spot_img
Home Blog Page 3438

ସତକୁ ଢୋକି ଦେଉଛି କି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ, ରିମାଣ୍ଡରେ ଅଭିଯୁକ୍ତକୁ ଘନଘନ ଜେରା

ଝାରସୁଗୁଡ଼ା: କିଛି ସତକୁ ଢୋକି ଦେଉଛି କି ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ । ସତ ବାହାର କରିବାକୁ ରିମାଣ୍ଡରେ ଗୋପାଳକୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଦ୍ୱିତୀୟ ଦିନ । ପୁଣି ଝାରସୁଗୁଡ଼ା ଯାଇ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଖୁବଶୀଘ୍ର ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିପାରେ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମୁହଁରୁ ଗୋଟି ଗୋଟି କରି ସତ ଆଦାୟ କରିବାକୁ ବୈଷୟିକ ଜ୍ଞାନକୌଶଳର ସହାୟତା ନେଇଛି ତଦନ୍ତକାରୀ ଟିମ୍ । ସିଏଫଏସଏଲର ଅଧିକାରୀଙ୍କ ସହାୟତାରେ ଗୋପାଳର ମନରେ ଚାଲିଥିବା ଭାବନାକୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ । ଫୋକସରେ ରହିଛି ଅଭିଯୁକ୍ତର ଆଚରଣ, ବ୍ୟକ୍ତିତ୍ୱ ଓ ସାମଗ୍ରିକ ମାନସିକତା ।

ହତ୍ୟାର ପ୍ରକୃତ କାରଣ ସହିତ ପ୍ରମାଣ ଖୋଜିବାରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ଏଭଳି ସ୍ଥିତିରେ ତଦନ୍ତକାରୀ ଟିମ୍ ଆଗରେ ଗୋପାଳ ରଖୁଥିବା ବୟାନ କେତେ ସତ ? ଏହାର ଗୁମର ଖୋଜିବାକୁ ଏଲଭିଏ ବା ଲେୟର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ ଓ ସାଇକୋଲୋଜିକାଲ୍ ଆସେସମେଣ୍ଟ ପରୀକ୍ଷା କରାଯାଇଛି । ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରୁଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ। ଏସସିବିର ୪ ଜଣିଆ ମନସ୍ତତ୍ତ୍ୱବିତ୍ ଟିମ୍ ଗୋପାଳ ଉପରେ ନଜର ରଖିଛନ୍ତି ।

ଆଜି ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ: ମେଲୋଡି କୁଇନ୍, ଭାରତର କୋକିଳ କଣ୍ଠି ତଥା ଭଏସ ଅଫ ଦ ମିଲେନିୟମ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ୨୮ ସେପଟେମ୍ବର ୧୯୨୯ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଲତା ଜୀ । ଗତବର୍ଷ ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ । ସେ ନାହାନ୍ତି ସତ ହେଲେ ଆଜି ବି ସମସ୍ତଙ୍କ ମନରେ ସମସ୍ତଙ୍କ ଗୀତରେ ସେ ଅମର । ୮ ଦଶନ୍ଧୀ ଧରି ପ୍ଲେ ବ୍ୟାକ୍ ସିଙ୍ଗର ଲତା ଜୀଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ବି ତାଙ୍କ ଗୀତ ପ୍ରତିଟି ମୁହଁରେ ରହିଛି ।

ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୬ ଫୁଟର ବାଲୁକା କଳା ପ୍ରଦର୍ଶନ କରି ଭାରତ ରତ୍ନ ଲତା ମଙ୍ଗେସଙ୍କରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଲତା ମଙ୍ଗେସକରଙ୍କ ସେହି ପ୍ରସିଦ୍ଧ ଓ ଶ୍ରୁତି ମଧୁର ଗୀତ ମେରି ଆୱାଜ୍ ସୁନୋର ସୁର୍‌ ଲାଗୁଛି ଯେମିତି ବାଲୁକା ରୁପି କାନଭାସରୁ ଭାସି ଆସୁଛି ।

