ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେବ ’ଶଙ୍ଖ ଭବନ’

1 min read

ଭୁବନେଶ୍ୱର :  ଓଡିଶା ବାସୀଙ୍କ ସେବାରେ ଲୋକାର୍ପିତ ହେଲା  । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶଙ୍ଖ ଭବନକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଭଲ ପାଉଥିବା ତଥା ନୂଆ ଓ ସଶକ୍ତ ଓଡିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଶଙ୍ଖ ଭବନ । ଏହାର ପ୍ରତ୍ୟେକ କାର୍ଯ୍ୟକ୍ରମ ଓଡିଶାବାସୀଙ୍କ ସେବାରେ ସମର୍ପିତ ହେବ । ବିଶ୍ଵ ଦରବାରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ଏହା କାର୍ଯ୍ୟ କରିବ । ଏହା ସହ ବସୁଧୈବ କୁଟୁମ୍ବକମ ବାର୍ତ୍ତାର ବି ପ୍ରଚାର ଓ ପ୍ରସାର କରିବ ଶଙ୍ଖ ଭବନ ।

ମୁଖ୍ୟମନ୍ତ୍ରୀ କହିଥିଲେ,୧୯୯୭ ଥିଲା ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶା ବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ବିଜୟର ଶଙ୍ଖ ବାଜି ଚାଲିଛି । ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ଶଙ୍ଖ ଭବନ କେବଳ ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ । ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ ।

ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ-ସ୍ଥିରତା ଆମକୁ ସଫଳତା ଦେଇଛି, ସାଧୁତା ଆନନ୍ଦର ମାର୍ଗ ଖୋଲିଛି । ଶାନ୍ତି ଆମକୁ ସମୃଦ୍ଧି ଦେଇଛି, ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି । ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ,ଛାତ୍ର,ମହିଳା କର୍ମୀ ଓ ନେତା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।