୨୦୨୩ରେ କ’ଣ ହେବ ରାଜ୍ୟ ରାଜନୀତି, ଓଡ଼ିଆ ନବବର୍ଷକୁ ନେଇ ଜ୍ୟୋତିର୍ବିତଙ୍କ ଭବିଷ୍ୟବାଣୀ

ଭୁବନେଶ୍ୱର: ୨୦୨୩ ଓଡ଼ିଆ ନବବର୍ଷରେ ଦେଶ ଓ ଓଡ଼ିଶାର ସ୍ଥିତି କ’ଣ ରହିବ ? ରାଜନୀତିରେ କିଛି ପରିବର୍ତ୍ତନ ଆସିବ କି ? ଉପନିର୍ବାଚନ ଓ ସାଧାରଣ ନିର୍ବାଚନରେ କାହାକୁ ମିଳିବ ସଫଳତା ? ଓଡ଼ିଆ ନବବର୍ଷ ପୂର୍ବରୁ ଜ୍ୟୋତିର୍ବିଦମାନେ ରାଜ୍ୟର ଭାଗ୍ୟଫଳକୁ ନେଇ କରିଛନ୍ତି ଭବିଷ୍ୟବାଣୀ । ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ଆକଳନ କହୁଛି, ଓଡ଼ିଶା ଶାସନରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ବରଂ ବିଜେଡିର ଲୋକପ୍ରିୟତା ବଢ଼ିବା ସହ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରାଶି ମିଥୁନ ହୋଇଥିବାରୁ ଏପ୍ରିଲ ୯ ତାରିଖରୁ ଅତ୍ୟନ୍ତ ଶୁଭ ସମୟ ଚାଲିଛି । ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ଆଗରେ ସବୁ ଫିକା ପଡ଼ିବେ ବୋଲି ଜ୍ୟୋତିର୍ବିଦ ଗଣନା କରିଛନ୍ତି । କେବଳ ସେତିକି ନୁହେଁ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିକୁ ମିଳିବ ବଡ଼ ବିଜୟ । ସେହିପରି ଜାତୀୟ ରାଜନୀତିରେ ବିରୋଧୀ ଶକ୍ତିଶାଳୀ ହେଲେ ମଧ୍ୟ ଓଡ଼ିଶାର ଏହାର ଓଲଟାଫଳ ଦେଖିବାକୁ ମିଳିବ । ସାଧାରଣ ନିର୍ବାଚନରେ ନବୀନ ପୂର୍ବ ତୁଳନାରେ ଅଧିକ ଆସନ ଅକ୍ତିଆର କରିବେ ।

ଓଡ଼ିଆ ନବବର୍ଷ ରାଜ୍ୟ ପାଇଁ ସବୁ କ୍ଷେତ୍ରରୁ ଶୁଭଙ୍କର ରହିବ । ଖରାର ପ୍ରଭାବ କମିବା ସହ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବ । ୨୦୨୩ ବର୍ଷରେ ରାଜ୍ୟକୁ ବାତ୍ୟା କି ବନ୍ୟାର ବିପଦ ମଧ୍ୟ ନାହିଁ । କୃଷି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିବ । ଜାତୀୟ ସ୍ତରରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ସୁନାମ ଆଣିବ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ରାଜ୍ୟରେ ବଢ଼ି ଚାଲିଛି ବିଜେଡିର ଲୋକପ୍ରିୟତା । ଏପଟେ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି, ତ୍ୟାଗ ଓ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ସେବା ସାରା ଦେଶରେ ସାଜିଛି ଉଦାହରଣ । ଓଡ଼ିଆ ନବବର୍ଷ ଆହୁରି ଶୁଭଙ୍କର ହେବ ବୋଲି ଜ୍ୟୋତିର୍ବିଦ ଆକଳନ କରିଛନ୍ତି ।