ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି । ଗରିବ ଲୋକମାନେ ଯେପରି ପ୍ରିୟଜନଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।

ଏହି ଯୋଜନାରେ ଅନ୍ତ୍ୟେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା । ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି । ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ୍ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ପ୍ରସ୍ତୁତ କରାଯାଇଛି ।