ନିଶା ନିବାରଣ କେନ୍ଦ୍ରରେ ସୀମା ଟପୁଛି ନିର୍ଯାତନା, ସୁଧାର ଗୃହରେ ପୁଣି ଜଣେ ଅନ୍ତେବାସୀଙ୍କ ମୃତ୍ୟୁ

ଭୁବନେଶ୍ୱର: ନିଶା ଛଡ଼ାଇବା ନାଁରେ ନିର୍ଦ୍ଦୁମ ମାଡ଼ । ମଣିଷଙ୍କୁ ପଶୁଠୁ ହୀନ ବ୍ୟବହାର । ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର । ଏସଓପି, ଗାଇଡଲାଇନ ଓ ସିସିଟିଭିକୁ ନେଇ ଅନେକ ପ୍ରଶ୍ନ । ଲକ୍ଷ୍ମୀସାଗର ଅଞ୍ଚଳର ୨୩ ବର୍ଷୀୟ ଯୁବକ ବିକ୍ରମ ଲେଙ୍କା ଅତ୍ୟଧିକ ନିଶା ସେବନ କରିବାରୁ ମାସକ ତଳେ ଧଉଳି ଥାନା ଅଧିନ ସରଦେଇପୁରର ଶ୍ରଦ୍ଧା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଦିନକ ତଳେ ବାଥରୁମ ଭିତରେ ବେକରେ ଗାମୁଛା ଲାଗିଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା । କିନ୍ତୁ ଘଟଣା ଘଟିବାର ୧୨ ଘଣ୍ଟା ପରେ ଏ ସମ୍ପର୍କରେ ପରିବାରକୁ ଜଣାଯାଇଥିଲା । ଏପରିକି ଘଟଣା ଘଟିବା ସମୟରେ କିଛି ସମୟ ସିସିଟିଭି ଫୁଟେଜକୁ ମଧ୍ୟ ଡିଲିଟ କରାଯାଇଥିବା ଅଭିଯୋଗ ହୋଇଛି । ତେଣୁ ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସଂସ୍ଥା ମାଲିକଙ୍କୁ ଗିରଫ କରାଗଲେ ସବୁ ସତ ପଦାକୁ ଆସିବ ବୋଲି ଦାବି କରିଛନ୍ତି ଲକ୍ଷ୍ମୀସାଗର ଗ୍ରାମବାସୀ ।

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ୱେଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ । ଅନଭିଜ୍ଞ କର୍ମଚାରୀ, ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ ନାହିଁ । ମାସକ ତଳେ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶ୍ୱର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରାରେ ଥିବା ଦିଶା ଫାଉଣ୍ଡେସନରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।