ପଦାରେ ପଡ଼ିଲା ମନମୋହନଙ୍କ ସଭାପତିତ୍ୱକୁ ନେଇ ବିଜେପିର ଅସନ୍ତୋଷ: ବିଜେଡି

ଭୁବନେଶ୍ୱର: ନିଜ ରାଜ୍ୟ ସଭାପତିଙ୍କୁ ହଟହଟା କରିବାକୁ ଚାହୁଁଛି ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ । ମନମୋହନ ସାମଲକୁ ସମସ୍ୟାରେ ପକାଇବାକୁ ହୋଇଛି ଷଡ଼ଯନ୍ତ୍ର । ରାଜ୍ୟ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ୍ ତାଙ୍କ ଦଳରେ ଚାଲିଥିବା ବିବାଦକୁ ପଦାରେ ପକାଇଦେଇଛି । ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଜମି ହସ୍ତାନ୍ତର ସମୟରେ ରାଜସ୍ବ ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ଦୁଇ ବିଜେପି ନେତା । ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜସ୍ବ ମନ୍ତ୍ରୀ ଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ବରିଷ୍ଠ ବିଜେପି ନେତା ସମୀର ଦେ । ଯେଉଁମାନେ କି ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ।

ମାତ୍ର ଏବେ ମନମୋହନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ । ସେ ରାଜ୍ୟ ସଭାପତି ହେବା ପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମସ୍ୟାରେ ପକାଇବାକୁ ଲାଗିପଡ଼ିଛନ୍ତି । ମନମୋହନଙ୍କୁ ଗ୍ରହଣ କରୁନଥିବା ଗୋଷ୍ଠୀ ଏହି ପ୍ରସଙ୍ଗ ଉଠାଇ ତାଙ୍କୁ ହଟହଟା କରିବାକୁ ଚେଷ୍ଟା କରୁଛି । ଘର କଳିକୁ ବିଜେପି ଦାଣ୍ଡରେ ପକାଇ ରାଜନୀତି କରିବା ଶୋଭନୀୟ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।