ସୁଡାନରେ ସଂଘର୍ଷ; ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ସୁଡାନରେ ସଂଘର୍ଷ ଭିତରେ ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ । ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ଏୟାରଲିଫ୍ଟ କରାଯାଇଛି । ଶନିବାର ବିଳମ୍ବିତ ରାତିରେ ୧୫୮ ବିଦେଶୀ ନାଗରିକଙ୍କୁ ରେସ୍କ୍ୟୁ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ରହିଛନ୍ତି । ଆଜି ସକାଳୁ ଖାର୍ଟୋମସ୍ଥିତ ଆମେରିକା ଦୂତାବାସ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷତି ଭାବେ ରେସ୍କ୍ୟୁ କରାଯାଇଛି ।

ଦୂତାବାସରେ କାର୍ଯ୍ୟରତ ୭୦ଜଣ କୁଟନୈତିଜ୍ଞ ଓ ସେମାନଙ୍କ ପରିବାରକୁ ଏୟାରଲିଫ୍ଟ କରାଯାଇଛି । ସୁଡାନ ରାଜଧାନୀରେ ଥିବା ଆମେରିକା ଦୂତାବାସକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ବୋଲି ସୂଚନା ମିଳିଛି । ସୁଡାନରେ କ୍ଷମତାକୁ ନେଇ ସେନା ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଗତ ୧୦ ଦିନ ଧରି ଘମାଘୋଟ ଲଢ଼େଇ ଜାରି ରହିଛି ।

୧୫ ଏପ୍ରିଲରୁ ଲାଗି ରହିଥିବା ଲଢ଼େଇ ଯୋଗୁ ଏବେସୁଦ୍ଧା ୪ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୬ ଏପ୍ରିଲରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ସୁଡାନରେ ୧୫ଶହରୁ ଅଧିକ ଭାରତୀୟ ନାଗରିକ ଫସି ରହିଛନ୍ତି । କର୍ଣ୍ଣାଟକ ଆଦିବାସୀ ସମୁଦାୟ ୩୧ଜଣ ମଧ୍ୟ ସେଠାରେ ଫସି ରହିଥିବା ଜଣାପଡ଼ିଛି । ଜଡିବୁଟି ବିକ୍ରି କରିବାକୁ ସେମାନେ ସୁଡାନ ଯାଇଥିବା ବେଳେ ଯୁଦ୍ଧ ଯୋଗୁ ଫସି ରହିଛନ୍ତି ।