ଅଡ଼ୁଆରେ ଯୋଗଗୁରୁ ବାବା ରାମଦେବ, ଧାର୍ମିକ ଭାବନାକୁ ଆଘାତ କରିବା ଯୋଗୁଁ ମାମଲା ରୁଜୁ

ନୂଆଦିଲ୍ଲୀ: ଅଡ଼ୁଆରେ ଯୋଗଗୁରୁ ବାବା ରାମଦେବ । ଧାର୍ମିକ ଭାବନାକୁ ଆହତ କରିବା ଯୋଗୁଁ ରାଜସ୍ଥାନର ବାରମେର ଜିଲ୍ଲାରେ ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ନେଇ ଜଣେ ସ୍ଥାନୀୟ ବାସିନ୍ଦା ରାମଦେବଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।  ଅଭିଯୋଗ ଆଧାରରେ ଆଇପିସିର ୧୫୩ A, ୨୯୫ A ଏବଂ ୨୯୮ ଧାରାରେ ମାମଲା ରୁଜୁ ହୋଇଛି । ଗତ ଗୁରୁବାର ବାରମେରରେ ସାଧୁମାନଙ୍କ ଏକ ସମାବେଶରେ ରାମଦେବ ହିନ୍ଦୁ ଧର୍ମକୁ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମ ସହ ତୁଳନା କରୁଥିବାବେଳେ ମୁସଲମାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦିଅନ୍ତି ବୋଲି କହିଥିଲେ । ଏଥିସହ ହିନ୍ଦୁ ମହିଳାଙ୍କୁ ଅପହରଣ କରନ୍ତି ବୋଲି କହିଥିଲେ ।

ପୂର୍ବରୁ ମଧ୍ୟ ବାବା ରାମଦେବ ମହିଳାମାନଙ୍କ ବିଷୟରେ ଏକ ବିବୃତ୍ତି ଦେଇଥିଲେ । ସେ ବିଷୟରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା | ସେହି ସମୟରେ, ମହାରାଷ୍ଟ୍ରର ଥାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମଦେବ କହିଥିଲେ ଯେ ମହିଳାମାନେ କିଛି ନ ପିନ୍ଧିଲେ ବି ଭଲ ଦେଖାଯିବେ । ତାଙ୍କ ମନ୍ତବ୍ୟକୁ ନିନ୍ଦା କରି ଦିଲ୍ଲୀ ମହିଳା ଆୟୋଗ ରାମଦେବ କ୍ଷମା ମାଗନ୍ତୁ ବୋଲି କହିଥିଲେ ।

ଡମ୍ପରକୁ ଧକ୍କା ଦେଲା 108 ଆମ୍ବୁଲାନ୍ସ, ୩ ରୋଗୀ ଗୁରୁତର

ଭଦ୍ରକ: ଡମ୍ପରକୁ ଧକ୍କା ଦେଲା 108 ଆମ୍ବୁଲାନ୍ସ । ଭଣ୍ଡାରିପୋଖରୀ ଥାନା ଆଖୁଆପଦାଠାରେ  । ଡମ୍ପରକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ରୋଗୀଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଲେଶ୍ବରରୁ ରୋଗୀ ନେଇ କଟକ ଯାଉଥିବା ଦୁର୍ଘଟଣାର ଘଟାଇଛି ଆମ୍ବୁଲାନ୍ସ ।

ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ ଟିମ୍, ଆୟୋଜକରୁ ହଟିପାରେ ପାକ୍

ନୂଆଦିଲ୍ଲୀ: ଏସିଆ କପ ଆୟୋଜନକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା । ଏସିଆ କପ ଆୟୋଜକରୁ ହଟିପାରେ ପାକିସ୍ତାନ । ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିବା ପରେ ବିବାଦ ତେଜିଛି । ବାହାରିନରେ ଆୟୋଜିତ ଏସିଆ କ୍ରିକେଟ କାଉନସିଲ ବୈଠକରେ ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ ବୋଲି କହିଥିଲେ ।

