spot_img
Home Blog Page 3482

ଆବାସିକ କୋଠାରେ ଧକ୍କା ହେଲା ଗ୍ଲାଇଡର, ପାଇଲଟଙ୍କ ସମେତ ଜଣେ ଯାତ୍ରୀ ଆହତ

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାରେ ଏକ ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ । ଆବାସିକ କୋଠାରେ ଗ୍ଲାଇଡର ପଶିଯିବାରୁ ପାଇଲଟ ଓ ଜଣେ ୧୪ ବର୍ଷ ବୟସ୍କ ଯାତ୍ରୀ ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।ଧାନବାଦର ବାରଓ୍ବାଡ଼ା ଏୟାରଷ୍ଟ୍ରିପରୁ ଗ୍ଲାଇଡରଟି ଉଡାଣ ଆରମ୍ଭ କରିଥିବାବେଳେ ମାତ୍ର ୫୦୦ ମିଟର ଦୂରରେ ଏକ କୋଠାରେ ଧକ୍କା ଖାଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଗ୍ଲାଇଡରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା ପରେ ଗ୍ଲାଇଡରର କକପିଟ୍ ନଷ୍ଟ ହୋଇଯାଇଥିବାବେଳେ କୋଠାରେ ରହୁଥିବା ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଆହତ ବ୍ୟକ୍ତିଜଣକ ଆକାଶମାର୍ଗରୁ ପାଟନା ସହର ପରିଦର୍ଶନ କରିବା ଲାଗି ଗ୍ଲାଇଡର ବ୍ୟବହାର କରିଥିଲେ । ଏହି ଗ୍ଲାଇଡ ସର୍ଭିସ ଏକ ଘରୋଇ କମ୍ପାନୀ ଦ୍ବାରା ପରିଚାଳିତ ହେଉଛି ଏବଂ ଏଥିରେ କେବଳ ଜଣେ ଯାତ୍ରୀ ଓ ଜଣେ ପାଇଲଟ ବସିବାର ବ୍ୟବସ୍ଥା ରହିଛି । ଦୁର୍ଘଟଣା ପରେ ଧାନବାଦରେ ଗ୍ଲାଇଡ ସର୍ଭିସ ବନ୍ଦ କରିଦିଆଯାଇଛି ।

ଆଜିଠୁ ମୁସଲମାନଙ୍କ ପବିତ୍ର ରମଜାନ ମାସ, ସଜେଇ ହୋଇଛି ମସଜିଦ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ମୁସଲିମ ବିଧି ଅନୁସାରେ ବୁଧବାର ଥିଲା ଶାବାନ ମାସର ୨୯ ତମ ଦିନ । ଗୁରୁବାରଠାରୁ ରମଜାନ ଆରମ୍ଭ ହୋଇଥାନ୍ତା । ତେବେ ପ୍ରତିକୂଳ ପାଗ ଯୋଗୁ ଚନ୍ଦ୍ର ଦେଖାନଯିବାରୁ ଆଜିଠୁ ରମଜାନ ମାସ ଆରମ୍ଭ ହେଉଛି । ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ଘରେଘରେ ହୋଇଛି ପ୍ରସ୍ତୁତି । ରୋଜା ମାସ ପାଳୁଥିବା ମୁସଲମାନ ଭାଇଭଉଣୀ ଆଜିଠୁ ଉପବାସରେ ରହୁଛନ୍ତି । ମସଜିଦରେ ସମୁହ ନମାଜ ପାଠ ଅନୁଷ୍ଠିତ ହେବ।

ରମଜାନ ମାସରେ ଉପବାସ ରଖି ଦାନଧର୍ମ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଶିଶୁ, ଗର୍ଭବତୀ, ରୋଗୀ ଓ ବୟସ୍କ ଉପବାସ କରିନଥାନ୍ତି । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଜିଠୁ ବଢିବ ତାପମାତ୍ରା, ୨୬ ତାରିଖରୁ ପୁଣି ପଡ଼ିବ ପଶ୍ଚିମା ଝଡ଼ ପ୍ରଭାବ

ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମାଝଡ଼ । ୨୬ରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପରିଲକ୍ଷିତ ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବା ସମ୍ଭାବନା ରହିଛି । ୨୭ରୁ ବଢ଼ିବ ବର୍ଷାର ବିସ୍ତୃତି, ୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପ୍ରଭାବିତ ହେବ ପାର୍ଶ୍ଵବର୍ତ୍ତୀ ଜିଲ୍ଲା । ଜାରି ରହିବ ଝଡ଼ ପବନ ଏବଂ ବିଜୁଳି ଘଡ଼ଘଡ଼ି । ରାଜ୍ୟରେ ସାମାନ୍ୟ ବଦଳିଛି ପାଗ । ବିଭିନ୍ନ ସ୍ଥାନରେ ପାଗ ମେଘୁଆ ଥିବାବେଳେ ଆଜିଠୁ ତାପମାତ୍ରା ବୃଦ୍ଧି ପାଇବ ।

