spot_img
Home Blog Page 3619

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ସ୍ୱାଧିକାର କମିଟି ସଦସ୍ୟ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ହେଲେ ସ୍ବାଧିକାର କମିଟି ସଦସ୍ୟ । ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ସ୍ଥାନରେ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମନୋନୀତ କଲେ ରାଜ୍ୟସଭା ଅଧ୍ୟକ୍ଷ । ଏନେଇ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ।

ହକି ବିଶ୍ୱକପ୍ ପାଇଁ ଉତ୍ସାହ; ଅଫଲାଇନ୍ ବିକ୍ରିର ପ୍ରଥମ ଦିନରେ ସରିଗଲା ଭାରତ ମ୍ୟାଚର ମମସ୍ତ ଟିକେଟ୍

ଭୁବନେଶ୍ୱର: ରାଜଧାନୀରୁ ରାଉରକେଲା । ବିଶ୍ବ କପ ହକି ପାଇଁ ପ୍ରବଳ ଉତ୍ସାହ । ଅଫଲାଇନ୍ ଟିକେଟ ବିକ୍ରିର ପ୍ରଥମ ଦିନରେ ହିଁ ସରିଗଲା ଭାରତ ମ୍ୟାଚର ସମସ୍ତ ଟିକେଟ । ଏବେ ଅନ୍ୟ ମ୍ୟାଚଗୁଡିକ ପାଇଁ ଟିକେଟ ବିକ୍ରି ଜାରି ରହିବ । ଅନଲାଇନ ପରେ ଆଜି ଠାରୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ପାଇଁ ବକ୍ସ ଅଫିସ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି ।

ଟିକେଟ କାଉଣ୍ଟର ଦିନ ୧୧ରେ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଭୋର ୫ଟୁ ଟିକେଟ୍ କିଣିବା ପାଇଁ ଲମ୍ବା ଲାଇନରେ ଛିଡାହୋଇ ଟିକେଟ କିଣିଥିଲେ ଲୋକେ । କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ସାମ୍ନାରେ ଥିବା ପୋଲିସ ବାଟାଲିଆନ ପଡ଼ିଆରେ ଟିକେଟ୍ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଖୋଲିଥିବା କାଉଣ୍ଟରରେ କେବଳ ୧୩ ତାରିଖ ଓ ୧୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଟିକେଟ୍ ବିକ୍ରି କରାଯାଉଛି ।

ସ୍କୁଲରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା, ୯୬ଜଣ କନିଷ୍ଠ ଶିକ୍ଷକ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ଥିବା ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ୧୫୪ ଜଣ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି । ସେହିପରି ଅନୁପସ୍ଥିତ ରହୁଥିବା ୯୬ ଜଣ ପ୍ରାଥମିକ ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ବ ଦେଇ ଆସୁଛି ।

ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି । ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ସେଣ୍ଟ୍ରାର ଜୋନର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶିକ୍ଷମାନେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ନଜରକୁ ଆସିଛି । ତେଣୁ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ନୂଆପଡ଼ା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷାରେ ସେ ଉଦ୍ୟୋଗଗୁଡ଼ିକୁ କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ, ଉଦ୍ୟାନକୃଷି, ପିସିକଲଚର, ପଶୁପାଳନ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଦକ୍ଷତା ବିକାଶରେ ଓର୍‌ମାସ୍‌ ଓ ମିଶନ ଶକ୍ତି କାର୍ଯ୍ୟ କରିବା ଏବଂ ପାରମ୍ପରିକ ବ୍ୟାଙ୍କ ଋଣ ସହାୟତାରୁ ଦୂରେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଲାଭ ଉଠାଇବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ ।

ନିକଟରେ ଆୟୋଜିତ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶାର ନୂଆ ଶିଳ୍ପ ସଂକଳ୍ପ ଅନୁଯାୟୀ କାମ କରିବା ଉପରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରବର୍ତ୍ତାଇଥିଲେ । ଏହି ସମୀକ୍ଷା ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲ୍ଲାପାଳ ହେମ କାନ୍ତ ସଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇ ଏହା ଦ୍ୱାରା ଜିଲ୍ଲାର ଦୃତ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ ।

