ଓଡ଼ିଶାରେ ହକିର ମହକ ଆଜି ସାରା ବିଶ୍ୱରେ ମହମହ ହୋଇ ବାସୁଛି । ତା’ ସହିତ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ଚିତ୍ର ସମସ୍ତଙ୍କୁ ଆକୃଷ୍ଟ କରିଛି । ରାଜଧାନୀ ଭୁବନେଶ୍ୱରରୁ ଗାଁର କୋଣ ଅନୁକୋଣରେ ହକିର ସ୍ପନ୍ଦନ ସ୍ପନ୍ଦିତ ହେଉଛି । ସମସ୍ତେ ଆଜି ସମବେତ ସ୍ୱରରେ ଗାନ କରୁଛନ୍ତି ‘ହକି ହୈ ଦିଲ ମେରା…’ ।
ଦେଶରେ ହକିର ପୁନରୁଦ୍ଧାର ଏବଂ କ୍ରୀଡ଼ାପ୍ରେମୀଙ୍କୁ ପୁଣି ହକି ପ୍ରତି ଆକୃଷ୍ଟ କରାଇବା ଦିଗରେ ଯେଉଁ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ମଧୁର ମହ୍ଲାର ଆଜି ସବୁଠି ଝଙ୍କୃତ ହେଉଛି ।
କଟକ ବାରବାଟୀ ଷ୍ଟାଡିୟମରେ ବୁଧବାର ଉଦ୍ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ର ୧୫ତମ ସଂସ୍କରଣ । କ୍ରମାନ୍ୱୟରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ହକି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ପୂର୍ବରୁ ହକି ଥିଲା, ବିଶ୍ୱକପ୍ ବି ଆୟୋଜିତ ହେଉଥିଲା । ୨୦୧୪ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ସହରରେ ୧୩ଟି ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇଥିଲା । ତେବେ ମନକୁ ଏଠାରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଓଡ଼ିଶା ଅଧିକ କ’ଣ କଲା?
ଫୁଟବଲ, ଟେନିସ, ଆଥଲେଟିକ୍ ଭଳି ହକି ବିଶ୍ୱରେ ଏତେ ଲୋକପ୍ରିୟ ନୁହେଁ । କିନ୍ତୁ ଏହା ଏକ ପ୍ରାଚୀନ କ୍ରୀଡ଼ା ଭାବେ ଆଦ୍ୟରୁ ଅଲିମ୍ପିକ୍ସରେ ସାମିଲ ହୋଇ ଆସିଛି । ପ୍ରଚାର ପ୍ରସାର ଅଭାବରୁ ହକିର ପରିସର ସୀମିତ ହୋଇ ରହିଛି । ଓଡ଼ିଶା ଦୁଇ ଥର କ୍ରମାନ୍ୱୟରେ ବିଶ୍ୱକପ୍ ଆୟୋଜନ କରି ବିଶ୍ୱରେ ହକିର ପ୍ରଚାର ପ୍ରସାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ୨୦୧୮ରେ ବିଶ୍ୱର ବିଭିନ୍ନ ମେଟ୍ରୋପଲିଟାନ ସହରରେ ବିଶ୍ୱକପ୍ର ପ୍ରଚାର ପ୍ରସାର କରାଯାଇଥିଲା । ବିଶ୍ୱକପ୍ ଆୟୋଜନକୁ ନୂଆ ରୂପ ଦେବାରେ ଓଡ଼ିଶାର ଭୂମିକା ସବୁଦିନ ହକି ଇତିହାସରେ ଲେଖା ହୋଇ ରହିବ । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଓ ଫିଫା ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରଙ୍ଗୀନ ଉଦ୍ଘାଟନୀ ପର୍ବ ଓ ଆତସବାଜିର କାର୍ଯ୍ୟକ୍ରମ ହୋଇଥାଏ ।
ହକି ବିଶ୍ୱକପ୍ର ୨୦୧୮ ସଂସ୍କରଣରେ ରଙ୍ଗୀନ ଉଦ୍ଘାଟନୀ ପର୍ବ ପ୍ରଥମ କରି ଆରମ୍ଭ ହୋଇଥିଲା । ପୁଣି ୨୦୨୩ ସଂସ୍କରଣରେ ଓଡ଼ିଶା ଆଉ ଦୁଇ ପାଦ ଆଗକୁ ଯାଇ ପ୍ରଥମ ଥର ଦୁଇଟି ସହରରେ ବିଶ୍ୱକପ୍ ଆୟୋଜନ ଏବଂ ଭେନ୍ୟୁ ସ୍ଥାନକୁ ଛାଡ଼ି ସ୍ୱତନ୍ତ୍ର ଉଦ୍ଘାଟନୀ ପର୍ବ ଭିନ୍ନ ସହରରେ ଆୟୋଜିତ ହେବା ବିଶ୍ୱକପ୍କୁ ଅଧିକ ପରିବ୍ୟାପ୍ତ କରିପାରିଛି । ଓଡ଼ିଶାର ଏହି ଧାରା ପରବର୍ତ୍ତୀ ସଂସ୍କରଣକୁ ପ୍ରଭାବିତ କରିଛି । ୨୦୨୬ ସଂସ୍କରଣ ଦୁଇଟି ସହରରେ ନହେଲେ ବି ଦୁଇଟି ଦେଶରେ ଆୟୋଜିତ ହେବ ।
– ଭାରତରେ ହକିର ପୁନରୁଦ୍ଧାର
୧୯୮୦ ପରେ ଭାରତୀୟ ହକି କିଭଳି ସ୍ଥିିତି ଦେଇ ଗତି କରୁଥିଲା, ତାହା ସମସ୍ତେ ଜାଣିଛନ୍ତି । ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ୨୦୦୮ରେ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା । ସାହାରା ହକି ଇଣ୍ଡିଆର ପ୍ରାୟୋଜକ ଛାଡ଼ିବା ପରେ ଭାରତୀୟ ହକିର ସ୍ଥିତି ଏକ ପ୍ରକାର ଦୋହଲି ଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆକୁ ପ୍ରୋତ୍ସାହନ ଯୋଗାଇ ଦେବାର ଘୋଷଣା କଲେ । ଓଡ଼ିଶା ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ହେଲା ।
୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମ ଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି । ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରି ଥିଲା । ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସମୟ ଆସିଲା, ଜାତୀୟ ସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ । ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି ।
– ଓଡ଼ିଶାରେ ହକିର ବିକାଶ
ଇଂରେଜମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା । ବିଶେଷ କରି ମିଶନାରୀମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ସମୟକ୍ରମେ ହକି ଆଦିବାସୀମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା । ଧିରେ ଧିରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା । ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି କପ୍ ଟୁର୍ଣ୍ଣାମେଣ୍ଟ । ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ।
ସୁନ୍ଦରଗଡ଼ର ସମେତ ରାଜ୍ୟର କିଛି ଅଞ୍ଚଳରେ ହକି ଥିଲା, ଖେଳାଳି ବି ଥିଲେ କିନ୍ତୁ ଆଧୁନିକ ଭିତ୍ତିଭୂମି ଏବଂ ଆଧୁନିକ ସୁବିଧା ସୁଯୋଗ ନଥିଲା । ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଘଟିଛି । ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି । କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକ ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଆଷ୍ଟ୍ରୋ ଟର୍ଫ ବିଛା ଯିବା ନେଇ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ତୃଣମୂଳ ସ୍ତରରୁ ହକି ଖେଳାଳି ବାହାର କରିବା ପାଇଁ ସୁନ୍ଦରଗଡ଼ ସମେତ ଭୁବନେଶ୍ୱରରେ କ୍ରୀଡ଼ା ଛାତ୍ରାବାସ ଏବଂ ହକି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
– ଓଡ଼ିଶାରେ ହକିର ଆଧୁନିକ ପର୍ବ
ଆଦିବାସୀଙ୍କର ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କଲେ । ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ରେ ଏକ ଦଳ କ୍ରୟ କଲେ । ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’ । ଏହାପରେ ୨୦୧୪ରେ ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲା । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା । ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଏଥିରେ ଭାଗ ନେଲେ । ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଭୂତପୂର୍ବ ସଫଳତା ହାସଲ କଲା । ଏହିଠାରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା ହକିର ଆଧୁନିକ ପର୍ବ ଏବଂ ହକି ବିପ୍ଳବ ।
