ଭୁବନେଶ୍ୱର: ଯାତ୍ରା ସାରି ଫେରିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ୫ ଦିନ ରଥଯାତ୍ରା ପରେ ମନ୍ଦିର ଫେରିଛନ୍ତି ବାବା । ଦୁଇଦିନର ବାହୁଡା ଯାତ୍ରା ପରେ ରଥଦାଣ୍ଡରେ ଲାଗିଛି ରୁକୁଣା ରଥ । ଆଜି ସ୍ବର୍ଣ୍ଣାଦି ବିଜେ କରିବେ ଶ୍ରୀଲିଙ୍ଗରାଜ । ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିଲା ବାବାଙ୍କ ରଥଯାତ୍ରା । ରଥର ଚଢ଼ି ରାମେଶ୍ବର ମନ୍ଦିରକୁ ଯାଇଥିଲେ ଲିଙ୍ଗରାଜ । ତେବେ ସୋମବାର ୬ ଦିନ ହୋଇଥିବାରୁ ମନ୍ଦିରକୁ ଯାଇ ନଥିଲେ ବାବା । ତେଣୁ ଆଜି ସ୍ବର୍ଣାଦି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ପ୍ରବେଶ ପରେ ପାରମ୍ପରିକ ନୀତିକାନ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବାବା ।
ବଦଳିଲା ଟ୍ୱିଟର ଲୋଗୋ, ନୀଳ ପକ୍ଷୀ ସ୍ଥାନରେ ଆସିଲା ଡଗି
ଓ୍ୱାଶିଂଟନ: ବଦଳିଲା ଟ୍ୱିଟର ଲୋଗୋ । ଟ୍ୱିଟରରୁ ନୀଳ ପକ୍ଷୀ ଗାୟବ । ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଛନ୍ତି ଏଲନ ମସ୍କ । ବ୍ଲୁ ଟିକ୍ ବଦଳରେ ଆସିଲା ୟେଲୋ ଟିକ୍ । ସୋମବାର ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି । ଏନେଇ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି ମସ୍କ । ଗୋଟିଏରେ କାରରେ ଡଗି ଡ୍ରାଇଭର ସିଟରେ ବସିଛି । ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି । ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ ।
ଏମିତି ଆଉ ଏକ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ । ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ । ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲକୁ ବାହାର କରିଦେଇଥିଲେ ମସ୍କ । ଅନେକ କର୍ମଚାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରିଥିଲେ । ଭାରତରେ ଟ୍ୱିଟର ପାଇଁ କାମ କରୁଥିବା ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ଦିଲ୍ଲୀ ଓ ମୁମ୍ବାଇରେ ଅଫିସ ବନ୍ଦ କରିଥିଲା ଟ୍ୱିଟର । କେବଳ ବେଙ୍ଗାଲୁରୁରେ ଚାଲିଛି ଟ୍ୱିଟର ଅଫିସ ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା, ୮ରୁ ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର: ମଧ୍ୟାହ୍ନରେ ତାତି, ଅପରାହ୍ନରେ ବର୍ଷା । ବାୟୁ ଚଳାଚଳ ଜନିତ ଅନିୟମିତତାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୮ ତାରିଖରେ ବର୍ଷାର ପରିମାଣ ସହ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
ଚନ୍ଦ୍ର ଅଭିଯାନରେ ଲେଖାହେବ ନୂଆ ଇତିହାସ, ପ୍ରଥମ ଥର ଲାଗି ଜହ୍ନରେ ପାଦ ଦେବେ ଜଣେ ମହିଳା
ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନ ଇତିହାସରେ ନୂଆ ଅଧ୍ୟାୟ । ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା । ଆଷ୍ଟ୍ରୋନଟ କ୍ରିଷ୍ଟିନା ହାମୋକ କୋଚଙ୍କ ନାମ ଘୋଷଣା କରିଛି ନାସା । ଆସନ୍ତା ବର୍ଷ ଆର୍ଟେମିସ-୨ ମିସନରେ କ୍ରିଷ୍ଟିନା ସାମିଲ ହେବେ ବୋଲି ନାସା କହିଛି । ଓରିଅନ ସ୍ପେସକ୍ରାଫ୍ଟ ଜରିଆରେ ଚନ୍ଦ୍ର ଅଭିଯାନରେ ସାମିଲ ହେବେ କ୍ରିଷ୍ଟିନାଙ୍କ ସମେତ ୪ ମହାକାଶଚାରୀ । ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀମାନେ ଚନ୍ଦ୍ରକୁ ଯାଇଛନ୍ତି ।
କ୍ରିଷ୍ଟିନାଙ୍କ ସହ ଅନ୍ୟ ଯେଉଁ ୩ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ- ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଓ ରେଡ୍ ଓ୍ବାଇଜମ୍ୟାନ । ସେମାନେ ୧୦ ଦିନ ଲାଗି ଚନ୍ଦ୍ର ପୃଷ୍ଠକୁ ଯିବେ । ୨୦୧୩ରେ ଆମେରିକା ମିଚିଗାଁର କ୍ରିଷ୍ଟିନା ନାସାରେ ଯୋଗ ଦେଇଥିଲେ । ଶେଷ ଥର ଲାଗି ୧୯୭୨ରେ ଆପୋଲୋ ୧୭ରେ କମାଣ୍ଡର ଇୟୁଜିନ ସେରାନାନ ଚନ୍ଦ୍ରକୁ ଯାଇଥିଲେ ।
ବଢ଼ିବ ନାଟୋର ବଳ, ୩୧ତମ ସଦସ୍ୟ ରାଷ୍ଟ୍ର ଭାବେ ଆଜି ସାମିଲ ହେବ ଫିନଲାଣ୍ଡ
ନୂଆଦିଲ୍ଲୀ: ନାଟୋ ଲାଗି ଆଜି ଗୁରୁତ୍ବପୂର୍ଣ୍ଣ ଦିବସ । ୩୧ ତମ ସଦସ୍ୟ ଭାବେ ନାଟୋରେ ସାମିଲ ହେବ ଫିନଲ୍ୟାଣ୍ଡ । ଏନେଇ ଘୋଷଣା କରିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ଆସନ୍ତା ମାସରେ ନାଟୋରେ ସ୍ୱିଡେନ ମିଶିବ ବୋଲି ସୂଚନା ମିଳିଛି । ଷ୍ଟଲଟନବର୍ଗ କହିଛନ୍ତି- ଫିନଲାଣ୍ଡ ନାଟୋର ଏକ ପୂର୍ଣ୍ଣକାଳୀନ ସଦସ୍ୟ ହେବାକୁ ଯାଉଛି । ଫିନଲାଣ୍ଡର ସଦସ୍ୟତା ନିଷ୍ପତ୍ତିକୁ ତୁର୍କୀ ମଞ୍ଜୁର କରିବା ପରେ ନାଟୋର ସଦସ୍ୟ ସଂଖ୍ୟା ୩୧କୁ ବଢିବ । ଆୟୋଜନ ହେବାକୁ ଉତ୍ସବରେ ସାମିଲ ହେବେ ଫିନଲାଣ୍ଡ ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଖୁବ୍ ଶୀଘ୍ର ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବ ଋଷ । ଏନେଇ ସ୍ପଷ୍ଟ କରିଛନ୍ତି ବେଲାଋଷ ଲାଗି ନିଯୁକ୍ତ ଋଷର ରାଷ୍ଟ୍ରଦୂତ ବୋରିସ ଗ୍ରିଜଲୋଭ । ନାଟୋର ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ, ଲିଥୁଆନିଆ ଓ ଲାଟଭିଆ ସୀମାକୁ ଲାଗି ଅବସ୍ଥିତ ବେଲାଋଷରେ ଯଦି ଆଣବିକ ଅସ୍ତ୍ର ମୁତୟନ କରାଯାଏ ତେବେ ସମଗ୍ର ନାଟୋ ଲାଗି ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି । ଏହି ୩ ନାଟୋ ସଦସ୍ୟ ରାଷ୍ଟ୍ର ସହ ବେଲାଋଷର ସୀମା ପ୍ରାୟ ୧୨୫୦ କିଲୋମିଟର ଯାଏ ଲମ୍ବିଛି ।
କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ- ବେଲାଋଷରେ ଋଷ ପକ୍ଷରୁ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ କରାଯିବା ଲାଗି ବ୍ୟବସ୍ଥା ଜୁଲାଇ ୧ ସୁଦ୍ଧା ଶେଷ ହେବ । ଏହା ସହ ଆଣବିକ ଅସ୍ତ୍ର ପରିବହନ କରିବାକୁ ବେଲାଋଷର ଯୁଦ୍ଧ ବିମାନଗୁଡ଼ିକର ଆଧୁନିକୀକରଣ କରାଯିବ ବୋଲି ସେ କହିଥିଲେ । ଯଦି ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରାଯାଏ ତେବେ ୟୁକ୍ରେନ, ପୂର୍ବ ୟୁରୋପ ଓ କେନ୍ଦ୍ରୀୟ ୟୁରୋପର ନାଟୋ ରାଷ୍ଟ୍ରଗୁଡ଼ିକ ଲାଗି ବିପଦ ସୃଷ୍ଟି ହେବ । ତେଣେ ଯୁଦ୍ଧ ଆରମ୍ଭ ପରଠାରୁ ଋଷ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର ୨୬୨ ଆଥଲେଟ ପ୍ରାଣ ହରାଇବା ସହ ୩୬୩ଟି ସ୍ପୋର୍ଟସ୍ ଫାସିଲିଟି ଧ୍ବଂସ ହେଲାଣି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ଆଜି ଟୋକିଓରେ ଓଡ଼ିଶା ବିଜନେସ୍ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ
ଟୋକିଓ: ସୂର୍ଯ୍ୟୋଦୟର ଦେଶରେ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ । ଜାପାନ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ଓଡ଼ିଶା ବିଜିନେସ ମିଟକୁ କରିବେ ସମ୍ବୋଧନ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ କରିବେ ନିମନ୍ତ୍ରଣ । ସେହିପରି ଆସନ୍ତା ୧୦ ତାରିଖ ଯାଏ ଶିଳ୍ପପତିଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିବେ । ଜାପାନରୁ କିପରି ଅଧିକ ପୁଞ୍ଜି ଆସିବ ତାହା ହେବ ନବୀନଙ୍କ ଫୋକସ । ଟେକ୍ନୋଲୋଜି, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ, ପେଟ୍ରୋ କେମିକାଲ, ପର୍ଯ୍ୟଟନଭିତ୍ତିକ ଶିଳ୍ପରେ ନିବେଶକାରୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିବେ । ଏଥିଲାଗି ଜାପାନର ୩ଟି ସହର ଟୋକିଓ, କ୍ବିଟୋ, ଏବଂ ଓସାକାରେ ଆୟୋଜିତ ବିଜିନେସ ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।
ଏହାପରେ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ସହ ରୋଡ୍ ସୋ ମାଧ୍ୟମରେ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବେ । ପୂର୍ବରୁ ରୋମ୍, ଦୁବାଇ ସହ ଦେଶର ସବୁ ରାଜ୍ୟର ରାଜଧାନୀରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ନିମନ୍ତ୍ରଣ କରି ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବାରେ ସଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଦୁବାଇରୁ ୨୧ ହଜାର କୋଟି ଟଙ୍କା ପୁଞ୍ଜି ଆସିଛି । ନବୀନଙ୍କ ଦୃଢ଼ ନେତୃତ୍ବ, ସ୍ଥିର ସରକାର, ପ୍ଲସ ଓ୍ବାନ୍ ସୁବିଧା ଓ ଓଡ଼ିଶା ଶିଳ୍ପ ହବ୍ ହୋଇଥିବାରୁ ନିବେଶକାରୀଙ୍କ ପ୍ରଥମ ପସନ୍ଦ ଏବେ ଓଡ଼ିଶା ସାଜିଛି । ଗତକାଲି ସିଙ୍ଗାପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୂଚନା ଦେବା ସହ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଥିଲେ 5T ସଚିବ ଭିକେ ପାଣ୍ଡିଆନ ।
ଭୁବନେଶ୍ବରରୁ ସିଙ୍ଗାପୁର ଦେଇ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରୁ ସିଙ୍ଗାପୁର ଦେଇ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ମଧ୍ୟ ଜାପାନ ଗସ୍ତରେ ଅଛନ୍ତି । ସିଙ୍ଗାପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ ନେଇ ସୂଚନା ଦେଇଛନ୍ତି । ଆଉ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ । ଜାପାନ ଗସ୍ତରୁ ଓଡିଶାକୁ ପାୟ ୫ ବିଲିୟନ ପୁଂଜିନିବେଶର ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ବିଶେଷ କରି ଆଇଟି ଓ କ୍ରୀଡା କ୍ଷେତ୍ରରେ ଅଧିକ ପୁଂଜିନିବେଶ ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ଭୁବନେଶ୍ବରରୁ ସିଙ୍ଗାପୁରକୁ ଖୁବଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ ହେବ । ମେ ଶେଷ ସପ୍ତାହରେ ଭୁବନେଶ୍ବରରୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ଇନଷ୍ଟାଗ୍ରାମରେ ଫାଇଭ-ଟି ସଚିବ ସୂଚନା ଦେଇଛନ୍ତି । ଏହାଦ୍ବାରା ସିଙ୍ଗାପୁର ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇପାରିବ । ସେହିଭଳି ଦକ୍ଷତା ବିକାଶ ନେଇ ରାଜ୍ୟ ସରକାର ଆଇଟିଇଏସ ସହ ଚୁକ୍ତି କରିଛନ୍ତି । ଯେଉଁଥିରେ ଓଡିଶାର ଛାତ୍ରଛାତ୍ରମାନେ ସିଙ୍ଗାପୁରରେ ଦକ୍ଷତା ତାଲିମ ନେଉଛନ୍ତି ।
ଭୁବନେଶ୍ୱରରେ ବାଣ ବିସ୍ଫୋରଣ, ଜଣେ ମୃତ
ଭୁବନେଶ୍ୱର: ଘରେ ଚାଲିଥିଲା ବାଣ ଭିଡା । ଦୁର୍ଘଟଣା ବଶତଃ ହାତରେ ଫୁଟିଗଲା । ଭୁବନେଶ୍ଵର ସହିଦନଗର ଥାନା ଭିଏସଏସ୍ ନଗର ଜିଏଲ କଲୋନୀ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଠାରେ ରହୁଥିବା ଶିବାନନ୍ଦ ତାଡ ଘରେ ବାଣ ପ୍ରସ୍ତୁତ କରୁଥିବା ବେଳେ ହାତରେ ଫୁଟି ଯାଇଥିଲା । ବାଣ ବିସ୍ଫୋରଣରେ ଘରର ଅଜେବେଷ୍ଟସ ଉଡ଼ିଯାଇଛି । ଶିବାନନ୍ଦଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେପଟେ ଅଘଟଣ ଘଟିଥିବା ସ୍ଥାନକୁ ଭୁବନେଶ୍ୱର ମେୟର ଏବଂ ବିଧାୟକ ଯାଇ ସ୍ଥିତି ପରଖି ଦେଖିଛନ୍ତି । କେମିତି ହେଲା ବିସ୍ଫୋରଣ ? ବାଣ ଭିଡୁଥିବା ଯୁବକଙ୍କ କୌଣସି ଅପାରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଛି କି ? ଏ ସମସ୍ତ ଦିଗକୁ ନେଇ ଘଟଣାସ୍ଥଳରେ ଛାନବିନ୍ କରୁଛି କମିଶନରେଟ ପୋଲିସ । ସେପଟେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ବର ମେୟର ।
ଏମ୍ସରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ରାଜ୍ୟର ପାରମ୍ପରିକ ତଥା ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ। ଛାତ୍ରଛାତ୍ରୀ ତଥା ଏଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ମହତ ଉଦ୍ଦେଶ୍ୟନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ପବିତ୍ର ଉତ୍କଳ ଦିବସ ଏବଂ ଜି -୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଥିଲେ। ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ। ଏହି ଅବସରରେ ଚିକିତ୍ସାଧୀନ ରୋଗୀ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ଖାଦ୍ୟରେ ମାଣ୍ଡିଆ(ମିଲେଟ୍ସ)କୁ ପାଇ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା।
ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଥିଲେ ଯେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ଏକ ଆନନ୍ଦର ବିଷୟ। ଏକାଧିକ ଭିଟାମିନ୍ ଏବଂ ମିନେରାଲ୍ସରେ ପରିପୂର୍ଣ୍ଣ ମାଣ୍ଡିଆ ଖାଇବା ଦ୍ବାରା ରୋଗୀମାନେ ଶୀଘ୍ର ଆରୋଗ୍ୟ ହୋଇପାରିବା ନେଇ ଆଶାବ୍ୟକ୍ତ କରିଥିଲେ ଡ. ବିଶ୍ବାସ। ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ସର୍ବୋତ୍ତମ ସେବା, ଯତ୍ନ ପ୍ରଦାନ କରିବାର ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ବରୂପ ଏମ୍ସ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ସେହିଭଳି ଛାତ୍ରଛାତ୍ରୀମାନେ ଏହି ପାରମ୍ପରିକ ତଥା ଆମ ମାଟିର ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ, ଯାହା ସେମାନଙ୍କର ସାମଗ୍ରୀକ ସ୍ବାସ୍ଥ୍ୟର ଯତ୍ନ ନେବାରେ ବେଶ୍ ସହାୟକ ହେବ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଥିଲେ।
ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରୁ ପ୍ରେରିତ ହୋଇ ଏମ୍ସ ଭୁବନେଶ୍ୱର ଏହି ମାସରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି ଅଭିଯାନର ଏକ ଅଂଶ ଭାବରେ, ଏମ୍ସ ଭୁବନେଶ୍ୱରରେ ଉତ୍କଳ ଦିବସ ଉପଲକ୍ଷେ ଛାତ୍ର ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରାଯାଇଥିବା ଅନୁଷ୍ଠାନର କୁଳସଚିବ ବି ବି ମିଶ୍ର ସୂଚନା ପ୍ରଦାନ କରିଥିଲେ।
ତମାଣ୍ଡିଆ ସେବନର ଉପକାରିତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଏମ୍ସ ଓପିଡିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଜେନାଙ୍କ ଦ୍ୱାରା ଲିଖିତ “ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ମାଣ୍ଡିଆର ପ୍ରଭାବ”ଶୀର୍ଷକ ଏକ ପୁସ୍ତକକୁ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସେହିପରି ଏମ୍ସର ଡାଏଟିସିଆନ୍ ସୌମ୍ୟା ସୁଚରିତା ପୃଷ୍ଟି ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ୍ କରିବାର ଉପକାରିତା ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଡିନ୍ (ଏକାଡେମିକ୍) ଡ. ପି ଆର୍ ମହାପାତ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ ଜେନା, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏବଂ ଛାତ୍ର ପ୍ରତିନିଧି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱରର ଏପରି ପଦକ୍ଷେପ ସମାଜରେ ମାଣ୍ଡିଆର ବ୍ୟବହାରକୁ ଆହୁରି ଅଧିକ କରିବ ବୋଲି ବିଶ୍ବାସ ରହିଛି। ଆମ ମାଟିର ଏହି ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟର ଦୈନିକ ଉପଯୋଗ ଆମକୁ ନିରୋଗ ରଖିବା ସହିତ ମାନସିକ ଭାବେ ଆମକୁ ଦୃଢ଼ କରିବା ନେଇ ଭରସା ଥିବା ପ୍ରକାଶ।
ଡେଲିଭରୀ ବୟ’ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ Delivery Boy ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ।
ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଛି ।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ । ସୁଚନାଯୋଗ୍ୟଯେ, ନିକଟରେ ରାଜ୍ୟ ସରକାର ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରେ ମଧ୍ୟ ପ୍ରମୋଦକର ଛାଡ କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

