spot_img
Home Blog Page 3514

ଚଳିତ ବର୍ଷ ରାଜ୍ୟରେ ହେବ ୫୦ ହଜାର କିମି ରାସ୍ତା, ଖର୍ଚ୍ଚ ହେବ ୧୧ ଶହ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ସବୁ ରାସ୍ତା ହେବ ଖାଲଖମା ମୁକ୍ତ । ଚଳିତ ବର୍ଷ ୫୦ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ପ୍ରଶ୍ନକାଳରେ ଏପରି ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ପିଏମଜିଏସଓ୍ବାଇ ରାସ୍ତା ମରାମତି ଅଭାବରୁ ଅନେକ ଅସୁବିଧା ହେଉଛି । ଚିତ୍ରକୋଣ୍ଡାରେ ଡିଡାଇ ଆଦିମ ଜନଜାତି ଓ ବଣ୍ଡା ଜନଜାତି ରହୁଥିବା ଅଞ୍ଚଳରେ ପିଚୁ ରାସ୍ତା ନିର୍ମାଣ କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବା ନେଇ ଗୃହରେ ଶାସକ ଓ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗୃହରେ ପ୍ରତିଶ୍ରୁତି ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

୨୦୨୧ରୁ ୨୦୨୩ ଆର୍ଥିକ ବର୍ଷରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୨୪୨୨ କୋଟି ଖର୍ଚ୍ଚ କରି ୭୫୦ ରାସ୍ତା ନିର୍ମାଣ କରାଯାଇଛି । ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ୧୧୮୪ କୋଟି ବିନିମୟରେ ୬୬୨୪ ରାସ୍ତାର ମରାମତି କରାଯାଇଛି । ବିଜୁ ସେତୁ ଯୋଜନାରେ ୨୪୭୭ କୋଟି ୫୪ ଲକ୍ଷ ବିନିମୟରେ ୫୦୩ ରାସ୍ତା ନିର୍ମାଣ କରାଯାଇଛି । ଠିକାଦାର ମାନଙ୍କୁ ଇଟେଣ୍ଡର ମାଧ୍ୟମରେ ଚୟନ କରାଯାଇ ନିର୍ମାଣ କାମ ସରିଥିବା ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ୫୨୬ ନୂଆ ବିଜୁ ସେତୁ ନିର୍ମାଣ ପାଇଁ ଚଳିତ ବଜେଟରେ ୨୦୦ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସହମତିରେ ୫ ବର୍ଷର ଯୌନ ସମ୍ପର୍କ, ବଳାତ୍କାର ନୁହେଁ ..

ବେଙ୍ଗାଲୁର: ୫ ବର୍ଷ ଧରି ସହମତିରେ ଯୌନ ସମ୍ପର୍କ ବଳାତ୍କାର ନୁହେଁ  । ଯଦି ୫ ବର୍ଷ ସହମତିରେ ସମ୍ପର୍କ ରହୁଛି ଏବଂ ପରେ ବିବାହ ପାଇଁ ରାଜି ନହେବାକୁ ବଳାତ୍କାର କୁହାଯାଇ  ପାରିବ ନାହିଁ  । ଏଭଳି ଏକ ମାମଲାରେ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ  । ପୁରୁଷବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ମହିଳାଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି ନ୍ୟାୟାଳୟ  । ଏହି ମାମଲାରେ ନ୍ୟାୟଳୟ କହିଛନ୍ତି- ଏହା କେବେ ମଧ୍ୟ ସମମ୍ଭ ନୁହେଁ ଯେ, ମହିଳାଙ୍କ ବିନା ସହମତିରେ ଜଣେ ୫ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିଛନ୍ତି  ।  ଏତେ ଲମ୍ବା ସମୟ ଧରି ରିଲେସନସିପରେ ରହିବା ହିଁ ବଳାତ୍କାର ଆରୋପ ପାଇଁ ଥିବା ଆଇନ୍ IPC ଧାରା ୩୭୫ ଏବଂ ୩୭୬କୁ ଦୁର୍ବଳ କରିଛି  ।