‘ହକି ଚାମ୍ପିଅନ୍ସ ଟ୍ରଫି’ର ସଫଳତା ପରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା । ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ । ଭୁବନେଶ୍ୱର ବିଶ୍ୱକପ୍ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା । ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା ।
ବିଶ୍ୱକପ୍-୨୦୧୮ ଆୟୋଜନ ଅନ୍ତର୍ଜାତୀୟ ହକିରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଲା । ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ । ଯାହା ସମସ୍ତଙ୍କୁ ଚକିତ କଲା । ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋ ଲିଗ୍ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ଖେଳାଗଲା ।
– ବିଶ୍ୱକପ୍ ୨୦୨୩
୨୦୧୮ ବିଶ୍ୱକପ୍ର ସଫଳ ଆୟୋଜନ ପରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ହକି ଇଣ୍ଡିଆକୁ ପୁଣି ପରବର୍ତ୍ତୀ ସଂସ୍କରଣ ଆୟୋଜନ ଅଧିକାର ପ୍ରଦାନ କରିଥିଲା । ହକି ଇଣ୍ଡିଆର ପ୍ରସ୍ତାବକୁ ଏଥର ବି ରାଜ୍ୟ ସରକାର ଅଗ୍ରାହ୍ୟ କରିନଥିଲେ । ବରଂ ଭୁବନେଶ୍ୱର ସମେତ ରାଉରକେଲାରେ ବିଶ୍ୱକପ୍ ଖେଳାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ୧୫ ମାସ ମଧ୍ୟରେ ଇସ୍ପାତରେ ନିର୍ମିତ ନୂଆ ଷ୍ଟାଡିୟମ ଇସ୍ପାତ ନଗରୀ ରାଉରକେଲାରେ ଗଢ଼ି ଉଠିଛି । ଯାହାର ନାମ ରଖାଯାଇଛି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । କେବଳ ଷ୍ଟାଡିୟମ ନୁହଁ, ଏହାର ପରିସରରେ ପଞ୍ଚ ତାରକା ହୋଟେଲର ସୁବିଧା ଥିବା ‘ହକି ଗ୍ରାମ’ ମଧ୍ୟ ନିର୍ମାଣ ହୋଇଛି । ଯେଉଁଠି ବିଶ୍ୱକପ୍ ଦଳ ଗୁଡ଼ିକର ରହିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୯ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମକୁ କେବଳ ଦେଶରେ ନୁହେଁ, ବିଶ୍ୱରେ ବୃହତ୍ ଷ୍ଟାଡିୟମର କୁହାଯାଉଛି ।
– ୧୬ ଦଳ, ୪୪ ମ୍ୟାଚ୍
ପ୍ରଥମ ଥର ହକି ବିଶ୍ୱକପ୍ ଦୁଇଟି ଭେନ୍ୟୁରେ ଖେଳାଯାଉଛି । ଉଭୟ ରାଉରକେଲା ଓ ଭୁବନେଶ୍ୱର ଭେନ୍ୟୁ ପ୍ରସ୍ତୁତ ରହିଛି । ମୋଟ୍ ୧୬ଟି ଦଳ ଏଥର ବିଶ୍ୱକପ୍ରେ ଭାଗ ନେଇଛନ୍ତି । ଦଳ ଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚିଲି, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ ଓ ୱେଲ୍ସ । ବିଶ୍ୱକପ୍ରେ ୪୪ଟି ମ୍ୟାଚ୍ରୁ ରାଉରକେଲାରେ ୨୦ ଏବଂ ଭୁବନେଶ୍ୱରରେ ୪୪ଟି ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି ।
ହକିର ଉନ୍ନତି ଏବଂ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ଯାହାକୁ ନେଇ କିଛି ନାପସନ୍ଦ କରୁଛନ୍ତି ।

