୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଫେବୃଆରୀ ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ଓ କୋଣାର୍କରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ କଟକ, ଖୋର୍ଦ୍ଧା ଓ ବୌଦ୍ଧର ଜିଲ୍ଲାପାଳ ଲୋକାଭିମୁଖୀ ରାଜସ୍ୱ ପ୍ରଶାସନ ସମ୍ପର୍କରେ ସୂଚନା ଦେଇଥିଲେ । ବୈଧାନିକ ଆବଶ୍ୟକତା କ୍ଷେତ୍ର ବ୍ୟତୀତ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନେକ ସେବା ସମ୍ପୂର୍ଣ୍ଣ ଅନଲାଇନ୍‌ ଅଟେ । ୫-‘ଟି’ କାର୍ଯ୍ୟକାରୀ ହେବା ପରେ ନାଗରିକ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଭୌତିକ ସମ୍ପର୍କ ହ୍ରାସ କରିବା ପାଇଁ ଅନେକ ବୈଷୟିକ ପଦକ୍ଷେପ ଆରମ୍ଭ ହୋଇଛି । ପରିବର୍ତ୍ତିତ ପ୍ରକ୍ରିୟା ଯୋଗୁଁ ଜମି ରେକର୍ଡ ସେବା କ୍ଷେତ୍ରରେ ବାଧ୍ୟତାମୂଳକ ସମୟସୀମାକୁ ଯଥେଷ୍ଟ ହ୍ରାସ କରାଯାଇଛି । ଜମି ମାଲିକାନା ପରିବର୍ତ୍ତନ ମାମଲା ପ୍ରତିଷ୍ଠା ପାଇଁ ତହସିଲ କାର୍ଯ୍ୟାଳୟକୁ ବିକ୍ରୟ କାରବାର ରିପୋର୍ଟ ସ୍ୱତଃସ୍ପୃତ ଭାବେ ପ୍ରେରିତ ହେଉଛି ଏବଂ ପଞ୍ଜୀକୃତ ବିକ୍ରୟ ବିବରଣୀ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ନାଗରିକଙ୍କ ନିକଟକୁ ପଠାଯାଉଛି ।

ଗତ କିଛି ବର୍ଷ ମଧ୍ୟରେ ସାତ ଦିନ ମଧ୍ୟରେ ହୋଇଥିବା କ୍ରୟ/ବିକ୍ରୟ କାରବାର ପଞ୍ଜୀକରଣର ରେକର୍ଡ ସଂଖ୍ୟକ ଜମିପଟ୍ଟା ଗୋଟିଏ ଦିନରେ ସଂଶୋଧନ କରାଯାଇଛି । ୨୦୨୨ରେ ପାଖାପାଖି ୨ ଲକ୍ଷ ଜମିପଟ୍ଟା ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ ଜରିଆରେ କିମ୍ବା ରାଜସ୍ୱ ରଥ ଦ୍ୱାରା ନାଗରିକଙ୍କ ନିକଟକୁ ପଠାଯାଇଛି । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଭାରତର ୭୫ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାର ୨୦ଟି ଜିଲ୍ଲା ୬ଟି ଉପାଦାନରେ ୯୯ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିବାରୁ ସଂପୃକ୍ତ ୨୦ଟି ଜିଲ୍ଲାକୁ କେନ୍ଦ୍ର ସରକାର ପ୍ଲାଟିନମ୍‌ ପୁରସ୍କାର ପ୍ରଦାନ କରିବେ । ନିକଟରେ ୮୦ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି ଏବଂ ଭର୍ଚୁଆଲ୍‌ ପ୍ଲାଟଫର୍ମ ଜରିଆରେ ଶୁଣାଣି ପରେ ପ୍ରାୟ ୩ ହଜାର ମାମଲାର ଫଏସଲା କରାଯାଇଛି । ତ୍ୱରିତ ଓ ନିର୍ଭୁଲ ଜମି ରେକର୍ଡ ସେବା ପାଇଁ ହାଇଟେକ୍‌ ସର୍ଭେକୁ ବିଭାଗ ତ୍ୱରାନ୍ୱିତ କରୁଛି । ଦେବଗଡ଼ ଜିଲ୍ଲାରେ ହାଇଟେକ୍‌ ସର୍ଭେ ଶେଷ ହୋଇଥିବାବେଳେ ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାକୁ ତ୍ୱରାନ୍ୱିତ କରାଯାଉଛି ।