କଣ ଥିଲା ମାମଲା- ୧୨ ବର୍ଷ ପୂର୍ବେ ମଲ୍ଲିକାର୍ଜୁନ ଏବଂ ରଶ୍ମିକାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା  । ବନ୍ଧୁତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା  । ଶେଷ ପାଞ୍ଚ ବର୍ଷ ହେବ, ଭଉୟ ଲିଭ-ଇନ୍-ରିଲେସନସିପରେ ରହିଥିଲେ  । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ମଧ୍ୟ ବାର୍ତ୍ତାଳପ କରିଥିଲେ  । କିନ୍ତୁ ଜାତିଗତ ବିଭେଦତା ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ବିବାହ ହୋଇପାରିନଥିଲା  । ପରେ ରଶ୍ମିକା ଏହି ମାମଲାକୁ ନେଇ ଥାନାରେ ପହଁଚିଥିଲେ, ମଲ୍ଲିକାର୍ଜୁନଙ୍କ ବିରୋଧରେ କରିଥିଲେ ଅଭିଯୋଗ  । ରଶ୍ମିକାଙ୍କ ଅଭିଯୋଗ ପରେ ମଲ୍ଲିକାର୍ଜୁନଙ୍କ ନାମରେ ଲାଗିଛି ବଳାତ୍କାର ଧାରା ୩୭୬, ୩୭୬(୨)(n), ୩୫୪, ୪୦୬, ୫୦୪, ୩୨୩ ଏବଂ ୫୦୬  ।

ଜଷ୍ଟିସ୍ ଏମ୍. ନାଗପ୍ରସନ୍ନ କହିଲେ ଯେ ଯୌନ ସମ୍ବନ୍ଧ ପାଇଁ ମହିଳାଙ୍କ ସହମତି ଦିନେ, ଦୁଇଦିନ, କେଇ ସପ୍ତାହ ବା ମାସ ପାଇଁ ନୁହେଁ ବରଂ ଅନେକ ବର୍ଷ ପାଇଁ ରହିଥିଲା। ପାଞ୍ଚ ବର୍ଷ ଧରି ମହିଳାଙ୍କ ସମ୍ମତି ନେଇ ପୁରୁଷ ଜଣକ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ତେଣୁ ଏହାକୁ ଆଇପିସିର ଧାରା ୩୭୫ ଓ ୩୭୬ ଅଧୀନରେ ବଳାତ୍କାର ପର‌୍ୟ୍ୟାୟଭୁକ୍ତ କରି ପୁରୁଷ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ କରାଯାଇପାରିବ ନାହିଁ। କୋର୍ଟ୍ଟଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି କି, ୫ ବର୍ଷ ଅସହମତିରେ କେମିତି ସମ୍ଭବ ଯୌନ ସମ୍ପର୍କ  । ଯଦି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହୁଛନ୍ତି, ତେବେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ  ।

ଆଦାନୀ ଘୋଟାଲା ପ୍ରସଙ୍ଗରେ ତାତିଲା ଲୋକସଭା, ଜେପିସି ତଦନ୍ତ ପାଇଁ ବିରୋଧୀଙ୍କ ଦାବି

ନୂଆଦିଲ୍ଲୀ: ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା । ଚାଲିପାରୁନି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି ଦ୍ବିତୀୟ ଦିନରେ ବି ସମାନ ସ୍ଥିତି । ଗୃହ କାର୍ଯ୍ୟ ଆରମ୍ଭରୁ ଆଦାନୀ ଘୋଟାଲା ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦ ନାରାବାଜି କରିଥିଲେ । ଜେପିସି ଗଠନ ପାଇଁ ସରକାର ରାଜି ହେଉନଥିବା ବେଳେ ବିଜେପି-ଆଦାନୀ ସମ୍ପର୍କକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି କରି ଦିଆଯାଇଛି ।

ସେପଟେ ଗୃହ କାର୍ଯ୍ୟ ଆରମ୍ଭରୁ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ କରିଥିଲେ ବିରୋଧୀ ସାଂସଦ । ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ । ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିପୋର୍ଟ ପରେ SBI ଓ LIC ବ୍ୟାପକ କ୍ଷତି ସହିଥିବା ବେଳେ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ସେହିପରି ରାଜ୍ୟସଭା ଆରମ୍ଭରୁ ଓସ୍କାର ବିଜେତା ଦୁଇ ଫିଲ୍ମ RRR ଓ ଦ ଏଲିଫାଣ୍ଟ ଉଇସପର୍ସକୁ ସଦସ୍ୟମାନେ ଶୁଭେଚ୍ଛା ଜଣାଇଥଲେ । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି ସାଂସଦ ହଟ୍ଟଗୋଳ କରିବା ପରେ ରାଜ୍ୟସଭାକୁ ମଧ୍ୟ ଦିନ ୨ଟା ଯାଏଁ ସ୍ଥଗିତ ରଖିଛନ୍ତି ଗୃହ ଅଧ୍ୟକ୍ଷ ଜଗଦୀପ ଧନକଡ଼ ।

କେବଳ ଜଙ୍ଗଲରେ ନୁହେଁ, ଉନ୍ନତ ମାନର ଚାଷ ପାଇଁ ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି ଚାଷୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ସାଟେଲାଇଟ ଚିତ୍ର କହୁଛି, କେବଳ ଜଙ୍ଗଲରେ ନିଆଁ ଲାଗୁନି, ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ  ଧାନ କାଟିବା ପରେ ବିଲରେ ବଳକା ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି । ଆଧୁନିକ ଜ୍ଞାନକୌଶଳରେ ନିଆଁକୁ ଆୟତ୍ତ କରାଯାଉଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି ।

ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଥିଲେ । ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଜଙ୍ଗଲରେ ବୁଲାବୁଲି କରୁଥିବା ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯାଇଥିବା ମନ୍ତ୍ରୀ କହିଛନ୍ତି । ଏହାସହ ଖରା ଦିନେ ଜଳକଷ୍ଟ ଦୂର ପାଇଁ ଆବଶ୍ୟକ ସ୍ଥଳେ ବଜେଟ ବାହାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅନୁମତି ଦିଆଯାଇଛି । ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ନଥିବା ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି।

ହାତରେ କୋଡ଼ି, ମୁଣ୍ଡରେ ଠେକା ଭିଡ଼ି କାମ କଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ହାତରେ କୋଡ଼ି ଧରି ମୁଣ୍ଡରେ ଠେକା ଭିଡ଼ି କାମ କଲେ ବିଜେଡି କର୍ମୀ । ବିଜୁ ଜନତା ଦଳର ନିର୍ମାଣାଧୀନ ନୂତନ କାର୍ଯ୍ୟାଳୟରେ ଶ୍ରମଦାନ କଲେ ବିଜୁ ଛାତ୍ର ଓ ଯୁବ ସଂଗଠନର ସଦସ୍ୟ ସଦସ୍ୟା । କିଏ ମାଟି ଖୋଳିଛି ତ କିଏ ଚିପସ୍ ବୋଝେଇ କରିଛି । ପାଚେରୀ ନିର୍ମାଣ ପାଇଁ ଇଟା ବଢାଇବା ସହ ବାଲି ସିମେଣ୍ଟ ଗୋଳାଇ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଥିଲେ ସମସ୍ତ କର୍ମୀ । ଦଳର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣରେ ଦିନଟିଏ ଶ୍ରମଦାନ କରିଛନ୍ତି ସମସ୍ତେ । ମୋ ଦଳର କାର୍ଯ୍ୟାଳୟ ପାଇଁ ମୁଁ ବି ନିଜର ଝାଳ ବୁହାଇଛି । ଏହି ଲକ୍ଷ୍ୟ ରଖି ସମସ୍ତ କର୍ମୀ ନିଜର ଶ୍ରମଦାନ କରିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାରୁ ଭୁବନେଶ୍ବରକୁ ଆସିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ କର୍ମୀ । ସମସ୍ତଙ୍କୁ ଏହି କାର୍ଯ୍ୟରେ ଉତ୍ସାହିତ କରିବାକୁ ସାମିଲ ହୋଇଥିଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହିତ ସାମିଲ ହୋଇଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ଅନ୍ୟ ନେତୃବୃନ୍ଦ ।

ଟେରର ଫଣ୍ଡିଂ ଲିଙ୍କରେ NIAର ଆକ୍ସନ, ଉପତ୍ୟାକାରେ NIAର ମାରାଥନ ରେଡ୍

ଶ୍ରୀନଗର: ଟେରର ଫଣ୍ଡିଂ ଲିଙ୍କରେ NIAର ଆକ୍ସନ । ଜାମ୍ମୁ-କାଶ୍ମୀରରେ ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନ୍ସିର ରେଡ୍ । ଅନନ୍ତନାଗ, ପୁଲଓ୍ବାମା ଓ ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ଏଜେନ୍ସି । କୁଲଗାମ ଓ ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ NIA ଟିମ୍ ରେଡ୍ କରିଛି । ଟେରର ଓ ବିଦେଶୀ ଫଣ୍ଡିଂ ଲିଙ୍କରେ ଟିମ୍ ରେଡ୍ କରୁଥିବା ଜଣାପଡ଼ିଛି । ଗତ କିଛିଦିନ ଧରି ଉପତ୍ୟାକାରେ ଆତଙ୍କବାଦୀ ଗତିବିଧି ବଢ଼ିଥିବା ବେଳେ ବିଦେଶୀ କନେକ୍ସନକୁ ନେଇ NIA ରେଡ୍ ଜାରି ରଖିଛି ।