କିନ୍ତୁ ନାପସନ୍ଦ କରିବାର କିଛି କାରଣ ନାହିଁ । କାରଣ ଏବେ କ୍ରୀଡ଼ାରେ ଯେଉଁ ପୁଞ୍ଜିର ବିନିଯୋଗ ହେଉଛି, ତାହା ଦିନେ ପୁଣି ବଳିଷ୍ଠ ହୋଇ ଆମ ପାଖକୁ ଫେରିବ । ଖେଳ ମାଧ୍ୟମରେ ଓଡ଼ିଶା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି । ଆମ ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟକୁ ସାରା ଦୁନିଆ ଚିହ୍ନିବା ଆରମ୍ଭ କଲାଣି । ଧିରେ ଧିରେ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଆମ ଆତିଥେୟତା ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ତ୍ୱରାନ୍ୱିତ କରିବ । ଶିଳ୍ପ ସମୃଦ୍ଧ ହେବ, ନିଯୁକ୍ତି ବୃଦ୍ଧି ପାଇବ ଏବଂ ଆମ ଜୀବନ ଧାରଣର ମାନ ବଢ଼ିବ । ହକି କିମ୍ବା ଯେ କୌଣସି କ୍ରୀଡ଼ାର ପ୍ରଚାର ପ୍ରସାର ପଶ୍ଚାତରେ ଏ ଜାତିର ସ୍ୱାର୍ଥ ନିହିତ ରହିଛି । ଉପଯୁକ୍ତ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ପାଇ ଦିନେ ଏ ରାଜ୍ୟରୁ ଏକାଧିକ ଅଲିମ୍ପିକ୍ସ ପଦକ ବିଜେତା ବାହାରି ଦେଶକୁ ଗୌରବାନ୍ୱିତ କରିବେ ।





ଭାରତୀୟ ଟିମ ପାଇଁ ୨୦୦ରୁ ଅଧିକ ମ୍ୟାଚ ଖେଳିସାରିଲେଣି ଆକାଶଦୀପ ସିଂ। ଫ୍ୟାନ୍ସଙ୍କୁ ତାଙ୍କ ଅଧିକଆଶା ରହିଛି। ୨୦୧୨ରେ ସେ ତାଙ୍କର ପ୍ରଥମ ହକି ମ୍ୟାଚ ଖେଳିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆକାଶ ୮୦ରୁ ଅଧିକ ଗୋଲ କରିଛନ୍ତି। ତାଙ୍କୁ ଗୋଲ ମେସିନ ମଧ୍ୟ କୁହାଯାଇଥାଏ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ହାଟ୍ରିକ କରିଥିବା ଆକାଶ ଏବେ ନିଜର ତୃତୀୟ ବିଶ୍ବକପ ଖେଳିବେ।
ଭାରତୀୟ ଫିଲ୍ଡ ହକି ଖେଳାଳି ମନପ୍ରୀତ ସିଂ। ଯିଏ କି ପୂର୍ବ ବିଶ୍ବକପରେ ଅଧିନାୟକ ରହିଥିଲେ। ଚଳିତ ବର୍ଷ ତାଙ୍କ ଉପରେ ଆଉ ଅଧିନାୟକ ପଦର ଭାର ରହିବନାହି। ଯାହା ଫଳରେ ସେ ନିଜର ବେଷ୍ଟ ଦେବେ ବୋଲି ଆଶା କରାଯାଉଛି। ଅଧିନାୟକ ଥିବା ସମୟରେ ସେ ଭାରତକୁ ଅଲମ୍ପିକରେ ବ୍ରୋଂଚ ପଦକରେ ଜିତାଇଥିଲେ। ଏମିତିରେ ତାଙ୍କର ମିଡଫିଲ୍ଡକୁ ଅନୁଭବ ଏବଂ ଶେଷ ତୃତୀୟ ଭାଗରେ ତାଙ୍କର କ୍ରିସ୍ପ ପାସ ଭାରତକୁ ଗୋଲ ଦେବାରେ ଅନେକ ସାହାଯ୍ୟ କରିବ।
ଭାରତୀୟ ଷ୍ଟାର ଫରଓ୍ବଡ ହେଉଛନ୍ତି ମନଦୀପ ସିଂ। ଯିଏ କି ୨୦୨୨ରେ ଭାରତକୁ ସବୁଠାରୁ ଅଧିକ ୧୩ଟି ଗୋଲ ଦେଇଥିଲେ। ତାଙ୍କ ଖେଳର ଖାସିଓ୍ବତ ହେଉଛି, ଅନ୍ୟ ଟିମକୁ ଧୋକା ଦେବା ସହ ସେ ପେନାଲ୍ଟି କର୍ଣ୍ଣର ପାଇଁ ସୁଯୋଗ ଦେଇ ନଥାନ୍ତି। ଏମିତିରେ ତାଙ୍କ ଅନୁଭବ ଏଥରର ବିଶ୍ବକପ ପାଇଁ ଖୁବ ଜରୁରୀ ରହିବ।
ଅନ୍ୟପଟେ ଟିମର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ଏଥର ପୁରା ପ୍ରସ୍ତୁତ । ମେନ୍ସ ପ୍ରି ଲିଗରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନଥିବାବେଳେ ଖୁବ ଆଲୋଚନାର ଶିକାର ହୋଇଥିଲେ ଶ୍ରୀଜେଶ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ବେଷ୍ଟ ଦେଇ କମବ୍ୟାକ କରିଥିଲେ। ଶ୍ରୀଜେଶ ସମସ୍ତ ବଡ ମ୍ୟାଚ ପୂର୍ବରୁ ପୀକରେ ଥାଆନ୍ତି ଏବଂ ଟିମ ପାଇଁ ପୁରା ଦମ ଲଗାଇ ଦେଇଥାନ୍ତି।