୧୬୩ ରନରେ ଭାରତ ଅଲଆଉଟ

ଇନ୍ଦୋର: ତୃତୀୟ ଟେଷ୍ଟରେ ଭାରତ ପରାଜୟ ଆଡକୁ ଗତି କରୁଛି । ଆଜି ଦ୍ୱିତୀୟ ଇଂନିସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ଫଳରେ ଦଳ ମାତ୍ର ୧୬୩ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ଏକାକୀ ଲଢେଇ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଏବେ ଅଷ୍ଟ୍ରେଲିଆ ଆଗରେ ୭୬ ରନର ଟାର୍ଗେଟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । କଙ୍ଗାରୁ ଦଳର ବୋଲିଂ ଆଟାକ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଭାରତୀୟ ଦଳ । ଭାରତ ପକ୍ଷରୁ କୋହଲି ୨୨ ଓ ଶୁଭମନ ଗିଲ ୨୧ ରନ କରିଥିଲେ । ଫଳରେ ଦଳ ୩୩ ଓଭର ୨ଟି ବଲ ଖେଳି ୧୦୯ ରନରେ ଅଲଆଉଟ ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ଖ୍ୱାଜା ଆଉ ଲାବ୍ରୁସେନ ଭଲ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଆଗେଇନେଇଥିଲେ । ହେଲେ ଦ୍ୱିତୀୟ ଦିନରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ ଅଶ୍ୱିନୀ ଓ ଉମେଶ ଯାଦବ । ଏହି ମ୍ୟାଚରେ ଖ୍ୱାଜା ୬୦, ଲାବ୍ରୁସେନ ୩୧, ଷ୍ଟିଭ ସ୍ମିଥ ୨୬ ଓ ଗ୍ରୀନ ୨୧ ରନ କରିଥିଲେ । ଫଳରେ ଦଳ ୭୬ ଓଭର ୩ଟି ବଲ ଖେଳି ୧୯୭ ରନରେ ଅଲଆଉଟ ହୋଇଯାଇଥିଲା ।

ପରେ ଭାରତ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ହେଲେ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ କେବଳ ଚେତେଶ୍ୱର ପୂଜାରା ୫୯, ଶ୍ରେୟାସ ଆୟର ୨୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ୬୦ ଓଭର ୩ଟି ବଲ ଖେଳି ୧୬୩ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ ୮ ୱିକେଟ ନେଇଥିଲେ । ଏବେ କଙ୍ଗାରୁ ଦଳ ଆଗରେ ୭୬ ରନର ବିଜୟ ଲକ୍ଷ୍ୟ ରହିଛି ।