ଦୀର୍ଘ ସମୟ ଧରି ଭାରତ-ପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ପର୍କ ଠିକ ନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଖେଳାଳିଙ୍କୁ ପାକିସ୍ତାନ ନପଠାଇବାକୁ ବିସିସିଆଇ ନିଷ୍ପିତ୍ତି ନେଇଛି । ଭାରତର ଏହି ନିଷ୍ପତ୍ତି ପରେ ଏସିଆ କପ ୟୁଏଇରେ ଆୟୋଜନ କରିବାକୁ ଆଲୋଚନା ଜାରି ରହିଛି । ସେପଟେ ଭାରତୀୟ ଟିମ ପାକିସ୍ତାନ ନଗଲେ ଭାରତରେ ହେବାକୁ ଥିବା ଓ୍ବାନ ଡେ ବିଶ୍ବକପ ପାଇଁ ପାକିସ୍ତାନ ଟିମ ଭାରତକୁ ଆସିବେ ନାହିଁ ବୋଲି ପିସିବି ଚେୟାରମ୍ୟାନ ନଜମ ସେଠୀ କହିଛନ୍ତି ।

ନବଜାତ ଶିଶୁକୁ ଧରି ରାସ୍ତା କଡରେ ବସିଛି ପ୍ରତାରିତ କୁଆଁରୀ ମା’

ଦେବଗଡ଼: ପ୍ରେମ ଓ ପ୍ରତାରଣା ପରେ ନବଜାତ ଶିଶୁକୁ ଧରି ରାସ୍ତା କଡରେ ବସିଛି କୁଆଁରୀ ମା’ l ଦେବଗଡ଼ ପୌରାଞ୍ଚଳରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା l ଦେବଗଡ ଆରସିଏମଏସ ସାହିର ବିକାଶ ମୁଖି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ l ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଏବେ ବିକାଶ ଧରାଛୁଆଁ ଦେଉ ନଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ।

ନ୍ୟାୟ ପାଇଁ ସେ କୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି l ଅନ୍ୟପଟେ ପୀଡିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବାପରେ ନିଜ ସାବତ ଭାଇମାନେ ଘରୁ ତଡିଦେଇଛନ୍ତି । ଫଳରେ ନବଜାତକକୁ ନେଇ ଗଛ ମୂଳରେ ଆଶ୍ରୟ ନେଉଉନ୍ତି ପୀଡିତା । ଝିଅକୁ ନ୍ୟାୟ ପାଇଁ ଏବେ ନେହୁରା ହେଉଛନ୍ତି ପୀଡିତାଙ୍କ ମା’ ।

ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଛି ସମ୍ମିଳନୀ ଚେଷ୍ଟକନ୍ ଓଡ଼ିଶା-୨୦୨୩

ଭୁବନେଶ୍ୱର: କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ବିଭିନ୍ନ ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଛି । ଫଳରେ ଯକ୍ଷ୍ମା ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ବ ମିଳିପାରୁ ନାହିଁ । ଓଡ଼ିଶା ଚେଷ୍ଟ ସୋସାଇଟିର ୧୯ ତମ ବାର୍ଷିକ ସମ୍ମିଳନୀ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଦିଗାମ୍ବର ବେହେରା । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ହୋଇଛି ସମ୍ମିଳନୀ ଚେଷ୍ଟକନ୍ ଓଡ଼ିଶା-୨୦୨୩ । ଏହାକୁ ଉଦଘାଟନ କରି ପ୍ରଫେସର ବେହେରା କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ପ୍ରକାର ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଛି । ତେଣୁ ସାରା ଦେଶରେ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି । ତେବେ ଚିରାଚରିତ ଶ୍ବାସଜନିତ ସମସ୍ୟାକୁ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ୍ ।

ଏହି ପ୍ରକ୍ରିୟାରେ ଆମେ ଯକ୍ଷ୍ମାକୁ ଭୁଲିଯାଉଛୁ ଏବଂ ଆମର ଧ୍ୟାନ ଅନ୍ୟ ଆଡ଼କୁ ଯାଉଛି । ବିଶ୍ବର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ ଭାରତରେ ଥିବା ବେଳେ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ୍, ଏନ୍‌ଟିଇପିକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଫେସର ବେହେରା । ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ସମୀର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ଓଡ଼ିଶା ଚେଷ୍ଟ ସୋସାଇଟିର ସମ୍ପାଦକ ଡାକ୍ତର ମନୋଜ କୁମାର ପାଣିଗ୍ରାହୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ପ୍ରଫେସର ଡାକ୍ତର ବନାନୀ ଜେନା ।

ମହାରାଷ୍ଟ୍ରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ହୁଙ୍କାର

ମୁମ୍ବାଇ: ସ୍ବାଧୀନତାର ୭୫ ବର୍ଷ ପରେ ବର୍ତ୍ତମାନ କୃଷକମାନେ ଦେଶର ନେତୃତ୍ବ ନେବାର ଆବଶ୍ୟକତା ରହିଛି । ମହାରାଷ୍ଟ୍ର ନାନ୍ଦେନରେ ଭାରତ ରାଷ୍ଟ୍ର ସମିତିର ରାଲିରେ ଏହା କହିଛନ୍ତି ଦଳର ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନାନ୍ଦେଦରେ ତେଲଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ କେସିଆର ଏଠାରେ ଦଳର ପ୍ରାଧାନ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏଠାକାର ବାସିନ୍ଦା ତେଲଙ୍ଗାନାରେ ମିଶିବା ଲାଗି ବି ସ୍ବର ଉଠାଇଛନ୍ତି । ଭାରତ ରାଷ୍ଟ୍ର ସମିତିକୁ ଜାତୀୟ ଦଳ ମାନ୍ୟତା ଲାଭ କରିବାକୁ ହେଲେ ଏହି ଦଳ ଅତିକମରେ ୪ଟି ରାଜ୍ୟରେ ରାଜ୍ୟସ୍ତରୀୟ ମାନ୍ୟତା ଲାଭ କରିଥିବା ଆବଶ୍ୟକ । କିମ୍ବା କୌଣସି ୪ ରାଜ୍ୟରେ ଓ ୪ଟି ଲୋକସଭା ଆସନରେ ୬ ପ୍ରତିଶତ ଭୋଟ ହାସଲ କରିଥିବା ଦରକାର । କିମ୍ବା ଅତିକମରେ ୩ଟି ରାଜ୍ୟରେ ୨ ପ୍ରତିଶତ ଲୋକସଭା ଆସନ ଅର୍ଥାତ ୧୧ଟି ଆସନରେ ବିଜୟୀ ହୋଇଥିବା ଦରକାର ।

ସଠିକ ସମୟରେ ଗୁଳି ବାହାରିଥିଲେ, ମୁଶାରଫଙ୍କ ମୃତ୍ୟୁକୁ ୨୪ ବର୍ଷ ପୁରିଥାନ୍ତା…

ନନ୍ଦିଘୋଷ ବ୍ୟୁରୋ: ମେଡିକାଲରେ ଦୀର୍ଘ ଦିନର ସଂଘର୍ଷ ଲଢି ଶେଷରେ ଆଖି ବୁଜିଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ପରଭେଜ ମୁଶାରଫ  । ଯଦି ସେଦିନ ଭାରତୀୟ ବାୟୁସେନାରୁ ଗୁଳି ବାହାରିନଥାନ୍ତା, ତେବେ ମୁଶାରଫଙ୍କ ମୃତ୍ୟୁକୁ ୨୪ ବର୍ଷ ପୁରନ୍ତାଣି  ।  ବହୁ ଆଗରୁ ମରିସାରନ୍ତେଣି ପରଭେଜ ମୁଶାରଫ  । ଭାରତ ହାତରେ ଯାଇଥାନ୍ତା ଜୀବନ  । କେବଳ ଦଇବର ସଂଯୋଗ ପାଇଁ ସେଦିନ ଜୀବନ ଫେରିପାଇଥିଲେ ପରଭେଜ  । ଏକ ଅକୁହା କାହାଣୀ  । ଯାହାର ଦସ୍ତାବିଜ କେବଳ ଭାରତୀୟ ସେନା ପାଖରେ  ।

ଚରମସୀମାରେ କାର୍ଗିଲ ଯୁଦ୍ଧ  । ଗୋଳା ବାରୁଦ ବର୍ଷଣର ଶବ୍ଦ କାନକୁ ଅଥୟ କରୁଥିଲା  । ପାକିସ୍ତାନ ଆର୍ମି ଚିଫ୍ ପରଭେଜ ମୁଶାରଫ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏଲଓସି ନିକଟସ୍ଥ ଗୁଲଟରୀ ସେନା କ୍ୟାମ୍ପରେ ଥାଆନ୍ତି  । ଆଉ ସେହିଦିନ ହିଁ ଏଲଓସି ଉପରେ ପଇଁନ୍ତରା ମାରୁଥାଏ ଭାରତୀୟ ଲଢୁଆ ବିମାନ ଜାଗୁଆର  । ଦୁଇଟି ବିମାନ ନେଇଥାଏ ଦାୟିତ୍ୱ  । ସେହିଦିନ ହିଁ ପାକିସ୍ତାନ ଉପରେ ବମ୍ ଟାର୍ଗେଟ କରିଥାନ୍ତା ଫାଇଟର ଜେଟ୍  ।

୨୪ ଜୁନ୍ ୧୯୯୯ ମସିହା  । ଏଲଓସିର ଗୁଲଟାରୀରେ ହିଁ ଭାରତୀୟ ବାୟୁସେନା ବୋମା ବର୍ଷଣ କରିବାକୁ ନିଷ୍ପତ୍ତି ନେଇସାରିଥାଏ  । ସେଥିପାଇଁ ଦୁଇଟି ଜାଗୁଆର ବମ୍ ଭର୍ତ୍ତି କରି ବାହାରି ସାରିଥାଏ  । ଠିକ୍ ଫାଇଟର ଜେଟ ଟାର୍ଗେଟ ଫିଲଅପ୍ କରିବା ବେଳକୁ ଲେଜର ବାସ୍କେଟରୁ ବାହାରକୁ ବାହାରି ଯାଇଥିଲା ବମ  । ଯାହା ଫଳରେ ସଠିକ ସ୍ଥାନରେ ପଡି ପାରିନଥିଲା ବମ  । ଆଉ ଯଦି ସେଦିନ ସେହି ଟାର୍ଗେଟ ପ୍ଲେସରେ ଭାରତୀୟ ବାୟୁସେନା ବମ ପକାଇଥାନ୍ତା  । ତେବେ ପାକିସ୍ତାନ ହରାଇଥାଆନ୍ତା ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟ  ।

ସତ ମାନିଥିଲା ପାକିସ୍ତାନ

ଯେଉଁ  ସ୍ଥାନକୁ ଭାରତୀୟ ବାୟୁସେନା ଟାର୍ଗେଟ ସେଟ୍ କରିଥିଲା  । ସେଦିନ ସେହି ସ୍ଥାନଦରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏବଂ ସେନାମୁଖ୍ୟ ପରଭେଜ ମୁଶାରଫ ଉପସ୍ଥିତ ରହିଥିଲେ  । ଏହି ଘଟଣାର ସତ୍ୟତା ପରବର୍ତ୍ତୀ ସମୟରେ ଖୁଲାସା ହୋଇଥିଲା  । ଯେତେବେଳେ ପାଇଲଟ ଟାର୍ଗେଟ ସେଟ କରିଥିଲେ, ସେତେବେଳେ ଉକ୍ତ ପାଇଲଟଙ୍କୁ ଜଣା ନଥିଲା ଯେ ସେ ସ୍ଥାନରେ ପରଭେଜ ମୁଶାରଫ ଏବଂ ନୱାଜ ସରିଫ ଉପସ୍ଥିତ ରହିଥିଲେ  । ପରବର୍ତ୍ତୀ ସମୟରେ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ୨୫ ଜୁନ ୧୯୯୯ ରେ ନୱାଜ ସରିଫ ଗୁଲଟେରୀରେ ରହିଥିଲେ  । ଯେଉଁଠି ପାକିସ୍ତାନ ସେନାକୁ ସମ୍ବୋଧିତ କରୁଥଲେ ଏବଂ ଭାରତ ସହ ଯୁଦ୍ଧ ସ୍ଥିତିକୁ ସମାପ୍ତ କରିବାକୁ ଅପିଲ କରୁଥିବା ପାକିସ୍ତାନ ମିଡିଆରେ ପ୍ରକାଶିତ ହୋଇଥିଲା  ।

