ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ ; ଆସନ୍ତା ଦୁଇ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବାବେଳେ ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ତାତିରେ ବ୍ରେକ୍ ଲାଗିବା ସହ କୋହଲା ପାଗ ଜାରି ରହିଛି ।

ଆଜି ୧୮ ଜିଲ୍ଲାରେ ପ୍ରବଳ ବର୍ଷାନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି ହୋଇଛି ।

ପ୍ରବଳ କୁଆପଥର ବୃଷ୍ଟି ନେଇ ୮ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । ଏଥିପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ମୁକାବିଲା ନେଇ ଚିଠି ଲେଖିଛନ୍ତି ଏସ୍ଆରସି । ବିଶେଷ କରି ବିଜୁଳି ଘଡଘଡି ସହ ପବନ ଯୋଗୁଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ୨୮ ତାରିଖ ପରେ ରାଜ୍ୟକୁ ପୁଣି ଫେରିବ ତାତି । କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।