ସବୁ ପୋଲିସ୍ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କଲା କମିଶନରେଟ ପୋଲିସ୍

1 min read

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ପରେ ନିଦରୁ ଉଠିଲା ପୋଲିସ । ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି । ହେଡକ୍ବାର୍ଟର, ଟିମ୍ ୬୦, ଓଏସଏପି ଫିଟ୍ ରହିବେ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଡ୍ୟୁଟିର ସୁବିଧା ଅନୁଯାୟୀ ସକାଳ ୬ଟା ଏବଂ ସନ୍ଧ୍ୟା ୪ଟାରେ ନିଜ ନିଜ କ୍ୟାମ୍ପସରେ PT କରାଯିବ । ଫିଟନେସ୍ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବେ । ସେଠାରେ ଉପସ୍ଥାନ ନିଆଯିବ, ଏବଂ ଏହା ମାସିକ ହାରାହାରି ୮୦% ରୁ କମ୍ ହେବା ଉଚିତ୍ ନୁହେଁ ।

ଓଜନ ଉପରେ ଗୁରୁତ୍ବ ଦିଆଯାଇ ଏହାକୁ ନିୟମିତ ଭାବେ ତଦାରଖ କରାଯିବ । ଶାରୀରିକ ଉନ୍ନତି ତଥ୍ୟ ଗୁଡ଼ିକ ପ୍ରତ୍ୟେକ ୪୦ ଦିନରେ ରେକର୍ଡ କରାଯିବ । ତମାଖୁ ଦ୍ରବ୍ୟ ଏବଂ ମଦ୍ୟପାନର ବ୍ୟବହାର କମ୍ କରିବାକୁ ଚାପ ପକାଯିବ । ୟୁନିଫର୍ମରେ ସ୍ମାର୍ଟ ଲୁକକୁ ଗୁରୁତ୍ୱ ଦିଆଯିବା ସହ ସକ୍ରିୟ ଭାବରେ କାମ କରିବାକୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।