ବରଯାତ୍ରୀଙ୍କୁ ବାଟବରଣୀ ବେଳେ କନ୍ୟା ପକ୍ଷଙ୍କ ଉପରେ ମାଡିଗଲା ସ୍କର୍ପିଓ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ମାଣ୍ଡିଆପଲ୍ଲୀ ଗାଁ ନିକଟରେ କନ୍ୟା ଯାତ୍ରୀର ବାଟବରଣ ବେଳେ ଦୁର୍ଘଟଣା ଘଟିଛି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୨ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଲାଞ୍ଜିପଲ୍ଲୀ କେଶବ ନଗରର ସ୍ବପ୍ନା ରେଡି, ସଞ୍ଜୁ ରେଡି ଓ ଭାରତୀ ରେଡି । ସମସ୍ତ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମାଣ୍ଡିଆପଲ୍ଲୀ ଗାଁରେ ବର ପକ୍ଷ ଲୋକ ଛିଡ଼ା ହୋଇଥିଲେ । କନ୍ୟା ଯାତ୍ରୀର ପ୍ରାୟ ୩୦ରୁ ଅଧିକ ଲୋକେ ତାଙ୍କୁ ବାଟବରଣ କରିବାକୁ ଛିଡ଼ା ହୋଇଥିବା ବେଳେ ଏକ ସ୍କର୍ପିଓ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ସହ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମଦ୍ୟପ ଗାଡ଼ି ଚାଳକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି ।