ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ, ଅକ୍ଷୟ ତୃତୀୟା ସୁଦ୍ଧା ରଥଖଳା କାର୍ଯ୍ୟ ସାରିବାକୁ ଉଦ୍ୟମ

ପୁରୀ: ପାଖେଇ ଆସିଲାଣି ଘୋଷଯାତ୍ର । ପୁରୀରେ ଜମିବ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥଯାତ୍ରା ପୂର୍ବରୁ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିଶେଷ କାର୍ଯ୍ୟ । ତେଣୁ ଜୋରସୋରରେ କାମରେ ଲାଗିପଡ଼ିଛନ୍ତି ବିଭାଗୀୟ ଅଧିକାରୀ । ଶ୍ରୀଜଗନ୍ନାଥ ଧାମର ବିକାଶ ତଥା ଆଗାମୀ ହଜାର ହଜାର ବର୍ଷ ପାଇଁ ଏହି ଉନ୍ନତି ମୂଳକ କାର୍ଯ୍ୟ ସଭିଏଁ ମନେ ରଖିବେ । ତେଣୁ ଶ୍ରୀକ୍ଷେତ୍ରର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ରହିଥିବା କହିଛନ୍ତି ପ୍ରଶାସନିକ ଅଧିକାରୀ । ତେବେ ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟ ରହିଥିବାରୁ ଏହା ପୂର୍ବରୁ ବଡ଼ଦାଣ୍ଡ ରଥଖଳାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀକ୍ଷେତ୍ରରେ ଚାଲୁଥିବା ବିକାଶମୂଳକ ପଦକ୍ଷେପ ମଧ୍ୟରୁ ଶ୍ରୀମନ୍ଦିର ଐତିହ୍ୟ କରିଡର ହେଉଛି ସର୍ବ ବୃହତ । ଏହି ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ସାରିବାକୁ ପରିଚାଳନା ବୈଠକରେ ମତ ପ୍ରକାଶ ପାଇଛି । ତେଣୁ ଯାତ୍ରା ପୂର୍ବରୁ ଶେଷ କରିବାକୁ ପ୍ରଶାନିକସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସରକାରୀ ସ୍ତରରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଯାହାକୁ ପ୍ରଶଂସା କରିଛନ୍ତି ସାଧାରଣ ଜନତା ଓ ବୁଦ୍ଧିଜୀବୀ । ପ୍ରକଳ୍ପ ନିର୍ମାଣ ଘୋଷଯାତ୍ରା ପୂର୍ବରୁ ଶେଷ କରିବା ନେଇ ଟାର୍ଗେଟ ରହିଥିବା ବେଳେ କୋଟି କୋଟି ଭକ୍ତ ଏହାର ସୁବିଧା ଉଠାଇବା ସହ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ କରିବାକୁ ସବୁ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ ।