spot_img
Home Blog Page 3618

ତାଓ୍ବାଙ୍ଗ ସଂଘର୍ଷ ପରେ ସୀମାରେ ଚୀନର ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ତାଓ୍ବାଙ୍ଗ ସଂଘର୍ଷ ପରେ ସୀମାରେ ପୁଣି ଚୀନର ହରକତ । ତୀବ୍ବତୀୟ ଏୟାରବେସ୍‌ରେ ଚୀନ୍‌ ବହୁ ସଂଖ୍ୟକ ଡ୍ରୋନ ଓ ଯୁଦ୍ଧ ବିମାନ ମୁତୟନ କରିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ ଇମେଜରୁ ସୀମା ଆରପଟର ଚିତ୍ର ସାମ୍ନାକୁ ଆସିଛି । ସୀମାରେ ଚୀନ୍‌ ଏୟାର ଆକ୍ଟିଭିଟି ବଢ଼ିଥିବାରୁ ବାୟୁସେନା ଆଲର୍ଟରେ ରହିଛି ।

ଅରୁଣାଚଳ ପ୍ରଦେଶଠାରୁ ୧୫୦ କିମି ଦୂର ଚୀନ ବାଙ୍ଗଡା ଏୟାରସ୍ପେସରେ ଷ୍ଟେଟ ଅଫ୍ ଦ ଆର୍ଟ ସୋରିଂ ଡ୍ରାଗନ ଡ୍ରୋନ ରଖାଯାଇଛି । ଏହି ଡ୍ରୋନ ଲଗାତାର ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଟାର୍ଗେଟ ହିଟ୍ ପାଇଁ କ୍ରୁଜ ମିସାଇଲକୁ ଏହା ତଥ୍ୟ ଟ୍ରାନ୍ସଫର କରିଥାଏ ।

ଆକସାଇ ଚୀନ୍ ଏବଂ ଉତ୍ତରପୂର୍ବ ଭାରତୀୟ ସୀମା ପାର୍ଶ୍ବରେ ଯେକୌଣସି ମୁହୁର୍ତ୍ତରେ ଆକ୍ରମଣ କରିବା ପାଇଁ ଏକ ସକ୍ରିୟ ଓ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ନେଟୱାର୍କିଂ ପରିବେଶ ରଖାଯାଇଛି ବୋଲି IAF ଫାଇଟର ଜେଟ୍‌ ପାଇଲଟ ସମୀର ଯୋଶୀ କହିଛନ୍ତି ।

ସତ୍ୟେନ୍ଦ୍ରଙ୍କୁ ମିଳିବ କି ଜାମିନ ? ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ :  ଆଜି ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ।  ବେଆଇନ ଅର୍ଥକାରବାର ମାମଲା ପ୍ରସଙ୍ଗରେ ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲାର ଶୁଣାଣି ଆଜି କରିବେ ଦିଲ୍ଲୀ ହାଇକୋର୍ଟ । ମାମଲାର ତୁରନ୍ତ ବିଚାର ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନକୁ ଗତ ୧୨ ତାରିଖରେ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ ।

ହାଇକୋର୍ଟରେ ମାମଲାର ବିଚାର ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି କହିଥିଲେ ଜଷ୍ଟିସ ଏମ.ଆର. ଶାହା ଓ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ । ତୁରନ୍ତ ମାମଲାର ଶୁଣାଣି ଲାଗି ସତ୍ୟେନ୍ଦ୍ର କରିଥିବା ଆବେଦନର ତୀବ୍ର ବିରୋଧ କରିଥିଲେ ସଲିସିଟର ଜେନେରାଲ ତୁଷାର ମେହଟା । ଗତ ଡିସେମ୍ବର ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରୁ ସତ୍ୟେନ୍ଦ୍ରଙ୍କ ଜାମିନ ସଂକ୍ରାନ୍ତରେ ମତ ମାଗିଥିଲେ ଦିଲ୍ଲୀ ହାଇକୋର୍ଟ ।

ଗତ ୨୦୧୭ସେପ୍ଟେମ୍ବର ୩୦ ତାରିଖରେ ବେଆଇନ ଅର୍ଥ କାରବାର ନିରାକରଣ ଆଇନ ବା ପିଏମଏଲଏ ଅନୁସାରେ ସତ୍ୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଇଡି । ଗତ ମେ ୩୧ ତାରିଖରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି । ଏହି ମାମଲାରେ ଗିରଫ ଅନ୍ୟତମ ଦୁଇ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ଜାମିନକୁ ବି ଅଗ୍ରାହ୍ୟ କରିଛନ୍ତି ହୋଇକୋର୍ଟ ।

