍ଭର ଅଚଳ ହେବା ପରେ ଶତାଧିକ ଯାତ୍ରୀ ସମସ୍ୟାରେ ପଡିବା ସହ ଚେକ୍ ଇନ ଲାଗି ଅଧିକ ସମୟ ଦାବିରେ ନାରାବାଜି କରିଥିଲେ ।

ତେବେ ସମସ୍ୟାର ସମାଧାନ କରାଯାଉଛି ଏବଂ ଯାତ୍ରୀଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯିବ ବୋଲି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା । କେତେକ ବିମାନର ସମୟ ନିର୍ଘଣ୍ଟ ବି ବଦଳିଥିବା କୁହାଯାଇଛି । ସମୟ ବଦଳିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଥିଲା  । ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱଭାବିକ ହୋଇଥିଲା  ।

ତଦନ୍ତ ପାଇଁ ଯାଇଥିଲା ପୋଲିସ, ବନ୍ଧୁକ ଛଡ଼ାଇ ନେଲେ ଦୁର୍ବୁତ୍ତ

କଟକ: କଟକ ଅଞ୍ଚଳରେ ହଟହଟା ହେଲା ଢେଙ୍କାନାଳ ପୋଲିସ । ପୋଲିସଠାରୁ ବନ୍ଧୁକ ଛଡ଼ାଇନେଲେ ଦୁର୍ବୃତ୍ତ । ପୋଲିସକୁ ମାଡ଼ମାରି ବନ୍ଧୁକ ନେଇଗଲେ ଲୋକ । କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ବଜାରରେ ଘଟିଛି ଘଟଣା । ସୂଚନା ଅନୁସାରେ ଏକ ପ୍ରେମ ସମ୍ପର୍କିତ ମାମଲାରେ ଅଭିଯୁକ୍ତକୁ ଧରିବାକୁ ତିଗିରିଆ ଥାନା ପଙ୍କାଳ ଗାଁକୁ ଯାଇଥିଲା ଢେଙ୍କାନାଳ ସଦର ଥାନା ପୋଲିସ ।

ଅଭିଯୁକ୍ତର ସମ୍ପର୍କୀୟ ଭାଇକୁ ଉଠାଇ ନେଇଯାଉଥିବାବେଳେ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ସହ ଧସ୍ତାଧସ୍ତିରେ ଢେଙ୍କାନାଳ ସଦର ଥାନା ଏଏସଆଇ ଆହତ ହୋଇଛନ୍ତି । ତାଙ୍କ ଠାରୁ ଲୋକମାନେ ବନ୍ଧୁକ ଛଡାଇ ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଆଠଗଡ SDPO ପହଞ୍ଚି ତଦନ୍ତ ଚଳାଇଛନ୍ତି । କାହିଁକି ଲୋକ ଉତ୍ୟକ୍ତ ହେଲେ ଏବଂ ପୋଲିସ ସହ ସ୍ଥାନୟ ଲୋକଙ୍କ ବ୍ୟବହାରକୁ ନେଇ ତଦନ୍ତ ଚାଲିଛି  ।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗରେ ଆଇନଜୀବୀଙ୍କ ଆଲୋଚନା

ସମ୍ବଲପୁର: ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ସମ୍ବଲପୁର ଆସିଛନ୍ତି । ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମାନଙ୍କ ସହ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ ଆଲୋଚନା କରିଛନ୍ତି । ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ନିଖିଳ ଓଡିଶା ଅନିଜୀବୀ ସଂଘ ସମର୍ଥନ କରୁଛି । ରାଜ୍ୟ ସରକାର ମଧ୍ୟ ଆଇନଜୀବୀଙ୍କ ଦାବିକୁ ସମର୍ଥନ କରୁଛନ୍ତି । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଓ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ମଧ୍ୟ ଲେଖିଛନ୍ତି ।

ରାଜ୍ୟର ଓକିଲ ମାନଙ୍କର ସ୍ୱାର୍ଥର ସୁରକ୍ଷାର ଦାୟିତ୍ୱ ରାଜ୍ୟ ବାର କାଉନ୍ସିଲର । 50 ହଜାର ଓକିଲ ମାନଙ୍କ ଦାଇତ୍ବ ଏବେ ବାର କାଉନ୍ସିଲ ଅଫ ଇଣ୍ଡିଆ ଠାରେ ବନ୍ଧା ପଡିଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ନିଖିଳ ଓଡିଶା ଆଇନଜୀବୀ ସଂଘ ପକ୍ଷରୁ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ । ଏନେଇ ଗଣତାନ୍ତ୍ରିକ ଉପାୟରେ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

