ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷୀଙ୍କ ପାଇଁ ଚାଷ ଅନୁକୂଳର ମହାପର୍ବ । ଆଜି କୃଷି ଦିବସ ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଥିଲେ। ଏହାପରେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟଶସ୍ୟର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ଟି ମିଲେଟ୍ outlet ଖୋଲାଯାଇ ସାରିଲାଣି। କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି ନବୀନ । ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control systi ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ରସ୍ତରରୁ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଜ୍ୟ ସରକାରଙ୍କ ଫାଇଭ-ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ ଏକ creche ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଜଘାଟନ କରିଛନ୍ତି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।