ସମସ୍ତେ ଏକାକୀ କାର୍ଯ୍ୟ ନକରି ଏକ କ୍ଲଷ୍ଟର ଆପ୍ରୋଚରେ ବିଭିନ୍ନ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ତା’ର ପ୍ରଭାବ ଅର୍ଥନୈତିକ ବିକାଶରେ ପ୍ରତିଫଳିତ ହେବ । ବିଶେଷ ଭାବେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ’ ର ଫାଇଦା ଉଠାଇବା ଏବଂ କ ଷୃିଭିତ୍ତିକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେବାକୁ ଜନସାଧାରଣଙ୍କୁ ବୁଝାଇବା ପାଇଁ ଅଧିକାରୀମାନଙ୍କୁ କହିଥିଲେ ।

ସେ ଏସବୁ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକୁ ସାମିଲ କରିବାକୁ ପରାମର୍ଶ ଦେିଥିଲେ । ସେ କୋମନା ବ୍ଲକ୍‌ର ଇଚ୍ଛାପୁରଠାରେ କରାଯାଇଥିବା ମିଲେଟ୍‌ ପ୍ରକ୍ରିୟାକରଣ ୟୁନିଟ୍‌, ଯାହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଆର୍ଥିକ ସହାୟତାରେ ଗଢ଼ିଉଠିଛି, ତା’ର ଉଦାହରଣ ଦେଇ ନୂଆପଡ଼ା ଜିଲ୍ଲା କୃଷି ଉଦ୍ୟୋଗ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପରେ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଜନପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।

ଓଡ଼ିଆ ଖାଦ୍ୟ ପରସିବାକୁ ନିବେଦନ କଲେ ଗୋଲକିପର ଶ୍ରୀଜେଶ, 5-ଟି ସଚିବ କହିଲେ ନିଶ୍ଚୟ…

ଭୁବନେଶ୍ୱର: ଭାରତୀୟ ହକି ଦଳର ଗୋଲକିପର ଶ୍ରୀଜେଶଙ୍କ ପ୍ରଶ୍ନର ଉତ୍ତର ଦେଲେ ଭିକେ ପାଣ୍ଡିଆନ । ବିଶ୍ୱକପ୍ ପାଇଁ ଓଡ଼ିଶା ଆସିଲେ ଭଲ ଓଡ଼ିଆ ଖାଦ୍ୟ ପରସିବା ପାଇଁ କହିଲେ ଶ୍ରୀଜେଶ । ତାଙ୍କର ଏହି କଥାର ଉତ୍ତରରେ ଭିକେ ପାଣ୍ଡିଆନ କହିଛନ୍ତି ନିଶ୍ଚୟ, ଆମେ ଭଲ ଓଡ଼ିଆ ଖାଦ୍ୟ ସମ୍ପୂର୍ଣ୍ଣ ଟିମକୁ ପରସିବୁ । ଭଲ ମୋମୋରି ନେଇ ଖେଳାଳିମାନେ ଓଡ଼ିଶାରୁ ଯିବେ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ । ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଲାଇଭ ଆସି ହକି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ଅବସରରେ ଶ୍ରୀଜେଶ ଓଡ଼ିଆ ଖାଦ୍ୟ ଦେବା କଥା କହିଥିଲେ । ଯାହାର ଉତ୍ତର ରଖିଥିଲେ ଶ୍ରୀ ପାଣ୍ଡିଆନ ।

ହକି ବିଶ୍ୱକପ୍ ନେଇ ସୋସିଆଲ ମିଡିଆରେ ଲାଇଭ ଆସିଲେ 5ଟି ସଚିବ, ଆୟୋଜନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଲେ

ଭୁବନେଶ୍ୱର: ୨୦୨୩ ବିଶ୍ବକପ ଲୋକଙ୍କ ବିଶ୍ବକପ । ଏହା କୌଣସି ଦେଶ କିମ୍ବା ଖେଲାଳିଙ୍କ ପାଇଁ ଆୟୋଜନ କରାଯାଉନି । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଜଣେ ଓଡିଆ ଅଲମ୍ପିକରେ ପଦକ ହାସଲ କରିବା । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ ଲୋକଙ୍କ ସହଯୋଗରେ ହେଉ । ଆଗାମୀ ହକି ବିଶ୍ବକପ ପାଇଁ ଓଡ଼ିଶା ପ୍ରସ୍ତୁତ । ଭୁବନେଶ୍ବର କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବିଶ୍ବକପକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି ।

