spot_img
Home Blog Page 3656

ଆଇବିଏମ କର୍ପୋରେସନରେ ବଡ଼ ଧରଣର ଛଟେଇ

Bନୂଆଦିଲ୍ଲୀ : ଆଇବିଏମ କର୍ପୋରେସନରେ ବଡ଼ ଧରଣର ଛଟେଇ । ପୁଞ୍ଜି ପ୍ରତ୍ୟାହାର ଓ ଆର୍ଥିକ ସଙ୍କଟ କାରଣରୁ 3 ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ଆଇବିଏମ । ଛଟେଇ ହେବାକୁ ଥିବା କର୍ମଚାରୀ ସଂଖ୍ୟା ହେଉଛି ମୋଟ ସଂଖ୍ୟାର ୧ ଦଶମିକ ୫ ପ୍ରତିଶତ । ତେଣେ ଆଇବିଏମର ନିବେଶକମାନେ ଅଧିକ ଛଟେଇ ଲାଗି ପ୍ରସ୍ତାବ ଦେଇଛନ୍ତି ।

ଗତ ୨୦୨୨ରେ ୧୦ ବିଲିୟନ ଡଲାର ରେଭିନ୍ୟୁ ଆବଶ୍ୟକ ଥିବାବେଳେ ଆଇବିଏମ ପାଇଥିଲା ୯ ଦଶମିକ ୩ ବିଲିୟନ ଡଲାର । ଗତବର୍ଷ ବିଭିନ୍ନ ବିଶ୍ବସ୍ତରୀୟ କମ୍ପାନୀ ପ୍ରାୟ ୭୦ ହଜାର କର୍ମଚାରୀ ଛଟେଇ କରିଥିଲେ । ଆଲଫାବେଟ ୧୨ ହଜାର, ଆମାଜନ ୧୮ ହଜାର, ମେଟା ୧୧ ହଜାର, ଟ୍ବିଟର ୪ ହଜାର, ମାଇକ୍ରୋସଫ୍ଟ ୧୦ ହଜାର, ସେଲସଫୋର୍ସ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ସେହିପରି ଟେସଲା, ନେଟଫ୍ଲିକ୍ସ, ରବିନ ହୁଡ. ସ୍ନାପ, କଏନବେସ, ସ୍ପଟିଫାଏ ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି ।

ନାଇଜେରିଆ ଭୟଙ୍କର ବିସ୍ଫାରଣ ,୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାଇଜେରିଆ ଭୟଙ୍କର ବିସ୍ଫାରଣ । ବୋମା ମାଡ଼ରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା । ସମସ୍ତ ଆହତ ମାନଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫାରଣ ହୋଇଥିବା ବେଳେ ବୁଧବାର ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।

ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ସେହି ସମୟରେ ହଠାତ୍ ଘଟିଥିଲା ଭୟଙ୍କର ବିସ୍ଫୋରଣ  । ଆଉ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା  ।  ବିସ୍ଫାରଣ ପରେ ୫୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତରଙ୍କ ପତା ମିଳିନାହିଁ । ଏପରି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ଅଛି ତାହାର ସୂଚନା ମିଳିନାହିଁ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ଛାନବିନ୍ କରୁଛି ସୁରକ୍ଷା ଏଜେନ୍ସି ।

ଏହି ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ଗଭୀର ଦଃଖ ପ୍ରକାଶ କରିଛନ୍ତି  । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡି ନାହିଁ । ବିସ୍ଫାରଣ କିପରି ଏବଂ କାହିଁକି ହୋଇଛି ତାହା ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡି ଯୁବ ଏବଂ ଛାତ୍ର ନେତାମାନେ ଯୋଗ ଦେଇଥିଲେ ।

ସମସ୍ତେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ । ଦେଶ ସ୍ବାଧୀନ ହେବା ପରେ ସମ୍ବିଧାନ ପ୍ରଣୟନ ପରଠାରୁ ଆଜିର ଦିନ ବେଶ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶ ଆଗେଇ ଚାଲିଛି ବୋଲି ଦେବୀ ମିଶ୍ର କହିଛନ୍ତି ।

ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ଆଜି ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫୦ ଟି କଣ୍ଟିଜେଣ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ଏହାସହ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼, ସ୍କେଟିଂ ଏକାଡେମୀ ପକ୍ଷରୁ ପିଲାଙ୍କ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହେବ । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ, ପଶୁ ନୃତ୍ୟକୁ ନେଇ 4ଟି ଦଳକୁ ଏଥର ସାମିଲ କରାଯାଇଛି । ପରେଡର ନେତୃତ୍ବ ନେବେ କେସିଙ୍ଗା SDPO ୟସ୍ ପ୍ରତାପ ଶ୍ରୀମାଲ ।

ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ବଛା ବଛା ପୋଲିସ ଅଧିକାରୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଛି । ଗାନ୍ଧିମାର୍ଗକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ ସହ ସିସିଟିଭିରେ ନଜର ରଖାଯାଇଛି ।

ଆଜି ସରସ୍ବତୀ ପୂଜା : ଶିକ୍ଷାନୁଷ୍ଠାନରେ ଚାଲିଛି ମା’ ବାଗଦେବୀଙ୍କ ପୂଜା

ଭୁବନେଶ୍ବର : ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଦୁଇବର୍ଷର କରୋନା କଟକଣା ପରେ ଏବର୍ଷ ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି ।

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ପ୍ରଥମ ଥର କର୍ତ୍ତବ୍ୟ ପଥରେ ହେବ ଭବ୍ୟ ପରେଡ୍

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ଏହି ଦିନକୁ ପାଳନ କରିଆସୁଛି ।

ଆଜି ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଛି ଗଣତନ୍ତ୍ର ଦିବସ ଭବ୍ୟ ପରେଡ୍ । ଅତିଥି ଭାବେ ମଞ୍ଚ ମଣ୍ଡନ କରିବେ ଇଜିପଟ ରାଷ୍ଟ୍ରପତି ଅବଦେଲ ଫତହ ଏଲ୍-ସିସି । ଇଜିପଟର ସମ୍ମାନାର୍ଥେ ଦେଶର ଏକ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବ ।

ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହେବେ ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟର ଲିଡ୍ ନେବେ ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ସ୍ବଦେଶ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।

ବାଣପୁରରେ ଚାଞ୍ଚଲ୍ୟ, କଲେଜ ଛାତ୍ରଙ୍କୁ କିଡନାପ କରି ମର୍ଡର

ବାଣପୁର: ବାଣପୁରରେ ଚାଞ୍ଚଲ୍ୟ । କଲେଜ ଛାତ୍ରଙ୍କୁ କିଡନାପ କରି ମର୍ଡର । ବାଣପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟା । ଛାତ୍ରଙ୍କୁ ମାରି ପରିତ୍ୟକ୍ତ କୂଅରେ ଫୋପାଡ଼ିଦେଲେ ଅଭିଯୁକ୍ତ । ମୃତକ ହେଲେ ବଡ଼ହନ୍ତୁଆଡ଼ ଗାଁ ଖମାର ସାହିର ଆଶୁତୋଷ ମହାପାତ୍ର । ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପାଠ ପଢୁଥିଲେ । ଗତ ସୋମବାରଠୁ ନିଖୋଜ ଥିଲେ ଆଶୁତୋଷ ।

ଦୁର୍ବୃତ୍ତ ଅପରହଣ କରିନେଇ ଆଶୁତୋଷଙ୍କ ବାପାଙ୍କୁ ଫୋନ ଯୋଗେ ଟଙ୍କା ମାଗିଥିଲେ । ମୁଣ୍ଡ ଜାମିନ ରଖି ୫ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଆଶୁତୋଷଙ୍କ ମାଆ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରିଥିଲା । ଏହି ସମୟରେ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିବା ସ୍ବୀକାର କରିଥିଲା ଅଭିଯୁକ୍ତ । ଦଉଡିରେ ବେକକୁ ଚିପି ହତ୍ୟା କରି କୂଅରେ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ ।

ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ, ଗଣତାନ୍ତ୍ରିକ ମର୍ଯ୍ୟାଦା ବଜାୟ ରଖିବାକୁ ଶପଥ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଆଜି ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଜାତୀୟ ମତଦାତା ଦିବସ ପାଳନ ପରିପ୍ରେକ୍ଷୀରେ ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସୀ ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ନାଗରିକଙ୍କୁ ଶପଥ ପାଠ କରାଇଥିଲେ ।

