ଉପକୂଳରେ ବର୍ଷା ସାଙ୍ଗକୁ ବଜ୍ରପାତ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ବାୟୁ ପ୍ରବାହର ଅସଙ୍ଗତି ପାଇଁ ଜାରି ରହିଛି ବର୍ଷା ଓ ବଜ୍ରପାତ । ସକାଳୁ ଖରା ଗୁଳୁଗୁଳିରେ ଅନୁଭୁତ ହେଉଥିବା ବେଳେ ଅପରାହ୍ନ ହେବା ମାତ୍ରେ ଆକାଶରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । କେଉଁଠି ବିଜୁଳି ଘଡଘଡି ସହ ବର୍ଷା ହେଉଛି ତ କେଉଁଠି ଝଡପବନ ଜନ ଜୀବନ ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ଦିନ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକାଂଶ ଜିଲ୍ଲା ଦକ୍ଷିଣ ଓଡ଼ିଶାର ଥିବା ବେଳେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ସଂଲଗ୍ନ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡରେ ବଜ୍ରପାତ ଜନିତ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ସେପଟେ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନରେ ତାପମାତ୍ରା ବଢିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।