ଆଜି ସଂଧ୍ୟାରେ କ୍ରୀଡାବିତ ଓ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ଲାଇଭ ଆସି ବିଭିନ୍ନ ପ୍ରଶ୍ନର ଉତ୍ତରରେ ଦେଇ ଏହା କହିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ । କ୍ରୀଡାରେ ନିବେଶ ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି । କିଏ କେଉଁ ଦେଶର ପ୍ରଶଂସକ । ସେଥିରେ କିଛି ଫରକ ପଡିନଥାଏ । ହାର ଜିତ ଉପରେ ମଧ୍ୟ କୌଣସି ଫରକ ପଡିନଥାଏ । ଖେଳ ଶେଷରେ ସବୁ ଖେଳାଳି ସାରା ଦେଶ ଓ ବିଶ୍ବର ସମ୍ପତ୍ତି ବୋଲି କହିଛନ୍ତି ଫାଇଭ-ଟି ସଚିବ । କଠିନ ପରିଶ୍ରମ, ବାରମ୍ବାର ଶିକ୍ଷାରୁ ସଫଳତା ମିଳିଥାଏ ।

ଓଡ଼ିଶାର ଯୁବବର୍ଗ ବିଶ୍ବସ୍ତରର ଖେଳାଳିଙ୍କ ଠାରୁ ଶିଖନ୍ତୁ । ବିଶ୍ବକପ୍ ହକିରେ ଭାରତୀୟ ଟିମ୍ ଭଲ କରିବ ବୋଲି ଆଶା କରିଛନ୍ତି ଫାଇଭ-ଟି ସଚିବ । ଓଡ଼ିଶାର ସୁନ୍ଦରଗଡରୁ ହକିର ଆରମ୍ଭ, ହକିର ମୂଳ ପିଣ୍ଡ ବୋଲି ସେଠାରେ ଷ୍ଟାଡିୟମ ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଥିଲା । ଭାରତ ଉତ୍ତମ ପ୍ରଦର୍ଶନ କରି ରାଉଣ୍ଡ ଲିଗ୍ ପରେ କ୍ବାର୍ଟର, ସେମି, ଫାଇନାଲ୍ ଖେଳିବା ସେ ଆଶା କରିଛନ୍ତି । 2023 ପାଇଁ ବିଡର ରେସରେ ଥିଲେ ମାଲେସିଆ, ବେଲଜିୟମ୍, ଭାରତ ।

ବେଲଜିୟମ୍ ସହ ଟଫ୍ ଫାଇଟ୍ ପରେ ଭାରତ ଜିତିଥିଲା ବିଡ୍ । ଭିତ୍ତିଭୂମି, ଇଭେଣ୍ଟ ରେକର୍ଡ, ଅଧିକ ପ୍ରଶଂସକ ଏହି ତିନିଟି ବର୍ଗରେ ସବୁଠୁ ଆଗରେ ରହି ଭାରତ ହୋଷ୍ଟ ପାଇଁ ବିଡିଂ ଜିତିଥିଲା । ଦୁଇଟି ସହରରେ ଖେଳ ଆୟୋଜନ ହେଉଥିବାରୁ ଏଥର ଓପନିଂ ସେରିମନି ହେବ ନାହିଁ । କିନ୍ତୁ ୫ଟି ମହାନଗରେ ସେଲିବ୍ରେସନ ହେବ । କଟକକୁ ଆସିବେ ବିଶିଷ୍ଟ ଗାୟକ ପ୍ରୀତମ । ସେହିପରି ସବୁ ଖେଳାଳିଙ୍କୁ ସ୍ବତନ୍ତ୍ର ଓଡିଆ ମେନ୍ୟୁ ପରଷା ଯିବ ବୋଲି କହିଛନ୍ତି ଫାଇଭ-ଟି ସଚିବ । ହକି ପାଇଁ ୩୦ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିବା ସହ ଏ ମାଟିରୁ ଭାରତ ହକି ବିଶ୍ୱକପ ଜିତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