ଆଦର୍ଶ ବିଦ୍ୟାଳୟରେ ଖାଲି ରହିବନି ପଦବୀ, ୧୧୭୮ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର :  ଆଉ ଖାଲି ରହିବନି ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦ । ଖୁବଶୀଘ୍ର ୧୧୭୮ଜଣ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏଡସିଲ୍ ଇଣ୍ଡିଆ ଚୟନ ପ୍ରକ୍ରିୟା ତ୍ବରାନ୍ବିତ କରିବ । ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବା ବେଳେ ଚଳିତ ପର୍ଯ୍ୟାୟରେ ଖାଲିଥିବା ସବୁ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପଦକ୍ଷେପ ଗ୍ରହଣ କରିଛି ।

ପଦ ସଂରକ୍ଷିତ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସ୍ତରରେ ଅନୁମୋଦନ ମିଳିଥିବା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମତି ବାକି ରହିଛି । ୧୧୭୮ ପଦରୁ ଶହେଟି ପଦ ଅଧ୍ୟକ୍ଷଙ୍କ ପାଇଁ ଥିବା ବେଳେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବର୍ଗର ୫୧ଟି ଇଂରାଜୀ ପଦ, ୬୨ଟି ଫିଜିକ୍ସ, ୪୧ଟି ବାୟୋଲୋଜି, ୨୫ଟି ବାଣିଜ୍ୟ, ୧୧ଟି ଅର୍ଥନୀତି ଓ ୬୧ ଲେଖାଏଁ କେମେଷ୍ଟ୍ରି ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇବେ । ସେହିପରି ଟ୍ରେଣ୍ଡ ଗ୍ରାଜୁଏଟ ଶିକ୍ଷକ ବର୍ଗର ୧୬୩ଟି ଇଂରାଜୀ, ୩୩ଟି ବିଜ୍ଞାନ, ୧୦୮ଟି ଗଣିତ, ୮୧ଟି ସାମାଜିକ ବିଜ୍ଞାନ ଓ ଓଡ଼ିଆରେ ୮ଟି ଶିକ୍ଷକ ପଦ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

୨୦୫ଟି ପଦରେ କଳା ଶିକ୍ଷକ ନିଯୁକ୍ତି ପାଇବାକୁ ଥିବା ବେଳେ ୭୯ଜଣ କମ୍ପ୍ୟୁଟର ଶିକ୍ଷକ ଓ ୮୯ଜଣ ଖେଳ ଶିକ୍ଷକ ନିଯୁକ୍ତି ପାଇବେ । ୪୯୯ଟି ଅନୁସୂଚିତ ଜନଜାତି, ୨୧୧ଟି ଅନୁସୂଚିତ ଜାତି, ୧୦୪ଟି ଏସଇବିସି ଓ ୩୬୪ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ଅନଲାଇନରେ ଆବେଦନ ଓ ଦକ୍ଷତା ପରୀକ୍ଷା ହେବ । ନିଯୁକ୍ତି ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ଓଏଭିଏସ ୱେବସାଇଟରେ ଉପଲବ୍ଧ ହେବ ।

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିପାତ୍

ଶ୍ରୀନଗର : ଜମ୍ମୁରେ ପୁଣି ଗୋଳାବାରୁଦ ବର୍ଷା । ଜାମ୍ମୁ କାଶ୍ମୀର ସୋପିଆନ ମୁଂଝ ମାର୍ଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ଗୋଟିଏ AK-47 ଓ ୨ଟି ପିସ୍ତଲ ଜବତ ହୋଇଛି । ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଛି । ଲତିଫ୍ ଲୋନ୍ ନାମକ ଆତଙ୍କବାଦୀ କଶ୍ମୀର ପଣ୍ଡିତ ପୂରଣ କ୍ରିଷ୍ଣା ଭଟ୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା ।

ସେହିପରି ଉମେର ନାଜିର ନାମକ ଆତଙ୍କବାଦୀ ନେପାଳର ତିଲ୍ ବାହାଦୂର ଥାପା ହତ୍ୟାକାଣ୍ଡରେ ସାମିଲ ଥିଲା । ଏନେଇ କାଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି ।

ଭିଜିଲାନ୍ସ ଜାଲରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବରର ୩ଟି , କୋରାପୁଟର ୨ଟି, ନୟାଗଡ଼ ଓ ରାୟଗଡ଼ାରେ ଚାଲିଛି ଭିଜିଲାନ୍ସ ଛାପା ।

ମଞ୍ଚେଶ୍ବର ସେକ୍ଟର-A , ଜୋନ୍ Dରେ ଥିବା ୩ ମହଲା ବିଲଡ଼ିଂର ପ୍ଲଟ୍‌ ନମ୍ବର ୬୩, ସମାନ ଅଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟର୍ସର ବ୍ୟସାୟୀକ ଅଞ୍ଚଳ, ଜୟଦେବ ବିହାରରେ ନିର୍ମାଣାଧିକ ୪ମହଲା କୋଠାରେ ଚାଲିଛି ରେଡ୍ । ସେହିପରି କୋରାପୁଟ ସୁଙ୍କି ଗେଟ୍ ନିକଟରେ ଥିବା ଭଡ଼ା ଘର, ସିମାଗୋଡ଼ା ଆମ୍ପା ଭାଲିରେ ଥିବା ଅଫିସ ଚାମ୍ବରରେ ଚାଲିଛି ରେଡ୍ । ନୟାଗଡ଼ ଓଡ଼ଗାଁରେ ଥିବା ପୈତୃକ ଘର ଓ ରାୟଗଡ଼ା ମୁନିଗୁଡ଼ାରେ ଥିବା ଶ୍ବଶୁର ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଛାପା । ରେଡ୍‌ରେ ୭ଡିଏସପି, ୪ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟରଓ ୭ ଏଏସଆଇ ସାମିଲ ଅଛନ୍ତି ।

ପ୍ରତିଷ୍ଠା ଉତ୍ସବ ପାଇଁ ନବୀନ ଦେଲେ ବାର୍ତ୍ତା : ଲୋକଙ୍କ ସେବା କର ଭରସା ଅତୁଟ ରଖ

ଭୁବନେଶ୍ବର : ୨୬ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଡିସେମ୍ବର ୨୬ରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ବାର୍ତ୍ତାରେ ବିଜୁ ବାବୁଙ୍କ ନୀତି, ଆଦର୍ଶ ତଥା ଓଡ଼ିଶାର ସବୁ‌ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଦଳର ଆଭିମୁଖ୍ୟକୁ ଓଡ଼ିଶାର ଅଗଣିତ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ଦେଇଛନ୍ତି ବିଜେଡି ସୁପ୍ରିମୋ। ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକଙ୍କ ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥୀମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜେଡିକୁ ଲୋକଙ୍କ ନିକଟତର କରିଛି। ଲଗାତର ବିଭିନ୍ନ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଥିବା ଆସ୍ଥା ପ୍ରମାଣିତ ହୋଇଛି । ୨୫ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ଯ୍ୟକ୍ରମ ସହିତ ତା’ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳଗୁଡ଼ିକ ଭିତରେ ବିଜେଡିକୁ ଏକ ପ୍ରଶଂସନୀୟ ପରିଚୟ ଆଣି ଦେଇଛନ୍ତି। ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ପ୍ରଶଂସା ମଧ୍ୟ କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୫ ବର୍ଷ ପୂର୍ତ୍ତିର ସଫଳତାକୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖକ୍ଷେତ୍ର ପୁରୀରେ ପାଳନ କରାଯିବ। ଏଥିରେ ଦଳର ସବୁ ରାଜ୍ୟ, ଜିଲ୍ଲା, ବ୍ଲକ୍‌ ଓ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ ଓ ବିଧାୟକ, କ୍ଷେତ୍ରୀୟ ଜନପ୍ରତିନିଧି, ଯୁବ, ଛାତ୍ର, ମହିଳା ଆଦି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ଏହି ପୂର୍ତ୍ତି ଉତ୍ସବ ଗୋଟିଏ ପକ୍ଷ ଧରି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ସମା‌ରୋହ ବର୍ଷତମାମ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ୍‌ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୫ ବର୍ଷର ସମର୍ପିତ ଜନ ସେବାର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଆହୁରି ଆଗକୁ ନେବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

 

ଟ୍ବିଟର କିଣିବା ପରେ ଖରାପ ସମୟ ଦେଇ ଗତି କରୁଛନ୍ତି ଏଲନ୍ ମସ୍କ

ଓ୍ୱାଶିଂଟନ: ଟ୍ବିଟର କିଣିବା ପରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଖରାପ ସମୟ ଦେଇ ଗତି କରୁଛନ୍ତି । ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏଲନ୍‌ ମସ୍କ ଏବଂ ତାଙ୍କର ନୂତନ ସଂସ୍ଥା ଟ୍ବିଟରକୁ ନେଇ ଚାଲିଥିବା ହାଇଡ୍ରାମା ମଧ୍ୟରେ ମସ୍କ ପୁଣି ଟ୍ବିଟରରେ ଏକ ସର୍ଭେ କରିଥିଲେ ।