୧୯୬୫ ଓ ୧୯୭୧ ଦୁଇଟି ଯାକ  ଯୁଦ୍ଧରେ ପାକିସ୍ତାନର ସେନା କମାଣ ସମ୍ଭାଳୁଥିଲେ ମୁଶାରଫ  । ଦୁଇଟି ଯାକ ଯୁଦ୍ଧରେ ମାଟି କାମୁଡି ତଳେ ପଡିଥିଲା ପାକିସ୍ତାନ  । ପ୍ରତିଶୋଧ ପରାୟଣ ମୁଶାରଫ ରାଗରେ ଜଳୁଥିଲେ  ।   ଶେଷରେ ୧୯୯୯ ରେ ବି ମୁାଫ ରଚିଥିଲେ ଯୁଦ୍ଧ ଷଡ଼ଯନ୍ତ୍ର  । ନୱାଜ ସରିଫକୁ ମୋହରା ସଜାଇ ଯୁଦ୍ଧ ଲଢୁଥିଲେ ମୁଶାରଫ  । ପ୍ରତିଶୋଧର ଯୁଦ୍ଧ ବି ପାଣି ଫାଟିଥିଲେ  । ଭାରତୀୟ ସେନାର ସାହସିକତା ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ ।

 

 

ମିଶନ୍ ଶକ୍ତି ମହିଳାଙ୍କ ପାଇଁ ଖୋଲିଲା ମିଲେଟ କାଫେ

ଭୁବନେଶ୍ୱର: ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ବେହେରା ସାହିର ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ଏକ ଅଗ୍ରଣୀ ମହିଳା ଏସ୍‌ଏଚ୍‌ଜି ମହାସଂଘ । ସେମାନେ ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ଅଳ୍ପ କିଛି କିଛି ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରୁଥିଲେ । ମିଲେଟ୍‌ର ଚାହିଦାକୁ
ଦେଖି ସେମାନେ ଦୁଇବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ, ଉତ୍ସବ ଆଦିରେ ମିଲେଟ୍‌ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଇ ଜୀବିକା ଅର୍ଜନ କରୁଥିଲେ । ମିଲେଟ୍‌ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ମହାସଂଘର ସଦସ୍ୟାମାନେ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ ଏବଂ ସେମାନଙ୍କ ଏହି ସବୁ ସାମଗ୍ରୀ ପ୍ରସ୍ତୁତିରେ ଦକ୍ଷତା ଓ ଅଭିଜ୍ଞତା ଥିଲା । କେବଳ ଏକ ସୁଯୋଗର ଅପେକ୍ଷା ଥିଲା । ସେ ବଡ଼ ସୁଯୋଗ ସେମାନଙ୍କ ପାଖକୁ ଆସିଲା ଯେତେବେଳେ ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଗୋଟିଏ ମିଲେଟ୍‌ ଶକ୍ତି କାଫେ ଖୋଲିବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପଦକ୍ଷେପ ନିଆଗଲା ।

ଏହି କାଫେରେ ବିକ୍ରୟ ନିମନ୍ତେ ସେମାନେ ଆବେଦନ କଲେ ଏବଂ ମିଲେଟ୍‌ କାଫେ ପରିଚାଳନା ନିମନ୍ତେ କାର୍ଯ୍ୟାଦେଶ ପାଇଲେ । ଜାନୁଆରୀ ୧୨ ତାରିଖ ଦିନ ଏହି କାଫେ କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା । ସେଦିନ ଏହି ମହାସଂଘର ସଦସ୍ୟାମାନଙ୍କ ଖୁସି କହିଲେ ନସରେ । ହକି ବିଶ୍ୱକପ୍‌ ସମୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କ ସମେତ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନଙ୍କୁ ସେମାନଙ୍କ ଦ୍ୱାରା ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସେମାନଙ୍କ ପାଇଁ ଗୋଟେ ବହୁତ ବଡ଼ ସୁଯୋଗ ଆଣିଦେଲା । ମହାସଂଘର ମା’ମାନେ ଦିନରାତି ଲାଗି ପଡ଼ିଲେ । ମ୍ୟାଚ ଥିବା ଦିନମାନଙ୍କରେ ସେମାନେ ୨୫ରୁ ୩୦ ହଜାର ଟଙ୍କ ବ୍ୟବସାୟ କରିଥାନ୍ତି ଏବଂ ମ୍ୟାଚ୍‌ ନଥିବା ଦିନଗୁଡ଼ିକରେ ୧୦ରୁ ୧୫ ହଜାର ଟଙ୍କାର ବିକି୍ରବଟା ହୋଇଥାଏ ।