ସୁରକ୍ଷା ଗାର୍ଡଙ୍କ ସହ ଛାତ୍ରଙ୍କ ବିବାଦ ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଆହ୍ଲାବାଦ: ଛାତ୍ରଙ୍କ ଅସନ୍ତୋଷ ନିଆଁରେ ଜଳୁଛି ଆହ୍ଲାବାଦ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟରେ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିବାଦ ପରେ ଅନେକ ରାଉଣ୍ଡ ଫାଇରିଙ୍ଗ କରାଯାଇଛି, ଯେଉଁଥିରେ ଅନେକ ଛାତ୍ର ଆହତ ହୋଇଥିବା ସୂଚନା । ଛାତ୍ର ଓ ଗାର୍ଡମାନଙ୍କ ମଧ୍ୟରେ ଇଟା ଓ ପଥର ମାଡ଼ ହୋଇଛି । ଛାତ୍ରନେତା ବିବେକାନନ୍ଦ ପାଠକଙ୍କ ମୁଣ୍ଡ ଫାଠିଯାଇଛି । ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସୁରକ୍ଷା ଗାର୍ଡ ଅନେକ ରାଉଣ୍ଡ ଫାଇରିଙ୍ଗ କରିଛନ୍ତି ।

ଏଥିସହିତ କହିଛନ୍ତି, ଛାତ୍ରନେତା ବିବେକାନନ୍ଦ ପାଠକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କକୁ ଯିବା ସମୟରେ ଗାର୍ଡମାନେ ଗେଟ ଖୋଲିବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୂଚନା ପାଇ ପୋଲିସ ପହଞ୍ଚି ମାମଲାର ସମାଧାନ କରିଥିଲା । ଅଭିଯୋଗ ଅନୁଯାୟୀ ଏହାର କିଛି ସମୟ ପରେ ୟୁନିଭର୍ସିଟିର ୨୦୦ରୁ ଅଧିକ ଗାର୍ଡ ଗେଟ୍ ବନ୍ଦ କରି ଛାତ୍ରମାନଙ୍କୁ ଲାଠିରେ ପିଟିବା ଆରମ୍ଭ କରିଦେଇଥିଲେ । ଏଥିରେ ବିବେକାନନ୍ଦ ପାଠକ, ଅମିତ କୁମାର ଏଲଏଲବିର ଛାତ୍ରଙ୍କ ସମେତ ୬ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି ।

ଏହାପରେ ଆକ୍ରମକ ହୋଇ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଥିଲେ । ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପରେ ଡିଏସମ ସଞ୍ଜୟ ଖତ୍ରୀ ବିପୁଳ ଫୋର୍ସ ସହ କ୍ୟାମ୍ପସରେ ପହଞ୍ଚିଛନ୍ତି । ବିଶ୍ୱବିଦ୍ୟାଳୟର କ୍ୟାଣ୍ଟିନରେ ଉତ୍ତେଜିତ ଛାତ୍ରମାନେ ନିଆଁ ଲଗାଇଦେଇଛନ୍ତି ଏବଂ ଅନେକ ଗାଡ଼ି ମଧ୍ୟ ଜାଳି ଦେଇଛନ୍ତି  । ପୋଲିସ ଉପଦ୍ରବ କରୁଥିବା ଛାତ୍ରମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସମ୍ପୂର୍ଣ୍ଣ ଅଞ୍ଚଳ ପୋଲିସ ଛାଉଣିରେ ପରିଣତ ହୋଇଛି ।

୨୨ରେ ବାଲେଶ୍ୱର ଗସ୍ତରେ ଯାଇ ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ବିକାଶରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆସନ୍ତା 22 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଯୋରଦାର କରାଯାଇଛି । ଆଜି ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ପ୍ରତାପ ଦେବ ପୋଲିସ ଲାଇନ୍‌ ପଡ଼ିଆ ସଭାସ୍ଥଳକୁ ବୁଲି ଦେଖିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ସ୍ଥାନୀୟ ଲୋକେ । ଜିଲ୍ଲାର 12ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍‌ଏସିର ମୋଟ 364 କୋଟି 61ଲକ୍ଷ ଟଙ୍କାର 57 ପ୍ରକଳ୍ପକୁ ଲୋକର୍ପିତ କରିବେ । ସେହିପରି 1ହଜାର 42 କୋଟି 69 ଲକ୍ଷ ଟଙ୍କାର 104ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ।