ଆୟୋଜିତ ସାଧାରଣ ସଭାରେ ରାଜ୍ୟପାଳ କହିଥିଲେ ଯେ, ଭୋଟରମାନେ ହେଉଛନ୍ତି ଭାରତର ସମ୍ମାନ । ସେମାନେ ଗଣତନ୍ତ୍ରର ଶକ୍ତ ଓ ସାମର୍ଥ୍ୟ । ସେମାନଙ୍କ ମତଦାନର ମୂଲ୍ୟରେ ଗଣତାନ୍ତ୍ରିକ ଶାସନ ଠିକ୍ ଭାବେ ପରିଚାଳିତ ହୋଇଥାଏ ବୋଲି ପ୍ରକାଶ କରିବା ସହିତ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟରମାନଙ୍କର ଯୋଗଦାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।

ମହଙ୍ଗା ପଡିଲା ଆକ୍ରମଣ, ୟୁପି ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ୧ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: ମହଙ୍ଗା ପଡିଲା ଆକ୍ରମଣ । ଉତ୍ତର ପ୍ରଦେଶର ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ନନ୍ଦୀଙ୍କୁ ୧ ବର୍ଷ ଜେଲଦଣ୍ଡ । ଦଣ୍ଡାଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ଜିଲ୍ଲା କୋର୍ଟ । ୨୦୧୪ରେ ନିର୍ବାଚନ ରାଲିରେ ସମାଜବାଦୀ ପାର୍ଟିର ଜଣେ କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ସେତେବେଳେ ନନ୍ଦ ଗୋପାଳ କଂଗ୍ରେସରେ ଥିଲେ । ମାମଲାର ବିଚାର କରି ସ୍ବତନ୍ତ୍ର ଏମପି-ଏମଏଲଏ କୋର୍ଟ ଆଇପିସିର ଧାର ୧୪୭ ଓ ଧାରା ୩୨୩ ଅନୁସାରେ ନନ୍ଦ ଗୋପାଳଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।

ଜେଲ ଦଣ୍ଡାଦେଶ ପାଇବା ପରେ ନନ୍ଦଗୋପାଳଙ୍କୁ ଜାମିନ ମିଳିଛି । ଫଳରେ ସେ ଉପର କୋର୍ଟରେ ଏନେଇ ଆବେଦନ କରିପାରିବେ । ତତକାଳୀନ ସମାଜବାଦୀ ପାର୍ଟି ସରକାର ତାଙ୍କ ବିରୋଧରେ ମିଛ ମାମଲା ରୁଜୁ କରିଥିଲା ବୋଲି କହିଥିଲେ ନନ୍ଦ ଗୋପାଳ ।

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର, ଓଡ଼ିଶାର ୪ ଜଣଙ୍କୁ ମିଳିବ ପ୍ରଦ୍ମଶ୍ରୀ ସମ୍ମାନ  

ନୂଆଦିଲ୍ଲୀ: ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁରଙ୍କୁ ସମ୍ମାନ ମିଳିବ  । କେନ୍ଦୁଝରରେ ୧୯୩୭ ମସିହା ଫେବୃଆରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମାଗୁଣି ଚରଣ କୁଅଁର । ଏକାଧାରରେ ଜଣେ କଣ୍ଢେଇ ନୃତ୍ୟଗୁରୁ, କାଠ, ମାଟି ଓ ପ୍ରସ୍ତରର ନିଖୁଣ କାରିଗର ହେଉଛନ୍ତି ମାଗୁଣି । ତାଙ୍କୁ ସମସ୍ତେ ନୁନ୍ଦୁ କଣ୍ଢେଇ ଭାବେ ଜାଣନ୍ତି । ସେ ଭଞ୍ଜ ସମ୍ମାନ, ବୁଦ୍ଧ ସମ୍ମାନ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି  । ୨୦୧୯ ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ସମ୍ମାନ ପାଇବେ । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ସମ୍ମାନ ପ୍ରଦାନ କରାଯିବ । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।