ଘଟଣା, ଦୁର୍ଘଟଣା ଓ ଅପରାଧ: ୬ ମୃତ, ୫ ଆହତ

ଭୁବନେଶ୍ବର: ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ଘଟଣା ଓ ହତ୍ୟା । ବିଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ହୋଇଛନ୍ତି ଆହତ ।

ଅଟୋ ଓଲଟି ୩ ମୃତ

ଅନୁଗୁଳ ଶଙ୍ଖପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରାସାମ୍ୟ ହରାଇ ଓଲଟି ପଡିଲା ଅଟୋ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଜାଗର ଦେଖି ମୃତ ଯାତ୍ରୀ ଓ ଆହତ ହିଂଜାଡୋଲିରୁ ରାଇଗୁଡାକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ସମସ୍ତ ଯାତ୍ରୀ କୁଲାସିଂହା ଗାଁର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଅଟୋ ଚାଳକଙ୍କର ମୃତ୍ୟୁ ହୋଇଛି ।

ଦଳି ଦେଲା ହାତୀ

ଢେଙ୍କାନାଳ ସଦର ରେଞ୍ଜ କାକୁଡି ଭାଗ ଗାଁରେ ଦନ୍ତା ଆତନ୍ତ । ଜଣଙ୍କୁ ଦଳି ମାରି ଦେଲା ହାତୀ । ମୃତକ ହେଲେ ୫୮ ବର୍ଷୀୟ ଜୟନନ୍ଦ ସୁତାର । ଜୟନନ୍ଦ ସକାଳୁ ଘର ପଛ ପଟ ଗୁହାଳ ନିକଟକୁ ଯାଇଥିଲେ। ସେଠାରେ ଗୋଠଛଡା ହୋଇ ବୁଲୁଥିବା ଗୋଟିକିଆ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହିଁ ଜୟନନ୍ଦଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସାବତ ମାଆ ନେଇଗଲା ଜୀବନ

ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ଅଭାବନୀୟ ଘଟଣା । ସମ୍ପତ୍ତି ଲୋଭରେ ସାବତ ମାଆ ସାଜିଲା ହତ୍ୟାକାରୀ । କେବଳ ସମ୍ପତ୍ତି ନୁହେଁ, ବିବାହ କରିବାକୁ ପୁଅ ଜିଦ୍‌ କରିବାରୁ ପିଟିପିଟି ମାରିଦେଲା ସାବତ ମାଆ ଓ ନିଜ ଭାଇ । ମୃତଦେହ ଜବତ କରି ଦଶପଲ୍ଲା ଥାନା ପୋଲିସର ତଦନ୍ତ ଜାରି ରଖିଛି ।

ଅଭିଯୋଗ ଅନୁଯାୟୀ ବିଜୟ କୁମାର ପ୍ରଧାନ ଭଲ ପାଇଥିବା ଝିଅକୁ ବିବାହ ପାଇଁ ଜିଦ୍‌ ଧରିବାରୁ ସାବତ ମାଆ ଏବଂ ସାନ ଭାଇ ସେହି ପ୍ରସ୍ତାବକୁ ବିରୋଧ କରିଥିଲେ । ଏହି କାରଣରୁ ବିଜୟଙ୍କୁ ସାନ ଭାଇ ଏବଂ ସାବତ ମାଆ ମିଶି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବିଜୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ଟ୍ରକ୍ ହେଲପରଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତସିଂହପୁରରେ ଟ୍ରକ୍ ହେଲପରଙ୍କ ସନ୍ଦେହଜନକ ମୃତ୍ୟୁ । ଧାନ ବୋଝେଇ ଟ୍ରକ୍ ସହ ଡ୍ରାଇଭର ଅଟକ । ଥାନାରେ ଏତଲା ଦେଲେ ଟ୍ରକ ମାଲିକ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ଟ୍ରକ କୋଲକାତାରୁ ଆଳୁ ଆଣି ନିମାପଡାରେ ଅନଲୋଡ କରିବା ପରେ ଜଗତସିଂହପୁରରୁ ଧାନ ନେଇ ସମ୍ବଲପୁର ଯାଉଥିଲା । ଜଗତସିଂହପୁରଠାରୁ ମାତ୍ର ୮ କିମି ଯିବା ପରେ ତରିକୁନ୍ଦ ଫାଣ୍ଡି ଅନ୍ତର୍ଗତ ଧନୀପୁରରେ କେହି ଦୁର୍ବୃତ୍ତ ଢେଲା ମାରି ଥିବା ଅଭିଯୋଗ ହୋଇଛି । ଟ୍ରକ୍ କାଚ ଭାଙ୍ଗିବା ସହ ହେଲପର ଗୋପାଳର ମୁଣ୍ଡରେ ବାଜିଥିଲା । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ କେନ୍ଦ୍ରାପଡା ସାଇଣ୍ଟିଫିକ ଟିମ ଓ ଜଗତସିଂହପୁର ପୋଲିସ ତଦନ୍ତ କରୁଥିବା ବେଳେ ଟ୍ରକରୁ ପୋଲିସକୁ ମିଳିନି କୌଣସି ଢେଲା । ତେଣୁ ସନ୍ଦେହ ଘେରରେ ଡ୍ରାଇଭର ରହିଛନ୍ତି । ଡ୍ରାଇଭର ଆଶିଷ ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାଲିକକୁ ପଚରାଉଚରା କରିଛି ।