ସେଗୁଡିକ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍‌, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଗ୍ରିଡ଼ ଷ୍ଟେସନ୍‌ ଭଳି ଅନେକ ପ୍ରକଳ୍ପ । ମୁଖ୍ୟନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଲାଇନ୍‌ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ 15 ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି ।

12ଟି ବ୍ଲକ୍‌ରୁ ଆସିବାକୁ ଥିବା ଲୋକ ମାନଙ୍କ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି 5ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା କରାଯାଇଛି । ଜିଲ୍ଲା ପୋଲିସ ତରଫରୁ ଏସ୍‌ପିଙ୍କ ନେତୃତ୍ବରେ 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡ଼ିଏସ୍‌ପି, 11 ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ କରାଯିବ ।

ହକି ବିଶ୍ବକପ ପାଇଁ କମିଶନରେଟ ପୋଲିସର ୨୪ ଘଣ୍ଟିଆ ସେବା

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ପୋଲିସର 24 ଘଣ୍ଟିଆ ସେବା । ହକି ବିଶ୍ବକପ ପାଇଁ ପ୍ରତିଟି ଦିଗକୁ ନେଇ ତର୍ଜମା କରିଛି କମିଶନରେଟ ପୋଲିସ । ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ ସହ ଆଲୋଚନା କରିଛି ପୋଲିସ  । ଅଟୋ ଟାକ୍ସି, ରାପିଡୋ, ଓଲା ଓ ଉବର ସହ ଆଲୋଚନା ହୋଇଛି । ବିଶ୍ବକପ ସମୟରେ କଣ କଣ କଟକଣା ରହିବ ଓ ଯେଉଁମାନେ ଆସିବେ ସେମାନଙ୍କୁ ସୁରକ୍ଷିତର ସହ ନେବା ଆଣିବା କରିବାକୁ କୁହାଯାଇଛି ।

ଯେଉଁମାନେ ବାହାରୁ ଆସିବେ ସେମାନେ କିପରି ଭଲ ଅନୁଭୂତି ନେଇ ଫେରିବେ ତାହା ମଧ୍ୟ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ l ସେପଟେ ବିଶ୍ବକପ ବେଳେ କେଉଁ ରୁଟ୍ ଜାମ ରହିବା ଆଉ ତାହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ଗୋଟିଏ ଇନଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି ।

ସେହି ସେଣ୍ଟରରେ ପୋଲିସ ସହ ବିଏମସି ଓ ଅନ୍ୟ ବିଭାଗର ଅଧିକାରୀ ମାନେ ମଧ୍ୟ ରହିବେ । ଏହାସହ କୌଣସି ଅସୁବିଧା ନ ହେବା ସେଥିପାଇଁ ରେଡ଼ିଓ ଏଫଏମ ସହ ମିଡ଼ିଆର ସହଯୋଗ ନେବ କମିଶନରେଟ ପୋଲିସ । ଅନ୍ୟପଟେ ଖେଳାଳିମାନଙ୍କ ସୁରକ୍ଷା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ କୁଇକ ରେସପନସ ଟିମ ମଧ୍ୟ ପ୍ରୋଭାଇଡ଼ କରିବ କମିଶନରେଟ ପୋଲିସ ।

ହକି ବିଶ୍ୱକପ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର: ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାମ ଶେଷ ହୋଇଛି । ଫିଲ୍ଡ ଟେଷ୍ଟ ପାଇଁ ୨୪ ତାରିଖରୁ ୩ଟି ପ୍ରାକ୍ଟିସ ମ୍ୟାଚ ହେବ । ମ୍ୟାଚ ପରେ ତ୍ରୁଟି ଦେଖାଦେଲେ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ବିଶ୍ୱକପ୍ ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ।

ମ୍ୟାଚ୍ ପାଇଁ ୨୦ ହଜାରରୁ ୧୧ ହଜାର ଟିକେଟ ଅନଲାଇନରେ ବିକ୍ରି ହୋଇଛି । ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ସହ ସାମିଲ ହୋଇଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା । ହକି ବିଶ୍ବକପ ପୂର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।

ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।