ଡାକ୍ତରଖାନାରେ ରୋଗୀଙ୍କୁ ମାଡ଼ ମାରିଲେ ସୁରକ୍ଷାକର୍ମୀ

ଅନୁଗୁଳ :  ଡାକ୍ତରଖାନାରେ ରୋଗୀଙ୍କୁ ମାଡ଼ ମାରିଲେ ସୁରକ୍ଷାକର୍ମୀ । ସିରିଏଲ ନମ୍ବର ଉପର ତଳ କରୁଥିବା ଅଭିଯୋଗ କରିବାରୁ ରୋଗୀଙ୍କୁ ସୁରକ୍ଷା କର୍ମୀ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଘଟଣା ।

ଉଗୀପରା ଅଞ୍ଚଳର ଅଭିରାମ ମୁଖୀ ନାମକ ଜଣେ ବ୍ୟକ୍ତି ତାଙ୍କ ୪ବର୍ଷର ଶିଶୁପୁତ୍ରର ଦେହ ଖରାପ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେଠାରେ ଟିକେଟ କରି ଧାଡିରେ ଛିଡ଼ା ହୋଇଥିବା ବେଳେ ମେଡ଼ିକାଲ ସୁରକ୍ଷାକର୍ମୀ ସିରିଏଲ ଅନୁସାରେ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ପଠାଉଥିଲେ । ହେଲେ ସୁରକ୍ଷାକର୍ମୀ ଜଣଙ୍କ ପାତରଅନ୍ତର କରି ରୋଗୀଙ୍କ ସିରିଏଲ ନମ୍ବର ଉପର ତଳ କରୁଥିଲେ । ଏନେଇ ପ୍ରତିବାଦ କରିଥିଲେ ଅଭିରାମ ।

ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ସୁରକ୍ଷାକର୍ମୀ ଓ ତାଙ୍କ ସୁପରଭାଇଜର ମିଶି ଅଭିରାମଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଠରୀ ଭିତରକୁ ନେଇ ମାଡ଼ ମାରିଥିଲେ । ବନ୍ଦ କୋଠରୀ ଭିତରେ ତାଙ୍କୁ ଚାପୁଡ଼ା , ବିଧା ମାରିବା ସହ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଥିବା ଅଭିରାମ ଅଭିଯୋଗ କରିଛନ୍ତି । ଏନେଇ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।