ଏହି ସମୟ ମଧ୍ୟରେ କମିଶନରେଟ୍‌ ପୋଲିସକୁ ସେମାନେ ଗୋଟିଏ କାର୍ଯ୍ୟକ୍ରମ ନିମନ୍ତେ ପ୍ରାୟ ୫୦୦ ପ୍ୟାକେଟ୍‌ ( ୬ ପ୍ରକାର ଖାଦ୍ୟ ସାମଗ୍ରୀର ଏକ ଜଳଖିଆ ପ୍ୟାକେଟ) ଯୋଗାଇଛନ୍ତି । ଏଥିରେ ସେମାନଙ୍କର ପ୍ରାୟ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିଲା । ପୁଣି ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟରମାନଙ୍କ ଏକ ଉତ୍ସବ ନିମନ୍ତେ ସେମାନେ ୬୦୦ ପ୍ୟାକେଟ ଯୋଗାଇ ବେଶ ଲାଭବାନ ହୋଇଛନ୍ତି । ଖେଳ ଦେଖିବାକୁ ଆସିଥିବା ରାଜ୍ୟ ବାହାରର ବହୁ ଲୋକ ସେମାନଙ୍କ ସାମଗ୍ରୀ କିଣି ନେଇଛନ୍ତି । ମାତ୍ର ୧୫ ଦିନ ମଧ୍ୟରେ ସେମାନେ ୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ଆନୁଷଙ୍ଗିକ ଯନ୍ତପାତି, କଞ୍ଚାମାଲ ଆଦି କିଣିବା ପାଇଁ ମିଶନ ଶକ୍ତି ବିଭାଗ ତରଫରୁ ବ୍ୟାଙ୍କ୍‌ ଲିଙ୍କେଜ୍‌ ଜରିଆରେ ସେମାନଙ୍କୁ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି । ବିଭାଗ ତରଫରୁ ମଧ୍ୟ ସଦସ୍ୟାମାନଙ୍କୁ ପ୍ୟାକେଜିଂ, ସଂରକ୍ଷଣ, ସାମଗ୍ରୀ ପ୍ରସ୍ତୁତି ଆଦି ସଂପର୍କରେ ଉଚ୍ଚ ତାଲିମ ପ୍ରଦାନ କରାଯାଇଛି ।

ପିଠା ଏବଂ ଶୁଖିଲା ଖାଦ୍ୟ ବ୍ୟତୀତ ମିଲେଟ୍‌ର ବିଭିନ୍ନ ବେକେରୀ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ସେମାନେ ବିଭିନ୍ନ ସ୍ଥାନକୁ ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ସେମାନେ ନିଜର ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ମହାସଂଘର ୧୮ ଜଣ ସଦସ୍ୟା କାମ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ଏସ୍‌ଏଚ୍‌ଜିମାନଙ୍କ ନିମନ୍ତେ ବିନାସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଘୋଷଣା କରିବା ପରେ ଏହି ମହାସଂଘର ସଦସ୍ୟାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଏହିଭଳି ଅନେକ ଏସ୍‌ଏଚ୍‌ଜି ସରକାରୀ ପ୍ରୋତ୍ସାହନରେ ଧୀରେ ଧୀରେ ଏସ୍‌ଏମ୍‌ଇ (କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ)ରେ ପରିଣତ ହେଉଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାର ସ୍ୱପ୍ନ ଧୀରେ ଧୀରେ ବାସ୍ତବରେ ରୂପାନ୍ତରିତ ହେବାରେ ଲାଗିଛି । ସ୍ୱୟଂ ଶ୍ରଦ୍ଧା ମହିଳା ମହାସଂଘ ତା’ର ଜ୍ୱଳନ୍ତ ଉଦାହରଣ ।