କିଛିଦିନର ବ୍ୟବଧାନ ପରେ ପୁଣି ଫେରିବ ଖରା । ସ୍ବାଭାବିକ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ମଧ୍ୟାହ୍ନରେ ତାତି ବଢ଼ିଲେ ବି ଅପରାହ୍ନରେ ଘଡ଼ିଘଡ଼ି ବିଜୁଳି ସହ ବର୍ଷା ହେବ। କାଳବୈଶାଖୀ ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅପରାହ୍ମରେ ବର୍ଷା ହେବ । ଆଜି କାଳବୈଶାଖୀ ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି ।

ଏପ୍ରିଲ ପହିଲାରୁ ଟ୍ରାଫିକ ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ତା’ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଛି SOP । ଏପ୍ରିଲ ପହିଲାରୁ ୭ ତାରିଖ ଅର୍ଥାତ ଏପ୍ରିଲ ପ୍ରଥମ ସପ୍ତାହରେ କଡ଼ାକଡ଼ି ଲାଗୁ ହେବ ମାର୍ଗଦର୍ଶିକା । ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫେଟାଲିଟି ଉଇକ ଭାବେ ପାଳନ କରାଯିବ।

ଟ୍ରାଫିକ ନିୟମ ଉଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ ତୀକ୍ଷ୍ଣ ନଜର । ବଡ଼ ଅଙ୍କର ଜରିମାନା ସହ ଜେଲଦଣ୍ଡ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୧ ତୁଳନାରେ ୨୦୨୨ରେ ଏହି ହାର ଶତକଡା ୭.୬୦% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ଘଟି ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩ଟି ଲେଖାଏଁ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀ ରେଳଷ୍ଟେସନ ନିକଟରେ ପୁଣି ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳଷ୍ଟେସନ ନିକଟରେ ପୁଣି ଥରେ ଅଗ୍ନିକାଣ୍ଡ । ଷ୍ଟେସନର ୱାସିଂ ଲାଇନ୍ ମଧ୍ୟରେ ଥିବା ଏକ ଛୋଟ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଘର ମଧ୍ୟରେ ଥିବା ବ୍ୟାଟେରି, ମେସିନ୍‌, ଅନ୍ୟାନ୍ୟ ଦାମୀ ଜିନିଷ ଆଦି ଜଳିଯାଇଛି । ନିଆଁ ଲାଗିବାର ମାତ୍ର କିଛି ସମୟ ପରେ ଆରପିଏଫ୍ ଓ ଜିଆରପି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ ସୃଷ୍ଟି ହୋଇଛି ।

ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ

ଭଦ୍ରକ: ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ । ଫଟୋ ଲ୍ୟାବ ଭିତରେ ପଶି ମାଲିକଙ୍କ ପୁଅକୁ ଛୁରୀ ଭୁସିଲା ଯୁବକ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ନରେ ସାବିତ୍ରୀ କଲର ଲ୍ୟାବ୍ କାମ କରୁଥିବା ଜଣେ ପିଲା ଗାଡ଼ି ନେଇ ଆସୁଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କୁ ଗାଡି ସାଇଟ କରିବାକୁ କହିଥିଲା ।  ସେ ମଧ୍ୟ ସଙ୍ଗେ ସଙ୍ଗେ ଗାଡି ସାଇଟ କରିଥିଲେ ।  କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ପାଟି କରିବା ସହିତ ପଛେ ପଛେ ଲ୍ୟାବ ପାଖକୁ ଆସିଥିଲା । ଏଥିରେ ଲ୍ୟାବ ମାଲିକଙ୍କ ପୁଅ ରାଜ ଭାରତ କ୍ରାନ୍ତି ପଚାରିବାରୁ ସେହି ଯୁବକ ଜଣଙ୍କ ତାଙ୍କୁ ହଠାତ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ପାଖରେ ଥିବା ପିଲା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ଯୁବକ । ଛୁରାମାଡ଼ରେ ରାଜଙ୍କୁ ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାଉରକେଲାରେ ଘରୋଇ ହସ୍ପିଟାଲ ଦ୍ୱାରା ସୁପର ସ୍ପେଶାଲିଟି ହସପିଟାଲର ପରିଚାଳନାକୁ ବିରୋଧ

ରାଉରକେଲା: ରାଉରକେଲାକୁ କେନ୍ଦ୍ରର ଅବହେଳା । ଏକ ଘରୋଇ ହସ୍ପିଟାଲ ଦ୍ବାରା ସୁପର ସ୍ପେଶିଆଲିଟି ହସ୍ପିଟାଲ ପରିଚାଳନାକୁ ବିରୋଧ । ୪ ଶହ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଛି ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ । ମାତ୍ର ଏହାକୁ ଏକ ଘରୋଇ ହସ୍ପିଟାଲ ପରିଚାଳନା କରିବା ବିରୋଧରେ ସ୍ବର ତେଜିଛି । ଏହା କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବୋଲି ରାଉରକେଲାବାସୀ ଅଭିଯୋଗ କରିଛନ୍ତି । ଏହାକୁ ଏମ୍ସରେ ପରିଣତ କରି ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ରାଉରକେଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସମସ୍ତ ରାଜନୈତିକଙ୍କ ଦଳ ସହିତ ସାମାଜିକ ଓ ଶ୍ରମିକ ସଂଗଠନ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଏପ୍ରିଲ ପହିଲାରୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଚେତାବନୀ ଦେଇଛି ।

ରେଳକ୍ଷେତ୍ରରେ ମଧ୍ୟ ରାଉରକେଲାକୁ କେନ୍ଦ୍ରର ଅବହେଳା ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ତାଳଚେର-ବିମଳାଗଡ଼ ରେଳପଥ ତୁରନ୍ତ ନିର୍ମାଣ ସହ ରାଉରକେଲାକୁ ରେଳ ଡିଭିଜନ ଘୋଷଣା କରିବାକୁ ଦାବି ହୋଇଛି । ବିମାନବନ୍ଦରକୁ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ରାଉରକେଲାବାସୀ ଦାବି କରିଛନ୍ତି । ଏନେଇ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଏପ୍ରିଲ ଏକ ତାରିଖରୁ ଆମ୍ବାଗାନ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଗଣଧାରଣା ଦିଆଯିବ ବୋଲି ନାଗରିକ ସୁରକ୍ଷା କମିଟି ଚେତାବନୀ ଦେଇଛି ।

ଆଥଲେଟ୍ ବାପି ହାଂସଦାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଥଲେଟ୍ ବାପି ହାଂସଦାକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିବା ବାପି ହାଂସଦାଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଶେଷ ହୋଇଥିବା ୧୮ ତମ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପର ୪୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବାପି । ସେ ୫୧.୯୦ ସେକେଣ୍ଡରେ ଏହାକୁ ଅତିକ୍ରମ କରିଥିଲେ ।

ବାପିଙ୍କର ଏଭଳି ସଫଳତା ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏହାସହ କୋଚ୍ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବାଲେଶ୍ବରର ବାପି ୨୦୦୮ ମସିହାରେ ତାଙ୍କ ବାପାଙ୍କୁ ହରାଇଛନ୍ତି । କଠିନ ପରିଶ୍ରମ ପରେ ସେ ଏଭଳି ସଫଳତା ପାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାକୁ ପୁଣି ବିଶ୍ବସ୍ତରୀୟ ପ୍ରଶଂସା, କିଛିବର୍ଷ ହେଲା ରାଜ୍ୟ ଆଣୁଛି ସ୍ୱତନ୍ତ୍ର କ୍ଳାଇମେଟ୍ ବଜେଟ୍

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବିଶ୍ବସ୍ତରୀୟ ପ୍ରଶଂସା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଓଡ଼ିଶାର କ୍ଲାଇମେଟ୍‌ ବଜେଟକୁ ମିଳିଛି ପ୍ରଶଂସା । ସାରା ଦେଶରେ ଓଡ଼ିଶାର କ୍ଲାଇମେଟ ବଜେଟ ପ୍ରଥମ । ଜି-20 ସମ୍ମିଳନୀ ପୂର୍ବରୁ ସଷ୍ଟେନେବଲ ଫାଇନାନ୍ସ ଓ୍ବାର୍କିଂ କମିଟି ବୈଠକରେ ରାଜ୍ୟ ଅର୍ଥ ସଚିବ କ୍ଳାଇମେଟ୍‌ ବଜେଟକୁ ବେଷ୍ଟ ପ୍ରାକ୍ଟିସ୍‌ ହିସାବରେ ଉପସ୍ଥାପନ କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସାଙ୍ଗକୁ ପରିବର୍ତ୍ତିତ ପାଣିପାଗରେ ଜୀବନ ଜୀବିକା ସୁରକ୍ଷିତ ରଖିବାକୁ କ୍ଳାଇମେଟ୍‌ ବଜେଟ୍‌ ଉଦ୍ଦିଷ୍ଟ । ୨୦୧୦ରୁ ପାଣିପାଗ‌ ପାଇଁ ସ୍ୱତନ୍ତ୍ର ଦୀର୍ଘସୂତ୍ରୀ ଯୋଜନା ସହ ୨୦୨୧ରୁ ଓଡ଼ିଶା ସରକାର କ୍ଳାଇମେଟ୍‌ ବଜେଟ୍‌ ଆଣୁଛନ୍ତି । ଜିରୋ କାଜୁଆଲଟି ମିଶନ ନେଇ କାମ କରାଯାଉଛି । ଜି-20 ସମ୍ମିଳନୀ ପୂର୍ବରୁ ବିଭିନ୍ନ ଦେଶର ବେଷ୍ଟ ପ୍ରାକ୍ଟିସକୁ ନେଇ ରାଜସ୍ଥାନର ଉଦୟପୁରରେ ଆୟୋଜିତ ସଷ୍ଟେନେବଲ ଫାଇନାନ୍ସ ଓ୍ବାର୍କିଂ କମିଟିର ତିନିଦିନିଆ ବୈଠକରେ ଓଡ଼ିଶାର କ୍ଳାଇମେଟ୍‌ ବଜେଟକୁ ପ୍ରଶଂସା କରାଯାଇଛି।