ଓସ୍କାର ବିଜେତା ହାତୀ ’ରଘୁ’ର କ୍ରେଜ୍, ହାତୀକୁ ଦେଖିବାକୁ ତାମିଲନାଡ଼ୁ ଏଲିଫ୍ୟାଣ୍ଟ କ୍ୟାମ୍ପରେ ପର୍ଯ୍ୟଟକଙ୍କ ଭିଡ଼

ଚେନ୍ନାଇ: ଦ ଏଲିଫ୍ୟାଣ୍ଟ ହ୍ବିସପର୍ସକୁ ଓସ୍କାର ମିଳିବା ପରେ ରଘୁକୁ ଦେଖିବାକୁ ପ୍ରବଳ ଭିଡ଼ । ତାମିଲନାଡ଼ୁ ମୁଦ୍ଦୁମଲ୍ଲାଇ ଥେପାକାଡୁ ହାତୀ କ୍ୟାମ୍ପରେ ଓସ୍କାର ବିଜେତା ହାତୀ ରଘୁକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ରଘୁକୁ ଦେଖି ତା ସହ ଫଟୋ ବି ଉଠାଉଛନ୍ତି । ଏହି ହାତୀ କ୍ୟାମ୍ପରେ ରଘୁ ସହ ଆଉ ଏକ କୁନି ହାତୀ ବି ରହୁଛି । ଉଭୟଙ୍କୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି ପର୍ଯ୍ୟଟକ ।

ତାମିଲନାଡୁର ଦମ୍ପତ୍ତି ବୋମନ ଓ ବିଲ୍ଲୀ କିପରି ଏକ ଅନାଥ ଛୋଟ ହାତୀ ରଘୁକୁ ରଖିଛନ୍ତି । ତା’ର ରକ୍ଷଣାବେକ୍ଷଣରେ ନିଜ ଜୀବନ ଅତିବାହିତ କରିଛନ୍ତି, ତା ଉପରେ ଦ ଏଲିଫ୍ୟାଣ୍ଟ ହ୍ବିସପର୍ସର କାହାଣୀ ପର୍ଯ୍ୟବେସିତ । ଆଜି ସେ ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମର ହିରୋ ରଘୁକୁ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । କାର୍ତ୍ତିକୀ ଗୋନସଲଭେସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୨ ଡିସେମ୍ବର ୮ ତାରିଖରେ ରିଲିଜ୍ ହୋଇଥିଲା ।

ନିଆଳିରେ ଅଜଣା ଜନ୍ତୁ ଆତଙ୍କ, ରାତିରେ ଗୁହାଳରେ ପଶି ମାରିଲା ମେଣ୍ଢା

ନିଆଳି: ନିଆଳି କଣ୍ଟାପଡ଼ାରେ ଅଜଣା ଜନ୍ତୁ ଆତଙ୍କ । ରାତିରେ ଗୁହାଳରେ ପଶି ମାରିଲା ମେଣ୍ଢା l କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ଘଟିଛି ଏପରି ଘଟଣା l ଗାଁର ଶରତ ଚୌଧୁରୀଙ୍କ ୧୦ଟି ମେଣ୍ଢାକୁ ଏକ ଅଜଣା ଜନ୍ତୁ ମାରିଥିବା ସନ୍ଦେହ କରାଯାଉଛି ।

ଭୋପାଳ ଗ୍ୟାସ ଟ୍ରାଜେଡି ମାମଲା: ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଆଜି ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୮୪ ଭୋପାଳ ଗ୍ୟାସ ଟ୍ରାଜେଡି ମାମଲା । ପୀଡିତଙ୍କୁ ଅଧିକ କ୍ଷତିପୂରଣ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ କ୍ୟୁରେଟିଭ ପିଟିସନ ନେଇ ଆଜି ଚୂଡ଼ାନ୍ତ ରାୟ ଦେବେ ସୁପ୍ରିମକୋର୍ଟ । ଆମେରିକୀୟ କମ୍ପାନି ୟୁନିଅନ କାର୍ବାଇଡ କର୍ପୋରେସନ ଠାରୁ ଅଧିକ କ୍ଷତିପୂରଣ ପାଇବା ଲାଗି କେନ୍ଦ୍ର ସରକାର ଦାଖଲ କରିଥିଲେ କ୍ୟୁରେଟିଭ ପିଟିସନ । ୟୁନିଅନ କାର୍ବାଇଡ କର୍ପୋରେସନ ବର୍ତ୍ତମାନ ଡୋ କେମିକାଲ୍ସ ମାଲିକାନାରେ ରହିଛି । ପୂର୍ବରୁ ଜଷ୍ଟିସ ସଞ୍ଜୟ କିଷନ କୌଲଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପୀଡିତଙ୍କୁ ଅଧିକ ୭ ହଜାର ୮୪୪ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ସରକାର ଡୋ କେମିକାଲ୍ସ ବିରୋଧରେ ଗତ ୨୦୧୦ ଡିସେମ୍ବରରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ ।

