ବିଜେଡିରେ ମିଶିଲେ ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଜେପିର ନେତା ଓ କର୍ମୀ । ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ । ୧୯୯୦ ମସିହାରୁ ବିଜେପିରେ କାର୍ଯ୍ୟ କରିଆସୁଥିଲେ ମୀନକେତନ । ବିଭିନ୍ନ ସମୟରେ ପ୍ରଭାରୀ ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି ମୀନକେତନ । ମୀନକେତନ ପ୍ରଧାନ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ମୀନକେତନଙ୍କ ବିଜେଡିକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେବଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ଥିଲେ ।

ବିଜେଡିରେ ସାମିଲ ହେଲା ପରେ ଓଡ଼ିଶା ଲୋକଙ୍କର ଓ ଦେବଗଡ଼ ଲୋକଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହେଲି ବୋଲି କହିଛନ୍ତି ମୀନକେତନ ପ୍ରଧାନ । ସେ କହିଛନ୍ତି, ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ, ବିଜେପିରେ ସମନ୍ୱୟର ଅଭାବ ଅଛି । ଦୀର୍ଘ ୩୨ ବର୍ଷ ବିଜେପିରେ ରହିବା ପରେ ସମ୍ମାନ ସେଠି ମିଳିଲା ନାହିଁ । ବିଜେପି ଦଳ ମୋତେ ଅଣଦେଖା କରିଛି ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହେଲି ।