spot_img
Home Blog Page 3440

ଟୁଇଟର ପରେ ଫେସବୁକ ବିକ୍ରି କରିବ ବ୍ଲୁ-ଟିକ୍

ନନ୍ଦିଘୋଷ ବ୍ୟୁରୋ: ଟୁଇଟର ପରେ ଫେସବୁକ ବିକ୍ରି କରିବ ବ୍ଲୁ-ଟିକ । ଟଙ୍କା ଦେଇ ଆକାଣ୍ଟ ଭେରିଫାଏ କରିବା ସହ ବ୍ଲୁ ଟିକ୍ ପାଇପାରିବେ ୟୁଜର୍ସ । ଚଳିତ ସପ୍ତାହରୁ ଏହି ସେବା ଆରମ୍ଭ ହେବ ବୋଲି ଫେସବୁକ ଓ ଇନଷ୍ଟାରେ ପୋଷ୍ଟ କରି ସୂଚନା ଦେଇଛନ୍ତିଫେସବୁକ ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ । କୌଣସି ବୈଧ ପରିଚୟ ପତ୍ର ବିନା ୟୁଜର୍ସ ଆକାଉଣ୍ଟ ଭେରିଫାଏ କରିପାରିବେ ନାହିଁ ।

ଓ୍ବେବ ୟୁଜର୍ସଙ୍କୁ ମାସିକ ୧୧.୯୯ ଡଲାର ଅର୍ଥାତ ପ୍ରାୟ ୧ହଜାର ଟଙ୍କା ଓ ଆଇଫୋନ ୟୁଜର୍ସଙ୍କୁ ୧୪.୯୯ ଅର୍ଥାତ ପ୍ରାୟ ୧୨ଶହ ଟଙ୍କା ମାସିକ ଦେବାକୁ ହେବ । ଏହି ସର୍ଭିସ ଲାଗୁ ହେବା ଦ୍ବାରା ଫେକ୍ ଆକାଉଣ୍ଟ ସମସ୍ୟା ରହିବ ନାହିଁ । ଏହାସହ ୟୁଜର୍ସ ସିଧାସଳଖ କଷ୍ଟମର ସପୋର୍ଟଙ୍କ ସହ ସମ୍ପର୍କ କରିପାରିବେ । ପ୍ରଥମେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ଏହି ସେବା ଆରମ୍ଭ ହେବ । ପରେ ଅନ୍ୟ ଦେଶରେ ଏହାକୁ ଆରମ୍ଭ କରାଯିବ ବୋଲି ଜୁକରବର୍ଗ କହିଛନ୍ତି । ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ପାଇଁ ବ୍ଲୁ ଟିକ୍ ସେବା ଆରମ୍ଭ କରିବ ପ୍ୟାରେଣ୍ଟ କମ୍ପାନୀ ମେଟା ।

ଜାତୀୟ କିକ୍ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡିଶାକୁ ୬ ପଦକ

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ 15 ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ । ଏହି ପ୍ରତିଯୋଗିତାରେ ଓଡିଶାକୁ 6 ଟି ପଦକ ମିଳିଛି । ତେବେ ପଦକ ନେଇ ଓଡିଶା ଫେରିବା ପରେ ସଫଳ ପ୍ରତିଯୋଗୀଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠିତ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡିଶାରୁ 6 ଜଣ ଅଂଶଗ୍ରହଣ କରିଥିଲେ ।

ଏମାନଙ୍କ ମଧରୁ ସ୍ନେହଲ କୁମାର ଜେନା କିକ ଲାଇଟ କ୍ୟାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶୁଭ୍ରମ ପାଣି ଲୋ-କିକ କ୍ୟାଟେଗୋରୀରେ ସିଲଭର ମେଡାଲ ପାଇଛନ୍ତି । ସେହିପରି ଅନିତା ଏକ୍କା କିକ ଲାଇଟ କ୍ୟାଟେଗୋରୀରେ ସ୍ବର୍ଣ୍ଣ, ସନ୍ୟାସୀ ମୁଥମାଝିଙ୍କୁ କିକ ଲାଇଟ କ୍ୟାଟେଗୋରୀରେ ସିଲଭର, ଏସ ପ୍ରଧାନଙ୍କୁ ପଏଣ୍ଟ ଫାଇଟ କ୍ୟାଟେଗୋରୀରେ ସିଲଭର ଏବଂ ଯସ୍ମିନ ସିଂଙ୍କୁ କିକ ଲାଇଟରେ ସିଲଭର ମେଡାଲ ମିଳିଛି ।

ସିରିୟା ରାଜଧାନୀ ଦମାସକସ୍‌ରେ ଇସ୍ରାଏଲର ମିସାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁଣି ସିରିଆରେ ମିସାଇଲ ମାଡ଼ । ସିରିୟା ରାଜଧାନୀ ଦମାସକସ୍‌ରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ମିସାଇଲ ମାଡ଼ରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ସିରିଆ ଉପରେ ମିସାଇଲ ଆଟାକ୍ ହୋଇଥିଲା । ଯେଉଁଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇଛି । ବାୟୁସେନାର ଏକ ଲଢ଼ୁଆ ବିମାନ କ୍ଷେପଣାସ୍ତ୍ର ମାଡ଼ କରିଛି । ଅନେକ ବିଲ୍ଡିଂ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । ଗତ ଶୁକ୍ରବାର ସିରିୟା ଉପରେ ଆଉ ଏକ ଆକ୍ରମଣ ହୋଇଥିଲା। ଏଥିରେ ୫୩ ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଓ ୭ ଜଣ ସେନା ଯବାନ ଥିଲେ । ଏହି ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍ ନିଜକୁ ଦାୟୀ କରିଥିଲା ।

ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ଝୁଲିପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ

ଗଜପତି: ହଷ୍ଟେଲରେ ଝୁଲିପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ । ଘଟଣା ଘଟିଛି ଗଜପତି ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟରେ । ମୃତ ଛାତ୍ରୀ କାଶୀନଗର ବ୍ଲକ ଅଲଡ଼ା ଗାଁର ସୌଦାମିନୀ ରଇତ । ବେକରେ ଚାଦର ଲଗାଇ ନିଜ ରୁମ ପାଖରେ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଆତ୍ମହତ୍ୟା କରିଥିବା ସ୍ଥାନରୁ କିଛି ସହପାଠୀ ଓ ହଷ୍ଟେଲ ୱାର୍ଡେନ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ସକାଳ ୫ଟାରେ ସ୍କୁଲ କର୍ତ୍ତୃପକ୍ଷ ମୃତ ଝିଅର ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ । ଝିଅକୁ ହତ୍ୟା କରାଯାଇଥିବା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାରଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ ଓ ମାଓବାଦୀ ଗୁଳିବିନିମୟ, ୨ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ମାଓବାଦୀଙ୍କ ଆମ୍ବୁସରେ ଫସିଲେ ଯବାନ । ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ବେଳେ ଦୁଇ ଯବାନ ସହିଦ । କିଛି ମାଓବାଦୀ ମଧ୍ୟ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଛତିଶଗଡ଼ ଏବଂ ମହାରାଷ୍ଟ୍ର ସୀମାନ୍ତ ବରତାଲାବ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ସହିଦ ହୋଇଛନ୍ତି ।

ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର  କରାଯାଇଛି। ଡ୍ୟୁଟିକୁ ବାଇକ ଯୋଗେ ଆସୁଥିବା ବେଳେ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ । ଦୁଇ ଯବାନ ବାଇକରୁ ଓହ୍ଲାଇ ପାଲଟା ଗୁଳି ଚଳାଇଥିଲେ । 50ରୁ ଅଧିକ ମାଓବାଦୀ ଚକ୍ରବ୍ୟୂହ ରଚି ଯବାନଙ୍କୁ ଫସାଇ ଦେଇଥିଲେ । ତଥାପି ଦୁଇ ଯବାନ ନିଜ ଜୀବନକୁ ଖାତିର ନକରି ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ । କିଛି ମାଓବାଦୀ ମୃତାହତ ହୋଇଥିବା ପୋଲିସ ଅନୁମାନ କରୁଛି । ନକ୍ସଲ ଅପରେସନ DSP ଅଜିତ ଅଗରେ ଏହି ସୂଚନା ଦେଇଛନ୍ତି ।

ବାଲି ଖାଦାନରେ ଶ୍ରମିକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଅଫିସ

କେନ୍ଦ୍ରାପଡ଼ା:  ବସପୁରରେ ଲଙ୍କାକାଣ୍ଡ । ବାଲି ଖାଦାନରେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକ ବାଲି ଖାଦାନ ଅଫିସ ଜାଳି ଦେଇଛନ୍ତି । ଟାୟାର ଜାଳି କରିଲୋପାଟଣା- କେନ୍ଦ୍ରାପଡ଼ା ରାସ୍ତା ଅବରୋଧ କରାଯାଇଛି । ବସପୁର ବାଲି ଖାଦାନରେ ଲକ୍ଷ୍ମଣ ମଲ୍ଲିକ ନାମକ ଶ୍ରମିକଙ୍କ ଉପରେ ଏକ ହାଇୱା ମାଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ ।

ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିବା ସହ ଖାଦନ ଅଫିସ ଜାଳିଦେଇଛନ୍ତି । ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବାଲି ଖାଦନ ବନ୍ଦ କରିବା ଲାଗି ସାଧାରଣରେ ହେଉଛି ।

ବିଧାନସଭା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ଡିଜିଙ୍କ ସହ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ମଧ୍ୟ ସୁରକ୍ଷଶର ଅନୁଧ୍ୟାନ କରିଛନ୍ତି ।

ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବ । ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ଡିସିପିଙ୍କ ନେତୃତ୍ୱରେ ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ ।

ବାହା ହେବେ OYO ପ୍ରତିଷ୍ଠାତା ରିତେଶ, ପ୍ରଧାନମନ୍ତ୍ରୀଙ୍କୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ  ।  ମା ଓ ବିବାହ କରିବାକୁ ଯାଉଥିବା ବାନ୍ଧବୀଙ୍କୁ  ସାଥିରେ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ବାହାଘର କାର୍ଡ ଦେଇଛନ୍ତି ଓୟୋ  ସିଇଓ ରିତେଶ ଅଗ୍ରୱାଲ । ଆସନ୍ତାମାସରେ ରିତେଶ ଅଗ୍ରୱାଲ ବାହା ହେଉଥିବା ବେଳେ ତାଙ୍କ ଭାବିପତ୍ନୀ ଓ ମା’ଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କାର୍ଡ ଦେଇଥିବା ନେଇ ନିଜେ ରିତେଶ ଅଗ୍ରୱାଲ ଟ୍ୱିଟରରେ ଫଟୋ ସେୟାର କରିଥିଲେ  । ପିଏମ ମୋଦିଙ୍କ ସହ ସାକ୍ଷାତ ବେଶ ଉତ୍ସାହଜନକ ବୋଲି ଲେଖିଛନ୍ତି ରିତେଶ । ରିତେଶ ଅଗ୍ରୱାଲ ହେଉଛନ୍ତି ଓଡ଼ିଶା ରାୟଗଡ଼ାରେ ଜନ୍ମିତ, ଦେଶର ପ୍ରତିଷ୍ଠିତ ବ୍ୟବସାୟୀ । ହୋଟେଲ ଚେନ୍ ଓୟୋ ପ୍ରତିଷ୍ଠା କରି ଭାରତରେ ହୋଟେଲ ଶିଳ୍ପକୁ ଏକ ନୂଆ ଦିଗ ଦେଇଛନ୍ତି ରିତେଶ ଅଗ୍ରୱାଲ ।

ସାକ୍ଷାତ ପରେ ପର୍ଯ୍ୟଟନ ଉଦ୍ୟାଗ ବିକାଶ ପାଇଁ କ୍ରମାଗତ ଭାବେ କାମ କରି ଆସୁଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ବିଶେଷ କରି ରାୟଗଡ଼ା, ଗୀର, ଲଦାଖ୍, ରାମେଶ୍ୱରମ୍ ଏବଂ ମେଘାଳୟ ପର୍ଯ୍ୟଟନ ଶିଳ୍ପରେ ବଡ଼ ସୁଯୋଗ ଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୂଆ ଜୀବନ ପାଇଁ ଶୁଭକାମନା ଜଣାଥିବା ଟୁଇଟରରେ ଲେଖିଛନ୍ତି ରିତେଶ ଅଗ୍ରୱାଲ  ।

ସରିଲା ଅନନ୍ୟା-ଚଞ୍ଚଲଙ୍କ ନିର୍ବନ୍ଧ, ବିବାହ କରିବେ ଦୁଇ IAS

ନନ୍ଦିଘୋଷ ବ୍ୟୁରୋ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଦୁଇ IAS  । ସରିଛି ନିର୍ବନ୍ଧ, ୩ ମାସ ଭିତରେ ବିବାହ କରିବେ ।   ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ  ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ମଧ୍ୟରେ ହେବ ବିବାହ । ଉଭୟେ ଦିତ୍ୱୀୟ ବିବାହ କରିବାକୁ ଯାଉଛନ୍ତି  । ପୂର୍ବରୁ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ୍ଲ ଅଖତରଙ୍କ ସହ ବିବାହ କରିଥିଲେ  । ସେହିପରି ଚଞ୍ଚଲ ସରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହଙ୍କ ସହ ବିବାହ କରିଥିଲେ  ।

ଉଭୟ ଯୋଡିରେ ଦେଖାଯାଇଥିଲା ଫାଟ  । ଉଭୟଙ୍କ ବିବାହ ବିଛେଦ ଘଟିବା ପରେ ଅନନ୍ୟା ଓ ଚଞ୍ଚଲ ହାତ ଧରିବାକୁ ଯାଉଛନ୍ତି  ।  ଗତକାଲି ଦୁଇ ଆଇଏଏସଙ୍କର ନିରାଡ଼ମ୍ବର ଭାବେ ନିର୍ବନ୍ଧ ସମ୍ପନ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନରେ ନିର୍ବନ୍ଧ କାର୍ଯ୍ୟ ସମାପନ ହୋଇଛି l ଉଭୟ ପକ୍ଷର ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ନିର୍ବନ୍ଧ କାର୍ଯ୍ୟରେ ସାମିଲ ହୋଇଥିଲେ ।

ନିୟନ୍ତ୍ରଣରେ ନାହିଁ ପାକିସ୍ତାନର ଆର୍ଥିକ ସ୍ଥିତି

ଇସଲମାବାଦ: ଦେବାଳିଆ ହୋଇସାରିଲାଣି ପାକିସ୍ତାନ । ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଆଉ କାହା ନିୟନ୍ତ୍ରଣରେ ନାହିଁ । ବନ୍ଦ ହୋଇଗଲାଣି ପାକିସ୍ତାନର ବିଭିନ୍ନ ଫାକ୍ଟ୍ରି । ଦରମା ମିଳୁନଥିବାରୁ କାମକୁ ଯାଉନାହାନ୍ତି କର୍ମଚାରୀ । ଏଥିପାଇଁ ସରକାର, ଅମଲା ଓ ରାଜନେତାମାନେ ଦାୟୀ ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ କହିଛନ୍ତି । ପାକିସ୍ତାନ ସମସ୍ୟାର ସମାଧାନ ଆଇଏମଏଫ ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରେ ନାହିଁ ବୋଲି ସେ କହିଛନ୍ତି ।

ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ ଟଙ୍କା । ମୁଦ୍ରାସ୍ପୀତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି । ୧ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୨୬୩ ପାକିସ୍ତାନୀ ଟଙ୍କା ରହିଛି । ଏସବୁ ଭିତରେ ନିଜର ଭାବମୂର୍ତ୍ତି ରକ୍ଷା ପାଇଁ ତୁର୍କୀ ଭୂକମ୍ପ ବିପନ୍ନଙ୍କ ଲାଗି ରିଲିଫ ସାମଗ୍ରୀ ପଠାଇଛି ପାକିସ୍ତାନ ।

ସେହି ରିଲିଫ୍ ସାମଗ୍ରୀ ଗୁଡ଼ିକ ଗତବର୍ଷ ବନ୍ୟା ବିପତ୍ତି ବେଳେ ତୁର୍କୀ ପାକିସ୍ତାନକୁ ପଠାଇଥିଲା । ଏବେ ପାକିସ୍ତାନ ତାକୁ ଆଉଥରେ ନିଜ ନାଁରେ ପ୍ୟାକିଂ କରି ତୁର୍କୀକୁ ପଠାଇ ଦେଇଛି । ଏହାକୁ ନେଇ ତୁର୍କୀ ସରକାର ସମାଲୋଚନା କରିବା ସହ ପୁଣି ଥରେ ସେହି ରିଲିଫ ସାମଗ୍ରୀକୁ ପାକିସ୍ତାନ ପଠାଇ ଦେଇଛନ୍ତି ।