ଜଷ୍ଟିସ କୌଲଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଯେଉଁ ଅନ୍ୟ ସଦସ୍ୟମାନେ ରହିଛନ୍ତି ସେମାନେ ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଭୟ ଏସ. ଓକା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ.କେ. ମହେଶ୍ବର । ଗତ ଜାନୁଆରୀରେ ମାମଲାର ଶୁଣାଣି ହୋଇଥିଲା । ତେବେ ରାୟକୁ ମାର୍ଚ୍ଚ ୧୪ ଯାଏ ସ୍ଥଗିତ ରଖିଥିଲେ କୋର୍ଟ । ଶୁଣାଣି ବେଳେ ୟୁନିଅନ କାର୍ବାଇଡ ପକ୍ଷରୁ ଅଧିକ କ୍ଷତିପୂରଣ ଦାବିକୁ ବିରୋଧ କରାଯାଇଥିଲା ଏବଂ ୧୯୮୯ରେ ହୋଇଥିବା ସେଟେଲମେଣ୍ଟ ଅନୁସାରେ ବର୍ତ୍ତମାନ ଅଧିକ କ୍ଷତିପୂରଣ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ୧୯୮୯ ସେଟେଲମେଣ୍ଟ ଅନୁସାରେ କେନ୍ଦ୍ର ସରକାର ପ୍ରାୟ ୭୧୫ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇସାରିଛନ୍ତି । ତେବେ ସେହି ସେଟେଲମେଣ୍ଟରେ ପ୍ରକୃତ ଜନଜୀବନର କ୍ଷତି ଓ ପରିବେଶଗତ କ୍ଷତିକୁ ସଠିକ୍ ଆକଳନ କରାଯାଇ ନଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ୭ ହଜାର ୮୪୪ କୋଟି ଟଙ୍କା କ୍ଷତିପୂରଣ ଚାହିଁଛନ୍ତି ବୋଲି ଦର୍ଶାଇଛନ୍ତି ।

ଗତ ଜାନୁଆରୀରେ ମାମଲାର ଶୁଣାଣି ବେଳେ ଦୀର୍ଘ ୩୦ ବର୍ଷ ପରେ କାହିଁକି ଏହି ଅତିରିକ୍ତ କ୍ଷତିପୂରଣ ଦାବି କରାଯାଉଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ୧୯୮୪ ଡିସେମ୍ବର ୨ ଓ ୩ ତାରିଖରେ ଭୋପାଳସ୍ଥିତ ୟୁନିଅନ କାର୍ବାଇଡରୁ ପ୍ରାୟ ୪୦ ଟନ୍ ମିଥାଇଲ ଆଇସୋସିଆନେଟ ଗ୍ୟାସ ଲିକ୍ ହେବାରୁ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ, ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ ।

କୂଅ ଭିତରୁ ମିଳିଲା ଆଇନଜୀବୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ: କୂଅ ଭିତରୁ ମିଳିଲା ଆଇନଜୀବୀଙ୍କ ମୃତଦେହ । କଟକ ବିଡାନାସୀ ନୂଆସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଲେ ଆର୍ଯ୍ୟ ଚୌଧୁରୀ । ସେ ତେଲେଙ୍ଗାବଜାର ବାସିନ୍ଦା ବୋଲି ଜଣାପଡ଼ିଛି । ହତ୍ୟା କରି ତାଙ୍କୁ କୂଅରେ ପକାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଆର୍ଯ୍ୟଙ୍କ ପରିବାର ଲୋକ । ମୃତ ଆର୍ଯ୍ୟ ପେସାରେ ଜଣେ ଆଇନଜୀବୀ ହୋଇଥିବା ବେଳେ, ଗତ ୪ ଦିନ ଧରି ସେ ନିଖୋଜ ଥିଲେ । ଘଟଣାସ୍ଥଳରେ ବିଡାନାସୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।