ପଚରାଉଚରା ପାଇଁ ସିବିଆଇକୁ ସମୟ ମାଗିଲେ ସିସୋଦିଆ

ନୂଆଦିଲ୍ଲୀ: ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ନିକଟରେ ହାଜର ହେବାକୁ ମାଗିଲେ ସମୟ । ଦିଲ୍ଲୀ ବିଧାନସଭା ବଜେଟ୍ କାମ ଚାଲିଥିବାରୁ ସମୟର ମହତ୍ବ ରହିଛି । ତେଣୁ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲି ସିବିଆଇ ସିସୋଦିଆଙ୍କୁ ନୋଟିସ୍ କରିବା ସହ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।

ସିସୋଦିଆ କହିଛନ୍ତି, ‘ଗୋଟିଏ ଦିନ ପୂର୍ବରୁ ସିବିଆଇ ମଦ ନୀତି ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ ପଠାଇଥିଲା । ଏବେ ଦିଲ୍ଲୀ ବଜେଟ ପ୍ରସ୍ତୁତ ହେଉଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସହ ତାଙ୍କ ଅଧୀନରେ ଅର୍ଥ ବିଭାଗ ଥିବାରୁ ଏହି ସମୟ ତାଙ୍କ ପାଇଁ ବହୁତ ଗୁରୁତ୍ବ ପୂର୍ଣ୍ଣ । ବଜେଟ କାମରେ ମୁଁ ଏବେ ବ୍ୟସ୍ତ ଅଛି । ତେଣୁ ମାସର ଶେଷ ଆଡକୁ ସମୟ ଦିଆଯାଉ ।’

ଆଗକୁ ସେ କହିଛନ୍ତି, ‘ଫେବୃଆରୀ ଶେଷ ମଧ୍ୟରେ ବଜେଟ ପ୍ରସ୍ତୁତି ଶେଷ କରିବାକୁ ଚେଷ୍ଟା କରୁଛୁ । ଏହାପରେ କେନ୍ଦ୍ର ସରକାରଙ୍କ ପାଖକୁ ଏହା ମଞ୍ଜୁରୀ ପାଇଁ ଯିବ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପରେ ଦିଲ୍ଲୀ ବିଧାନସଭାରେ ବଜେଟ୍ ଆସିଥାଏ । ଫେବୃଆରୀ ଶେଷ ସପ୍ତାହ ହୋଇଥିବାରୁ ପ୍ରତିଟି ସମୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ।’

ଫେବୃଆରୀ ଶେଷ କିମ୍ବା ତା’ପରେ ଯେ କୌଣସି ଦିନ ଦେଲେ ସେ ପଚରାଉଚରା ପାଇଁ ହାଜର ହୋଇପାରିବେ ବୋଲି କହିଛନ୍ତି । ଏହାସହ ସେ ଆଗକୁ କହିଛନ୍ତି, ‘ମୁଁ ସବୁବେଳେ ତଦନ୍ତରେ ସହଯୋଗ କରିଆସିଛି । ଆଗକୁ ବି ପୂର୍ଣ୍ଣ ସହଯୋଗ କରିବି । ଫେବୃଆରୀ ଶେଷକୁ ସିବିଆଇ ପଚରାଉଚରା ପାଇଁ ଡକାଇଲେ ଖୁସି ହେବି ।’