କମ୍ପିଲାଣି ପଦମପୁର, ଆସୁଛନ୍ତି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପଦମପୁରରେ ପ୍ରଚାର କରିବେ । ପଦମପୁର ନିର୍ବାଚନମଣ୍ଡଳୀର ତିନିଟି ସ୍ଥାନରେ ପ୍ରଚାର କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ବରଗଡ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଝାରବନ୍ଧ ବ୍ଲକ ଶକ୍ତି ଛକ ପଡିଆ ଠାରେ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି ।

ତେଣୁ ବଲାଙ୍ଗୀର ଏସପି ନିତିନ କୁଶଳକର ଆଜି ସଭା ସ୍ଥଳରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଏସଏଫ, ଓଡିଶା ପୋଲିସର ଯବାନ ଓ ଅଧିକାରୀଙ୍କ ସହ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସଭାସ୍ଥଳରେ କାରକେଡ, ସଭାମଞ୍ଚ ଓ ଭିଆଇପିଙ୍କ ସୁରକ୍ଷା ସାଙ୍ଗକୁ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ରହିବା ସହ ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ପାଇଁ ଅଧିକାରୀଙ୍କୁ ଏସପି ପରାମର୍ଶ ଦେଇଛନ୍ତି ।

୨୩ ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସର ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚଳିତ ବର୍ଷ ୨୩ ଟି ସ୍ପେସାଲିଷ୍ଟ୍ ବିଭାଗରେ ୨୪୯ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ନିୟୋଜନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ  ଶାଳିନୀ ପଣ୍ଡିତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଅଧିକ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଓଡ଼ିଆ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଛି । ଏହି ୨୭୪ ଜଣ ସ୍ପେସାଲିଷ୍ଟ୍ ମୁଖ୍ୟତଃ ନିଶ୍ଚେତକ, ଆନାଟୋମି, ବାଇଓ-କେମେଷ୍ଟ୍ରି, ଇ.ଏନ୍.ଟି., ଏଫ୍.ଏମ୍.ଆଣ୍ଡ ଟି., ମେଡିସିନ୍, ମାଇକ୍ରୋ-ବାଇଓଲୋଜି, ସ୍ତ୍ରୀ ଓ ପ୍ରସୁତି, ଚକ୍ଷୁ, ଅସ୍ଥି ଶଲ୍ୟ ସର୍ଜରୀ, ଶିଶୁ ଚିକିତ୍ସା, ପାଥୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ମାନସିକ ବିକାରଗ୍ରସ୍ତ, ରେଡିଓ-ଡାଇଗ୍ନୋସିସ୍, କମ୍ୟୁନିଟି ମେଡିସିନ୍, ଚର୍ମ ଓ ଭି.ଡି., ସର୍ଜରୀ, ଯକ୍ଷ୍ମା, ଜରୁରୀକାଳୀନ ମେଡିସିନ୍, ଫିଜିକାଲ ମେଡିସିନ୍ ଏବଂ ପୁନଃସ୍ଥାପନ ଆଦି ବିଭାଗରେ ନିୟୋଜିତ ହେବେ ।

ଟିକସ ଫାଙ୍କିବା ପଡିଲା ମହଙ୍ଗା, ୨ଟି ଟ୍ରକକୁ ୨କୋଟି ଫାଇନ୍

ମୟୂରଭଞ୍ଜ: ଦୁଇଟି ଟ୍ରକକୁ ୨କୋଟି ଟଙ୍କା ଫାଇନ୍  ।  ମାଲିକଙ୍କୁ ଟିକସ ଫାଙ୍କିବା ପଡିଲା ମହଙ୍ଗା । ଏବେ ଦୁଇଟି ଟ୍ରକ୍‌କୁ ଦୁଇ କୋଟିରୁ ଅଧିକ ଟଙ୍କାର ଫାଇନ୍ ପଡିଛି । ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ । ଦୁଇଟି ଟ୍ରକ ଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ଗୁଟକା ଓ ପାନ ମସଲା ନେଇ ଯାଉଥିବା ବେଳେ ମାଡିବସିଲା ବାରିପଦା ଓ ରାଉରକେଲା ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ୍ ।

ଟ୍ରକ୍ ଦୁଇଟିରେ ପ୍ରାୟ ୬ଶହରୁ ଅଧିକ ପେଟି ପାନ ମସଲା ଥିବା ବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ ବେଳେ କେନ୍ଦ୍ରୀୟ ଟିକସ ଦିଆଯାଇ ନଥିବା ଜଣାପଡିଥିଲା। ୨ ଟ୍ରକ୍‌କୁ ଅଟକ ରଖିବା ସହ ଜରିମାନା କରିଛି ଟିମ୍ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଟୋଲ ପ୍ଲାଜା ନିକଟରେ ଦୁଇଟି ଟ୍ରକକୁ ଜବତ କରାଯାଇଛି । ବାରିପଦା ସ୍ଥିତ କାର୍ଯ୍ୟାଳୟକୁ ଆଣିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।