ସେ ଟ୍ବିଟର ମୁଖ୍ୟ ରହିବେ ନା ନାହିଁ ୟୁଜରଙ୍କୁ ମସ୍କ ପ୍ରଶ୍ନ କରିଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଟ୍ବିଟର ଉପଭୋକ୍ତା ଚାହାନ୍ତି ନାହିଁ ମସ୍କ ଟ୍ବିଟର ମୁଖ୍ୟପଦରେ ରୁହନ୍ତୁ । ମସ୍କ ନିଜର ଟ୍ବିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ, ସେ କମ୍ପାନିର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ କି ନୁହେଁ ? ଏବଂ ହଁ-ନା ବିକଳ୍ପ ସହିତ ଏକ ମତାମତ ପୋଲ୍‌ ବା ସର୍ଭେ ସୃଷ୍ଟି କରି ଟ୍ବିଟର ବ୍ୟବହାରଙ୍କୁ ମତଦାନ କରିବାକୁ କହିଥିଲେ ।

ପ୍ରାୟ ୫୭.୫ ପ୍ରତିଶତ ଟ୍ବିଟର ଉପଭୋକ୍ତା ମସ୍କଙ୍କ ପଦ ଛାଡିବା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ତଥାପି ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ । ୧.୭ କୋଟିରୁ ଅଧିକ ଟ୍ବିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ ।

ମସ୍କ କିଛି ସପ୍ତାହ ତଳେ ୪୪ ବିଲିୟନ ଡଲାର ମୂଲ୍ୟର ଡିଲରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିଥିଲେ । ସେବେଠାରୁ ଟ୍ୱିଟରରେ ବହୁ ପରିବର୍ତ୍ତନ ହୋଇଛି । କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବା ସହିତ ଟ୍ୱିଟରର ନୀତି ଏବଂ ବ୍ୟବସାୟରେ ପରିବର୍ତ୍ତନ ଜାରି ରହିଛି ।

ତଳ ମୁହାଁ ପାରଦ, ୧୦ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ଫେରିଛି ଶୀତ । ଉତ୍ତରଠୁ ଉପକୂଳ ସବୁଠି ଅନୁଭୂତ ହେଲାଣି ପ୍ରବଳ ଜାଡ । ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତଳ ମୁହାଁ ପାରଦ  । ଗତକାଲି ପ୍ରଥମ ଥର ପାଇଁ ୫ଡ଼ିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡାରେ ୭ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୮ ଡିଗ୍ରୀ, ସୁନ୍ଦରଗଡରେ ୮.୫, ଦାରିଙ୍ଗବାଡିରେ ୯ ଡିଗ୍ରୀ ରହିଥିଲା ରାତି ତାପମାତ୍ରା ।

୧୦ ସହରରେ ତାପମାତ୍ରା ୧୦ ଡିଗ୍ରୀ ଓ ତା’ଠାରୁ ତଳେ ରହିଛି ।  ଭୁବନେଶ୍ୱରରେ ୧୩ ଡ଼ିଗ୍ରୀ ଏବଂ କଟକରେ ୧୩.୨ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଚି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଖସିଚି ।  ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ରହିବା ସହ ପାଗ ଶୁଖିଲା ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ।

ଆତଙ୍କବାଦୀଙ୍କ କବଜାରେ ପାକିସ୍ତାନର ଆତଙ୍କବାଦୀ ମୁକାବିଲା କେନ୍ଦ୍ର, ୧୦ ଜଣଙ୍କୁ ପଣବନ୍ଦୀ

ଇସଲାମବାଦ : ପାକିସ୍ତାନର ଏକ ଆତଙ୍କବାଦୀ ମୁକାବିଲା କେନ୍ଦ୍ରକୁ କବଜା କଲେ ଆତଙ୍କବାଦୀ । ଉତ୍ତର-ପଶ୍ଚିମ ପାକିସ୍ତାନରେ ଥିବା ଏହି କେନ୍ଦ୍ରରେ ମୁତୟନ କର୍ମଚାରୀଙ୍କୁ ଆତଙ୍କବାଦୀମାନେ କବଜା କରିବା ସହ ସେମାନଙ୍କୁ ପଣବନ୍ଦୀ ରଖିଛନ୍ତି । ସେମାନଙ୍କ ସମସ୍ତ ଅସ୍ତ୍ରଶସ୍ତ୍ରକୁ ନିଜ କବଜାକୁ ନେଇଛନ୍ତି ଆତଙ୍କବାଦୀ ।