ଦକ୍ଷ ମାନବସମ୍ବଳ ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ବିଭାଗ ମାଧ୍ୟମରେ ଅଧିକ ଲାଇସେନ୍ସପ୍ରାପ୍ତ ସର୍ଭେୟର ସୃଷ୍ଟି କରିବାକୁ ବିଭାଗ ପ୍ରଚେଷ୍ଟା କରୁଛି । ଆତ୍ମଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ନିଃଶୁକ୍ଳ ପ୍ରଦାନ କରିବାକୁ ବିଭାଗ ପଦକ୍ଷେପ ନେଇଛି । ୫-‘ଟି’ ଚାର୍ଟର ପ୍ରଚଳନ ପରେ ବିଗତ ୩ ବର୍ଷ ମଧ୍ୟରେ ଆତ୍ମଘୋଷଣା ଆଧାରରେ ପାଖାପାଖି ୫୦ ଲକ୍ଷ ଆବାସିକ ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ପ୍ରକ୍ରିୟାର ଡିଜିଟାଇଜେସନ୍‌ ଓ ପୁନର୍ଗଠନ ଯୋଗୁଁ ବିବିଧ ଏବଂ ଜାତିଗତ ପ୍ରମାଣପତ୍ରରେ ବାଧ୍ୟତାମୂଳକ ସମୟସୀମା ହ୍ରାସ କରାଯାଇଛି । ଜମିପଟ୍ଟାର ସ୍ତମ୍ଭ-୨ ସଂଶୋଧନ ପାଇଁ ପ୍ରତି ମାସରେ ୧୦୦ଟି ମ୍ୟìଟେସନ୍‌ ମାମଲା ଏବଂ ପାରସ୍ପରିକ
ସହମତି ଆଧାରରେ ୧୦୦ଟି ବିଭାଜନ ମାମଲା ରୁଜୁ କରିବାକୁ ସମସ୍ତ ତହସିଲଦାର/ଅତିରିକ୍ତ ତହସିଲଦାରମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ରାଜସ୍ୱ ବିଭାଗ ମଧ୍ୟ ଉନ୍ନୟନମୂଳକ ପ୍ରକଳ୍ପର ସହାୟକ । ବସୁନ୍ଧରା ଯୋଜନା ମାଧ୍ୟମରେ ପ୍ରାୟ ୬,୫୦,୦୦୦ ପରିବାରଙ୍କୁ ବାସୋପଯୋଗୀ ଜମି ମଞ୍ଜୁର କରାଯାଇଥିବାବେଳେ ୪,୫୦,୦୦୦ ପରିବାରକୁ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜମି ପଟ୍ଟା ପ୍ରଦାନ କରାଯାଇଛି । ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ଧାର୍ମିକ କିମ୍ବା ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପର୍ଯ୍ୟାପ୍ତ ଜମି ତ୍ୱରିତ ଆବଣ୍ଟନ କରାଯାଉଛି । ଜିଲ୍ଲା ରାଜସ୍ୱ ସମୀକ୍ଷା ଏବଂ ଲିନିୟର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ସମୀକ୍ଷା ମାଧ୍ୟମରେ ଜାତୀୟ
ରାଜପଥ, ରେଳବାଇ ଏବଂ ଜଳସେଚନ ନେଟୱାର୍କ ଭଳି ଲିନିୟର ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରାଯାଇଛି । ବିସ୍ଥାପିତ ପରିବାରଙ୍କ ସ୍ୱାର୍ଥ ସହ ବୁଝାମଣା ନକରି ଜମି ଅଧିଗ୍ରହଣକୁ ସୁବ୍ୟବସ୍ଥିତ କରିବା ପାଇଁ
ଆରଏଫସିଟିଏଲଏଆରଆର ଆଇନରେ ସଂଶୋଧନ କରାଯାଇଛି । ଶିଳ୍ପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଏମ୍‌ଏସ୍‌ଏମ୍‌ଇ, ଆଇଟି କିମ୍ବା ଆଇଟିଇଏସ୍‌ ୟୁନିଟ୍‌ ସପକ୍ଷରେ ଜମି ପଞ୍ଜୀକୃତ ହେଲେ ଷ୍ଟାମ୍ପ ଡ୍ୟìଟି ଏବଂ ପଞ୍ଜୀକରଣ ଶୁÂ ଛାଡ଼ କରିବା ପାଇଁ ଏକ ନୀତି ପ୍ରଣୟନ କରାଯାଇଛି । ପରିବେଶକୁ ବଜାୟ ରଖିବା ପାଇଁ କ୍ଷତିପୂରଣ ବନୀକରଣ ପାଇଁ ପ୍ରାୟ ୩୫,୦୦୦ ଏକର ଜମି ସଂରକ୍ଷିତ ରଖାଯାଇଛି ।

ଜନସାଧାରଣ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଶାରୀରିକ ସମ୍ପର୍କକୁ ଆହୁରି ହ୍ରାସ କରିବା ପାଇଁ ୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ତହସିଲରେ ସପ୍ତାହକୁ ୨ରୁ ୩ ଦିନ ନିୟମିତ କ୍ୟାମ୍ପ କୋର୍ଟ ଆୟୋଜନ କରିବାକୁ ସମସ୍ତ ତହସିଲକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସ୍ୱଚ୍ଛତା ଏବଂ ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଭଳି ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଅସୁବିଧା ମୁକ୍ତ ପଞ୍ଜୀକରଣ ଏବଂ ଆବେଦନକାରୀଙ୍କ ପ୍ରତୀକ୍ଷା ଓ କାର୍ଯ୍ୟାଳୟରେ ଭିଡ଼ କମାଇବା ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ । ଆବଶ୍ୟକସ୍ଥଳେ ଅଧିକ ପଞ୍ଜୀକରଣ କାର୍ଯ୍ୟାଳୟ, ଆରଆଇ ସର୍କଲ ଏବଂ ଅଧିକ ସଂଖ୍ୟକ ଗ୍ରାମ ଖୋଲାଯିବ । ଏତଦବ୍ୟତୀତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗତ ଓଏଲ୍‌ଆରଏମ୍‌ଏସ୍‌ ବୈଠକରେ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସଠିକ ଓ ଦ୍ରୁତ ଜମି ରେକର୍ଡ ସେବା ପାଇଁ ସମସ୍ତ ଜିଲ୍ଲାରେ ହାଇଟେକ୍‌ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ସମସ୍ତ ଜିଲ୍ଲା, ସବ୍‌ଡିଭିଜନ ଓ ତହସିଲରେ ଓସ୍ୱାସ୍‌ ସଂପ୍ରସାରଣ ପାଇଁ ପ୍ରସ୍ତାବ ରହିଛି ।