ଏହି ବୈଠକରେ ୯୦ଟି ଦେଶର ପ୍ରତିନିଧି ଆର୍ଥିକ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ଉପସ୍ଥାପନ କରିଛନ୍ତି । ମିଲେଟ୍‌ ମିଶନ ଜରିଆରେ ସ୍ଵଳ୍ପବୃଷ୍ଟିରେ ଧାନର ବିକଳ୍ପ, ଭୂତଳ ଜଳ ସଂରକ୍ଷଣ ଓ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା ସାଙ୍ଗକୁ ବାତ୍ୟା ପ୍ରତିରୋଧ ପାଇଁ ହେନ୍ତାଳ ବଣ ସୃଷ୍ଟି ଓ ସମୁଦ୍ର କୂଳରେ ସୁରକ୍ଷା ପ୍ରାଚୀର ଆଦି ପଦକ୍ଷେପ ନେଇଛି ଓଡ଼ିଶା । ଅଦିନିଆ ବର୍ଷା କି ମରୁଡ଼ି ଭଳି ଦୁର୍ବିପାକ ହେଲେ ଚାଷୀକୁଳ ପାଇଁ ରାଜ୍ୟ ସରକାର ବିକଳ୍ପ ଜୀବିକା ବ୍ୟବସ୍ଥା କରୁଛନ୍ତି । କ୍ଲାଇମେଟ୍‌ ବଜେଟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ବତନ୍ତ୍ର ଅଟକଳ, ପାଣିପାଗରେ ଅଚାନକ ପରିବର୍ତ୍ତନ ହେଲେ ବିକଳ୍ପ ବ୍ୟବସ୍ଥା, ଖର୍ଚ୍ଚର ନିୟମିତ ସମୀକ୍ଷା ଓ ସ୍ଥାୟୀ ଭିତ୍ତିଭୂମି କ୍ଲାଇମେଟ୍‌ ବଜେଟର ଅଂଶ ବିଶେଷ । ଓଡ଼ିଶାର କ୍ଳାଇମେଟ୍‌ ବଜେଟକୁ ଅନ୍ୟ ରାଜ୍ୟ ଓ ଦେଶ ଆପଣାଇବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

 

ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ

ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ । FIH ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ । କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି । ହକି ଇଣ୍ଡିଆର ସଂପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବିଶ୍ବର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ବକପ ଆୟୋଜନ ହୋଇଥିଲା । ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ବକପ ଆୟୋଜନ ହୋଇଥିଲାବେଳେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ୍ ହୋଇଥିଲା ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରର ଭିତ୍ତିଭୂମି ରହିଛି । ଏଠାକାର ବହୁମୁଖୀ ସୁବିଧା କମନଓ୍ବେଲଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ମଧ୍ୟ ଉପଯୋଗୀ । ବିଶ୍ବକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ଅନ୍ତର୍ଜାତୀୟ ସ୍ତରର ଉଦଘାଟନୀ ଉତ୍ସବରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ । ବିଶ୍ବସ୍ତରୀୟ ଆୟୋଜନ ପାଇଁ ସାରା ବିଶ୍ବର କ୍ରୀଡ଼ାପ୍ରେମୀ ବିଶ୍ବକପରେ ଯୋଗଦେଇଥିଲେ । ଓଲିଲ୍ୟାଣ୍ଡ ସହିତ ଦୁଇ ସହରର ସୌନ୍ଦର୍ଯ୍ୟକରଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଯେଉଁଥିରେ ସମସ୍ତ ଖେଳାଳି ସହତ କ୍ରୀଡ଼ାପ୍ରେମୀ ଖୁସି ପ୍ରକାଶ କରିଥିଲେ । ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି  ।