ବିଜେଡି ନେତାଙ୍କ ପଛରେ ଆୟକର ବିଭାଗ, ଉଦ୍ଦେଶ୍ୟମୂଳକ ଭାବେ ରେଡ କରୁଥିବା ଅଭିଯୋଗ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରେ ଆକ୍ଟିଭ ଆୟକର ବିଭାଗ । ଟାର୍ଗେଟରେ ବିଜେଡି ନେତା । ଉଦ୍ଦେଶ୍ୟମୂଳକ ଭାବେ ସାରା ରାଜ୍ୟରେ ଚାଲିଛି ଚଢାଉ । କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରି ବିଜେପି ରେଡ ଭୟ ଦେଖାଉଥିବା ଅଭିଯୋଗ ହୋଇଛି । ଏପରିକି ଗତ ସପ୍ତାହରେ ବିଜେଡିର ଜଣେ ନେତାଙ୍କ ଶିକ୍ଷାନୁଷ୍ଠାନ ଉପରେ ଜିଏସଟି ଚଢାଉ କରି ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା । ଏହା ପୂର୍ବରୁ ପଦମପୁର ଉପନିର୍ବାଚନ ସମୟରେ ଚଢାଉ ପଲିଟିକ୍ସ ଦେଖିବାକୁ ମିଳିଥିଲା । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ବିରୋଧୀଙ୍କ ମୁହଁ ଚୁପ କରିବାକୁ ବିଜେପି ଏପରି ରାଜନୀତି ଆପଣାଇଛି । ଯାହାକୁ ନେଇ ବିରୋଧୀ ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି ।

ଓଡ଼ିଶାରେ `ରେଡ୍’ ପଲିଟିକ୍ସ । ବାଲେଶ୍ବରରୁ ଭୁବନେଶ୍ବର, ଢେଙ୍କାନାଳରୁ ଭାପୁର । ଭୋଟ୍ ପାଇଁ ବିଜେପିର ଭୟ ଥିଓରୀ । ଆୟକର ବିଭାଗ ଟାର୍ଗେଟରେ ବିଜେଡି ନେତା । ଚୁପ କରିବାକୁ ଚଢାଉ ଚକ୍ରାନ୍ତ । ଗୁଣ୍ଡାଗର୍ଦ୍ଦି, ଦଙ୍ଗା, ପ୍ରଲୋଭନ । ଏସବୁକୁ ଆୟୁଧ କରି ବାରମ୍ବାର ଓଡ଼ିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛି ବିଜେପି । ତେଣୁ ଝାରସୁଗୁଡ଼ା ଉପ ନିର୍ବାଚନ ଘୋଷଣା ହେଉ ହେଉ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ରେଡ୍ ରାଜନୀତି । ଆୟକର ବିଭାଗକୁ ହାତବାରିସି କରିଥିବା ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏକକାଳୀନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତାଙ୍କ ଘରେ ହେଉଛି ଚଡାଉ ।

ବାଲେଶ୍ବର ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଓ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ହୋଇଛି ରେଡ୍ । ଏହାସହ ଢେଙ୍କାନାଳ ପତଳା ଗାଁର ରତିକାନ୍ତ ରାଉତଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବିନା କାରଣରେ ଚଢାଉ କରିଛି କେନ୍ଦ୍ରୀୟ ଆୟକର । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏମାନେ ସମସ୍ତେ ବିଜେଡିର ନେତା ଓ ରାଜନୀତି ସହିତ ସଂପୃକ୍ତ ବ୍ୟକ୍ତି । ଉପନିର୍ବାଚନ ପୂର୍ବରୁ ହଠାତ୍ ଏଭଳି ଆକ୍ସନକୁ ନେଇ ଉଠିଛି ପ୍ରଶ୍ନ ।

ପଦମପୁର ଉପନିର୍ବାଚନ ସମୟରେ ରେଡକୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି କର୍ମୀଙ୍କ ଘରେ ଉଦ୍ଦେଶ୍ୟମୂଳକ ଭାବେ ଚଢାଉ ହୋଇଥିଲା । ଯାହାର ଜବାବ୍ ପଦମପୁରବାସୀ ଦେଇଥିଲେ । କେବଳ ଓଡ଼ିଶାରେ ନୁହେଁ । ସାରା ଦେଶରେ ଚଢାଉ ରାଜନୀତି ଚଳାଇଛି ଭାରତୀୟ ଜନତା ପାର୍ଟି । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଇଡି, ସିବିଆଇ, ଇନକମ ଟ୍ୟାସ୍କ ଓ ଜିଏସଟିକୁ ଅସ୍ତ୍ର କରି ଆସୁଛି । ବିଭିନ୍ନ ରାଜ୍ୟରେ ନିର୍ଦ୍ଦିଷ୍ଟ ଦଳର ନେତାଙ୍କୁ ଟାର୍ଗେଟ କରି ଗିରଫ ବି କରାଯାଇଛି । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ବିରୋଧୀ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଆଣିବାକୁ ପିଟିସନରେ ଅପିଲ କରିଛନ୍ତି ବିରୋଧୀ । ଯାହାର ଶୁଣାଣି ଆସନ୍ତାକାଲି ହେବ ।

ବିଜେପିର ଏଭଳି ହୀନ ରାଜନୀତି ଓଡ଼ିଶାରେ କେବେ ସଫଳ ହୋଇନି । ପଦମପୁରରେ ଆୟକର ବିଭାଗକୁ ଅପବ୍ୟବହାର କରି ଦଳ ବ୍ୟାକଫୁଟରେ ରହିଥିଲା । ଯାହାକି ବିଜେପିର ପରାଜୟର କାରଣ ହୋଇଥିଲା । ହେଲେ ଇତିହାସ ସାକ୍ଷୀ ଅଛି, ଚଢ଼ାଉ କରି ଚାଞ୍ଚଲ୍ୟ ଖେଳାଇ ଭୋଟ ହାତେଇବା ରାଜ୍ୟ ବିଜେପି ପାଇଁ ସବୁ ବେଳେ ମହଙ୍ଗା ହୋଇଛି ।