ସରକାର ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲେ ବି ସେପରି କିଛି ଅଗ୍ରଗତି ହୋଇନାହିଁ । ଖାଇବର ପାଖତୁନଖ୍ବା ପ୍ରଜାତନ୍ତ୍ରର ବାନ୍ନୁରେ ଥିବା ଏହି କେନ୍ଦ୍ରରେ ଆତଙ୍କବାଦୀମାନେ ଅଟକ ଥିବାବେଳେ ସେମାନେ ଅକସ୍ମାତ ଏକତ୍ରିତ ହୋଇ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ଛଡାଇ ନେଇଥିଲେ ।

ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ପ୍ରାୟ ୩୦ ତାଲିବାନ କର୍ମୀ ୧୦ ଜଣଙ୍କୁ ପଣବନ୍ଦୀ ରଖିଥିବା କୁହାଯାଇଛି । ଏହି ଘଟଣା ଲାଗି ନିଜକୁ ଦାୟୀ କରିଛି ତେହରିକ-ଇ-ତାଲିବାନ ପାକିସ୍ତାନ । ଆତଙ୍କବାଦୀଙ୍କୁ ଆଫଗାନିସ୍ତାନକୁ ଏୟାରଲିଫ୍ଟ କରିବା ଲାଗି ଦାବି କରାଯାଇଛି ।

ଋଷ- ୟୁୁକ୍ରେନ୍ ଯୁଦ୍ଧକୁ ପୂରିଲା ୩୦୦ ଦିନ, ସରି ନାହିଁ ହାର୍ ଜିତର ହିସାବ

କିଭ୍ : ଋଷ- ୟୁୁକ୍ରେନ୍ ଯୁଦ୍ଧକୁ ପୂରିଲା ୩୦୦ ଦିନ । ହେଲେ ସରି ନାହିଁ ହାର୍ ଜିତର ହିସାବ । ଅସମାହିତ ଅବସ୍ଥାରେ ଜାରି ରହିଛି ଯୁଦ୍ଧର ଗତି । ଋଷ ଓ ୟୁକ୍ରେନ ମଧ୍ୟରେ ଟକରାଟକରି ଚାଲିଥିବା ସହ ରକ୍ତମୁଖା ହମଲା ଜାରି ରହିଛି । ଗତ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରୁନି । ଯୁଦ୍ଧରେ ଉଭୟ ପକ୍ଷର ଲକ୍ଷାଧିକ ଲୋକ ଓ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ସହସ୍ରାଧିକ ଲୋକ ହୋଇଛନ୍ତି ଯୁଦ୍ଧବନ୍ଦୀ ।

ପ୍ରାୟ ୭୦ ଲକ୍ଷ ୟୁକ୍ରେନୀୟ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ହଜାର ହଜାର କୋଠା, ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା ନଷ୍ଟ ହୋଇଗଲାଣି । ହଜାର ହଜାର ଶିଶୁ ବେଘର ବା ପତ୍ତାହୀନ । ବହୁ ପାଓ୍ବାରଗ୍ରୀଡ ଧ୍ବଂସ ହେବାରୁ ୟୁକ୍ରେନର ଖେରସନ ସମେତ ଅନେକ ସହର ଅନ୍ଧାର ଭିତରେ ରହିଛନ୍ତି ।

ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତାବର୍ଷରୁ ୟୁକ୍ରେନ ବିରୋଧରେ ଭୟାନକ ଆକ୍ରମଣ କରିବାର ଷଡଯନ୍ତ୍ର ଜାରି ରଖିଛି । ସେପଟେ ୟୁକ୍ରେନ ସୀମାନ୍ତ ଅନ୍ତର୍ଗତ ଦକ୍ଷିଣାଞ୍ଚଳ ଋଷୀୟ ଅଞ୍ଚଳରେ ୪ଟି ଆମେରିକା ନିର୍ମିତ କ୍ଷେପଣାସ୍ତ୍ରକୁ ଏୟାର ଡିଫେନସ ସିଷ୍ଟମ ଖସାଇ ଦେଇଥିବା ଦାବି କରିଛି ଋଷ । ଏହି କ୍ଷେପଣାସ୍ତ୍ରଗୁଡିକ ଏଚଏଆରଏମ ଆଣ୍ଟି ରାଡାର ମିସାଇଲ ବୋଲି ସୂଚନା ମିଳିଛି ।