ସୁପ୍ରିମକୋର୍ଟ ଗଲା ଶିବସେନା ଲଢ଼େଇ

ମୁମ୍ବାଇ: ଶିବସେନା କାହାର ? ଏ ବିବାଦ ଥମିବାର ନାଁ ନେଉନି । ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରିବା ପରେ ପୁଣି ତେଜିଛି ବିବାଦ । ଯାହା ସୁପ୍ରିମକୋର୍ଟରେ ପହଞ୍ଚିଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାବିଏଟ ଦାଖଲ କରାଯାଇଛି । ଏହାର ଜବାବ ଦେବାକୁ ଯାଇ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅନଲାଇନରେ ଆପତ୍ତି ଦାଖଲ କରାଯାଇଛି । ଏଥିରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯିବା ସହ ଫେବୃଆରୀ ୨୦ରେ ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଦର୍ଶାଇ ଏଥିରେ ରହିତାଦେଶ ଜାରି କରିବାକୁ ଉଦ୍ଧବ ଗୋଷ୍ଠୀ ଆବେଦନ କରିଛି ।

ଠାକରେ ଗୋଷ୍ଠୀର ଓକିଲ କପିଲ ଶିବଲଙ୍କ ଅନୁସାରେ ନିର୍ବାଚନ ଆୟୋଗଙ୍କ ଆଦେଶରେ ଆଇନଗତ ତ୍ରୁଟି ରହିଛି । ଯାହାକୁ ଆଧାର କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।